ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍‌ଶୀଘ୍ର ରିପୋର୍ଟ ଆଧାରରେ ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ।

0

ଗଞ୍ଜାମ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି, କ୍ଷୟକ୍ଷତି ଆକଳନ, ରିଲିଫ୍ ବଣ୍ଟନ, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବିଶେଷକରି ଆସିକା, ସୋରଡ଼ା, ଭଞ୍ଜନଗର ସମେତ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଥିଲା। ଅନେକ ଗାଁ ଓ ଜନବସତିରେ ବନ୍ୟାଜଳ ପ୍ରବେଶ କରିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଘରଦ୍ୱାର, ରାସ୍ତାଘାଟ, ନଦୀବନ୍ଧ ଓ ଜଳସେଚନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଚାଷୀ। ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିଲା। ଦୀର୍ଘ ସମୟ ଧରି ଜମିରେ ପାଣି ଜମି ରହିବାରୁ ଚାଷୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ଆଜିର ସମୀକ୍ଷା ବୈଠକରେ ବନ୍ୟା ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତି ଆକଳନ ଏବଂ ସହାୟତା ପ୍ରଦାନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀ ଭାଇଭଉଣୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଏବଂ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ରିପୋର୍ଟ ଆଧାରରେ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ।

Leave A Reply

Your email address will not be published.