ବାଲେଶ୍ୱରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜିଲ୍ଲାବାସୀଙ୍କ ସୁରକ୍ଷା, ସୁବିଧା ଓ ସମ୍ମାନର ସାଥି ହେବ ଲକ୍ଷ୍ମୀ ବସ୍

ବାଲେଶ୍ୱର, ତା: ୨୨/୦୨:(କୃଷ୍ଣ କୁମାର ମହାନ୍ତି) ଓଡ଼ିଶା ସରକାରଙ୍କର ଅନ୍ୟତମ ଲୋକାଭିମୁଖୀ ଯୋଜନା ଲକ୍ଷ୍ମୀ ବସ୍ ସେବାରେ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲା। ଗତକାଲି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି I

ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ପ୍ରମୁଖ ଯୋଗଦାନ କରିଥିଲେ I

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡ଼ିଶା ସରକାର ଯୋଜନା କରନ୍ତି । ୫T ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ୫T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ। ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ। ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।

ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଏବଂ ସଦର ବିଧାୟକ ଶ୍ରୀଯୁକ୍ତ ଦାସ ପ୍ରମୁଖ କହିଥିଲେ ଯେ ସମୟ ଥିଲା ସମାଜରେ ମା’ମାନେ ଅବହେଳିତ ଅବସ୍ଥାରେ ଥିଲେ। ଆଜି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାଗ୍ରେ ରଖିଛନ୍ତି। ଗ୍ରାମାଞ୍ଚଳ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଭଲ ସଡକ ନିର୍ମାଣ ହୋଇଛି। ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳବାସୀଙ୍କର ଯାହା ଅଭାବ ଥିଲା ତାହା ପୂରଣ ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ଜାତୀୟ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଛନ୍ତି। ଓଡିଶାର ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।

ଟାଇୟର ୧ ଅଧୀନରେ ପଞ୍ଚାୟତରୁ ବ୍ଲକକୁ ୪୬ ଗୋଟି ଓ ଟାଇୟର ୨ ଅଧୀନରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ୧୦ ଗୋଟି ଲକ୍ଷ୍ମୀ ବସ ଚାଲିବା ଦ୍ୱାରା ଜିଲ୍ଲାର ସମସ୍ତ ୩୫୬ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ।

କାର୍ଯ୍ୟକ୍ରମରେ ୫T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଉଦ୍‌ବୋଧନ ଦେଇ କହିଥିଲେ ଯେ ଖୁବ ଶୀଘ୍ର ମିଶନଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଲୋନ ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ ସୂଚନା ଦେଇଥିଲେ। ଲକ୍ଷ୍ମୀ ବସ୍‌ ହେଉଛି ଓଡିଶାବାସୀଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପୋଲିସ ଲାଇନ ପଡିଆରୁ ଉଦ୍ଘାଟିତ ଲକ୍ଷ୍ମୀ ବସରେ ଅତିଥିମାନେ ଯାତ୍ରା କରି କୁରୁଡ଼ା ଜ୍ୟୋତି ହସ୍ପିଟାଲ ସ୍ଥିତ ଲକ୍ଷ୍ମୀ ବସ ଷ୍ଟପକୁ ଉଦ୍ଘାଟନ କରିଥିଲେ I

ସୂଚନା ଯୋଗ୍ୟ କି, କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଲକ୍ଷ୍ମୀ ବସ ସେବା ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ବାଲେଶ୍ୱର ସମେତ ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର ଓ ନୂଆପଡା ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି।

Comments are closed.