ଭାପୁର ବ୍ଲକ୍‌ରେ ୮୦ କୋଟି ମନରେଗା ଘୋଟାଲା: ପୁଣି ୭ ଅଧିକାରୀ ଫେରାଇବେ ୪୪ ଲକ୍ଷ ଟଙ୍କା

ଭାପୁର : ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ, ରାସ୍ତା ଏବଂ କୂଅ ଖୋଳା କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବଡ଼ ଦୁର୍ନୀତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ବର୍ତ୍ତମାନ ଘୋଟାଲା କରିଥିବା ସରକାରୀ ବାବୁମାନେ ଟଙ୍କା ଫେରାଉଛନ୍ତି। କିଛିଦିନ ପୂର୍ବେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ ହୋଇଥିଲା ବେଳେ ଆଜି ପୁଣି ପୂର୍ବତନ ବିଡିଓଙ୍କ ସମେତ ୬ ଜଣ ସରକାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ଜିଆର୍‌ଏସ୍‌, ଏପିଓ, ମୁଖ୍ୟ କିରାଣୀ, ଏସିପିଙ୍କଠାରୁ ମୋଟ୍ ୪୪ ଲକ୍ଷ ୬୭ ହଜାର ୪୬୧ ଟଙ୍କା ଆଦାୟ ପାଇଁ ବିଡିଙ୍କ ନିକଟରେ ଚିଠି ପହଞ୍ଚିଛି।

ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳର ବାଘୁଆପଲ୍ଲୀ, ବାଉଁଶବାଟୀ ଏବଂ କେନ୍ଦୁପଲ୍ଲୀ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନ‌ାରେ କାର୍ଯ୍ୟ ନ ହୋଇ କୋଟି କୋଟି ଟଙ୍କା କିଛି ନେତା, ସରକାରୀ ବାବୁ ଏବଂ ଠିକାଦାର ମିଳିମିଶି ଖାଇଯାଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଫଟୋଚିତ୍ର ସହିତ ଘଟଣା ପୃଷ୍ଠା ପରେ ପୃଷ୍ଠା ମଣ୍ତନ କରିଥିଲା। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଛାନ୍‌ଭିନ୍ ଆରମ୍ଭ ହୋଇଥିଲା। ତଦନ୍ତରେ ବିନା ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଥିଲା।

Comments are closed.