ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର

0

ନୟାଗଡ଼ (୧୬/୯) : ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ଉଚ୍ଚଶିକ୍ଷା କରିପାରିନଥିବା ଯୋଗଜନ୍ମା ପଣ୍ଡିତ ବିନାୟକ ମିଶ୍ର ନିଜ ଅଧ୍ୟବସାୟ, ନିଷ୍ଠା, ଶିକ୍ଷାପ୍ରତି ଗଭୀର ଅନୁରକ୍ତି ପାଇଁ ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇପାରିଥିଲେ।
ସାରା ଜୀବନ ଅଧ୍ୟୟନ ତଥା ସାହିତ୍ୟ, ଇତିହାସ ଗବେଷଣାରେ ନିମଗ୍ନ ଥିବା ଏହି ମହାନ୍ ସାହିତ୍ୟିକ ଆର୍ଥିକ ତଥା ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ଶିକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସୃଷ୍ଟି କରିଯାଇଛନ୍ତି ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ,ଯାହା ଆଜି ଆମ ସାହିତ୍ୟ ଓ ଇତିହାସ ପାଇଁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ। କଲିକତା ବିଶ୍ଵବିଦ୍ୟାଳୟ ରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ , ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, Dynasties of Medieval Orissa, Orissa under Bhauma king, Indian culture and cult of Jagannath ସାହିତ୍ୟର ଅମୂଲ୍ୟ ସଂପଦ ବୋଲି ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ମାଳିସାହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସାରସ୍ଵତ ସାଧକଙ୍କ୧୩୩ ତମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ଆନୁକୂଲ୍ୟରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସୁସାହିତ୍ୟିକା ବସିରନ୍ ବିବି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତୀ ସମାରୋହରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ତଥା ଦୂରଦର୍ଶନ ର ଅବସର ପ୍ରାପ୍ତ ସମାଚାର ବିଭାଗୀୟ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର; ମଲ୍ଲିକା ର ସଂପାଦକ ସୁଶାନ୍ତ କୁମାର ପଣ୍ଡା; ଡା.ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର ଯୋଗଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ,ସାଧନା ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ କେନ୍ଦ୍ର , ଭାରତୀୟ ଭାଷା ସଂସ୍ଥାନ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଗବେଷକ ଡ଼.ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ ଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ଏବଂ ସଂସ୍କୃତି ପ୍ରଚାରକ ତଥା ଚଳଚ୍ଚିତ୍ର ଏଡ଼ିଟର ରୋହନ ମହାପାତ୍ର ଙ୍କୁ ତଥାସ୍ତୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶତାଧିକ +୨,+୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ସ୍ବରଚିତ କବିତା ଲିଖନ , କବିତା ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭୂପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ନିମନ୍ତ୍ରିତ କବି ମାନେ କବିତା ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ ର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ଯୁବ କବି ଓ କଥାକାର ପ୍ରଭୁଦତ୍ତ ପ୍ରଧାନ, ସମାଜସେବୀ ଗଗନ ବିହାରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ତଥାସ୍ତୁର ସହ ସଂପାଦକ ଗୋକୁଳ କୁମାର ଷଡଙ୍ଗୀ। ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.