ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ ପାଇବେ କିଶୋରୀ ଚରଣ ଦାସ ସ୍ମୃତି ପୁରସ୍କାର

ବାଲେଶ୍ଵର, ୨୪/୨(କୃଷ୍ଣ କୁମାର ମହାନ୍ତି) ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ବରୂପ ତାଙ୍କୁ କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର, ଉପଢୌକନ ଓ ପାଞ୍ଚ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ଖଂଗାର’ ଟାଇମପାସ ବେଷ୍ଟସେଲର ପୁରସ୍କାର-୨୦୨୧ ପାଇବା ସହ ୨୦୨୦ ଓ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ ମଞ୍ଚ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ଅଭିନୟ ସହ ଦୂରଦର୍ଶନ ଓ ଆକାଶବାଣୀରେ ଉପସ୍ଥାପନା କରି ଲୋକପ୍ରିୟ ହୋଇଛନ୍ତି। ସଂପ୍ରତି ସେ ଶିକ୍ଷା ବିଭାଗରେ ସିଆରସିସି ଭାବେ କାର୍ଯ୍ୟରତ ଥିବାବେଳେ ଗ୍ଲୋବାଲ ଲାଇଫରେଚର ଫାଉଣ୍ଡେସନର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା, ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ, ଆକାଶବାଣୀ ଭବାନୀପାଟଣାର ଉଦଘୋଷକ ଭାବେ ସକ୍ରିୟ ଅଛନ୍ତି। ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଗଦ୍ୟାଂଶ ପତ୍ରିକା ପ୍ରଦତ୍ତ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ୱାର୍ଲ୍ଡ ଆସୋସିଏସନ ଫର ଆର୍ଟ ଏଣ୍ଡ କଲଚର ପକ୍ଷରୁ ଆୟୋଜିତ ୩୯ତମ ବିଶ୍ବ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ କାର୍ଯ୍ୟକ୍ରମରେ ଅତିଥି ଲେଖକ ଭାବେ ଯୋଗ ଦେଇଛନ୍ତି। ୪୦ ବର୍ଷରୁ କମ ଯୁବ ଲେଖକମାନଙ୍କ ଦ୍ୱାରା ରଚିତ ଗଳ୍ପ, ଉପନ୍ୟାସ ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ କଟକ ଶତାବ୍ଦୀ ଭବନ ଠାରେ କିଶୋରୀ ଚରଣ ଜନ୍ମ ଶତବାର୍ଷିକୀ ସମାରୋହରେ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.