ସୁରୁଖୁରୁରେ ହେବ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଖରାକୁ ଦୃଷ୍ଟିରେ ରହିବ ବ୍ୟବସ୍ଥା: ଜିଲ୍ଲାପାଳ

ଭୁବନେଶ୍ବର: ଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରାଥଯାତ୍ରାର ସୂପରିଚାଳନା ନିମନ୍ତେ ଶନିବାର ସମନ୍ୱୟ ବୈଠକ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପାଳ କହିଛନ୍ତି, ଖରାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ହୋଇଛି ଏବଂ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନ ପାଳିତ ହେବ। ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଏପ୍ରିଲ ୨୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପୂର୍ବବର୍ଷମାନଙ୍କ ପରି ଚଳିତ ବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ କିଭଳି ପାଳନ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି।

ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି କହିଛନ୍ତି, ସମନ୍ବୟ ବୈଠକ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରଥ ଅନୁକୂଳ ଓ ନିର୍ମାଣ ନିମନ୍ତେ ପାଳିଆ ମହାରଣାମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ଗତ ୨୨ତାରିଖରେ ବଲ୍ଲଭ ଧୂପ ପରେ ରଥ ଅନୁକୂଳ କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ସଂପୂର୍ଣ୍ନ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ନିମନ୍ତେ ମହାରଣା ସେବାୟତମାନେ ସମ୍ମତି ପ୍ରଦାନ କରିଛନ୍ତି। ୧୫ ତାରିଖ ଦିନ ରଥ ପ୍ରତିଷ୍ଠା ନିର୍ଦ୍ଧାରିତ ସମୟରେ ଶେଷ ହେବା ସହ ୧୬ ତାରିଖ ଦିନ ସେବା ନୀତି ଯଥାଶୀଘ୍ର ଶେଷ କରାଯାଇ ରଥ ଉପରେ ଆବଶ୍ୟକୀୟ ପୂଜା କରି ନିର୍ଦ୍ଧାରିତ ସମୟରେ ରଥ ଟଣା ହୋଇପାରିବ। ଭିଡକୁ ଦୃଷ୍ଟିରେ ରଖି ଅଶୋକାଷ୍ଟମୀ ଦିନ ଭୋର ୫ ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବ। ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପରିଚାଳନା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ସହ ଆଲୋଚନା କରି ଦାୟିତ୍ବ ବଣ୍ଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ, ଦମକଳ ବିଭାଗ, କମିସନେରେଟ ପୁଲିସ, ୱାଟକୋ, ବିଡିଏ, ଟିପିସିଓଡିଏଲ, ପ୍ରତ୍ନତତ୍ତ୍ୱ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗକୁ ଦାୟିତ୍ୱ ଦିଆଯାଇଛି।

ଆଜିର ଏହି ବୈଠକରେ ବ୍ରାହ୍ମଣ ନିଯୋଗ, ଡାହୁକ ତଥା କାଳିସୀ ସେବାୟତ, ପାଳିଆ ମହାରଣା ସେବାୟତ ଓ ମନ୍ଦିର ପ୍ରଶାସନ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ସହଯୋଗ କରିବା ସାଙ୍ଗକୁ ସୁପରିଚାଳନା ପାଇଁ ଆଲୋଚନା କରି ସହମତି ଜଣାଇଛନ୍ତି।

Comments are closed.