ସ୍ଥିତି ବିଗାଡ଼ିଦେଲା ସୁବର୍ଣ୍ଣରେଖା ବନ୍ୟା, ସୁରକ୍ଷା ପ୍ରକଳ୍ପ ପାଇଁ ଦରକାର ୨ ଶହ କୋଟି

ଜଳେଶ୍ୱର: ଚଳିତ ବର୍ଷ  ଅଗଷ୍ଟ ମାସରେ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିଆପାଳର ୧୪ଟି ନଦୀତଟ ଅଞ୍ଚଳ। ଏହିସବୁ ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗର ନିଦ ହଜିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ୧୪ଟି ସ୍ଥାନର ସୁରକ୍ଷା ପାଇଁ ୧୪ଟି ସୁରକ୍ଷା ପ୍ରକଳ୍ପ ପ୍ରସ୍ତୁତ କରାଯିବା ସହ ଏହା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ପାଇଁ ପଠାଯିବ ବୋଲି ଜଳ ସମ୍ପଦ ବିଭାଗର ଏସ୍‌ଇ ପ୍ରଭାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଗତ ଅଗଷ୍ଟ ମାସ ବନ୍ୟାରେ ସୁବର୍ଣ୍ଣରେଖା ନଦୀର ଅସ୍ତିରୁ ବଢ଼ାପାଳ ମଧ୍ୟରେ ଏକ ୪୦ ମିଟର ଘାଇ ସୃଷ୍ଟି ହୋଇଛି। ଏଠାରେ ନଦୀବନ୍ଧ ନଥିବାରୁ ଏପରି ସମସ୍ୟା ହୋଇଥିବା କୁହାଯାଇଛି। ସେହିପରି କୁଦମାନସିଂ ଗାଁ ନିକଟରେ ନଦୀର ଡାହାଣ ପାର୍ଶ୍ୱରେ ୫୦ ମିଟରର ଦୁଇଟି ଘାଇ ହୋଇଛି। ରାଉତରାପୁର-ରସୁଲପୁର ନିକଟରେ ଦୁଇଶହ ମିଟର ସ୍ଥାନରେ ନଦୀବନ୍ଧ ନଥିବା ବେଳେ ଏଠାରେ ମଧ୍ୟ ୪୦ ମିଟରର ଘାଇ ସୃଷ୍ଟି ହୋଇଛି। ଇକଡ଼ପାଳ ଗାଁ’କୁ ସୁରକ୍ଷା ଦେଉଥିବା ଟିଆର୍‌ଇ ଉପରେ ବନ୍ୟା ଜଳ ଉଛୁଳି ପାଖାପାଖି ୧ କିମି ଟିଆର୍‌ ଧୋଇଯାଇଛି। ଭୋଗରାଇ ବ୍ଲକ୍‌ର କୀର୍ତ୍ତନିଆ ଅପର ପାର୍ଶ୍ବ କୁହାଯାଉଥିବା ଚଉମୁଖ ଗାଁ ଜଳସମ୍ପଦ ବିଭାଗ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି

ସୁବର୍ଣ୍ଣରେଖା ନଦୀର ପାଣି ଓ ସମୁଦ୍ରର ଜୁଆର ପାଣି ଚଉମୁଖ ଗାଁ ନିକଟରେ ମାଡ଼ କରୁଥିବାରୁ ବିପଦ ସୃଷ୍ଟି ହୋଇଛି। ଗାଁ’ର ବହୁ ସ୍ଥଳଭାଗ ନଦୀ ଓ ସମୁଦ୍ରଗର୍ଭକୁ ଚାଲିଗଲାଣି। ବାଲିଆପାଳ ବ୍ଲକ୍‌ର ଏହି ୧୪ଟି ସ୍ଥାନର ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ତରଫରୁ ପାଖାପାଖି ୪ କିମି ଅଞ୍ଚଳରେ ପଥର ପେକିଂ, ୪ କିମି ରାସ୍ତାର ସୁଦୃଢ଼ୀକରଣ, ୪୦ଟି ସ୍ପର ଓ ଦୁଇଟି ସ୍ଲୁଇସ୍‌  ​ଗେଟ୍‌ ନିର୍ମାଣ ପାଇଁ ୧୪ଟି ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଅନ୍ୟୁନ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଜଳସମ୍ପଦ ବିଭାଗ ପାଇଁ ବାଲେଶ୍ୱର ଜିଲ୍ଲାରେ ସବୁଠାରୁ ଅଧିକ ସମ୍ବେଦନଶୀଳ ସ୍ଥାନ ହେଉଛି ଚୌମୁଖ-ଆମ୍ବଚୁଆ। ଏଠାରେ ଦେଢ଼ କିମି ପଥର ପେକିଂ ସହ ଚୌମୁଖ ଫେରିଘାଟ ନିକଟରେ ୧୦ଟି ସ୍ପର ନିର୍ମାଣ ପାଇଁ ୪୨ କୋଟି ଟଙ୍କାର ଦୁଇଟି ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଅସ୍ତି-ବଢ଼ାପାଳ ପାଇଁ ୩ କୋଟି ଟଙ୍କା, କୋହ୍ଲାଚଡ଼ ନିକଟରେ ୮୧୦ ମିଟର ଲଞ୍ଚିଂ ପେକିଂ ପାଇଁ ୬ କୋଟି ଟଙ୍କା, ନୟାବାଲି-ରସଲପୁର ନିକଟରେ ୪ଟି ସ୍ପର ନିର୍ମାଣ ପାଇଁ ୭ କୋଟି ଟଙ୍କା, ନୂଆସାହି ଝଲଝଲିଆ ନିକଟରେ ୩ଟି ସ୍ପର ପାଇଁ ୬ କୋଟି, ଜାମକୁଣ୍ଡାରୁ ମାନ୍ଧାତା ଯାଏ କେନାଲ୍‌ ବନ୍ଧରୁ ପାଣି ଗଳୁଥିବାରୁ ଏହାର ଉନ୍ନତୀକରଣ ପାଇଁ ୮ କୋଟି ଟଙ୍କା, ପାଳପଡ଼ା ବନ୍ଧ ସଦୃଢ଼ୀକରଣ ପାଇଁ ୮ କୋଟି ଟଙ୍କା, ମାନ୍ଧାତା-ପଞ୍ଚୁପାଲି ରାସ୍ତା ଉନ୍ନତୀକରଣ (ପିଚୁ କାମ) ପାଇଁ ୫ କୋଟି ୧୪ ଲକ୍ଷ ଟଙ୍କା, କୁମ୍ଭାରୀ ପଞ୍ଚାୟତର ତଳଧାନଦା ଗ୍ରାମ ନିକଟରେ ୧୦ଟି ସ୍ପର ନିର୍ମାଣ ପାଇଁ ୧୬ କୋଟି ଟଙ୍କା, କୁଦମାନସିଂ-ରାଉତରାପୁର ତଟ ସୁରକ୍ଷା ପାଇଁ ୧୧ କୋଟି ଟଙ୍କାର ଯୋଜନା ହୋଇଛି।

Comments are closed.