ଗଣତନ୍ତ୍ର ବିରୋଧି, ସମ୍ବିଧାନ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତର ତୀବ୍ର ବିରୋଧ କରିବ ନବନିର୍ମାଣ ସଂଗଠନ

0

ଭୁବନେଶ୍ବର, ୨୨!୧୦: ଆଗାମୀ ଅକ୍ଟୋବର ୨୫ ତାରିଖରେ ଗଣତନ୍ତ୍ର ବିରୋଧି, ସମ୍ବିଧାନ ବିରୋଧି ଓ ସାଧାରଣ ମଣିଷର ସ୍ବାର୍ଥ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନ ତୀବ୍ର ବିରୋଧ କରିବ ବୋଲି ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଆଜି ସତ୍ୟନଗର ସ୍ଥିତ ଭୁବନେଶ୍ବର କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବ୍ୟକ୍ତିର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଆଦାନୀ, ଆମ୍ବାନୀ ଇତ୍ୟାଦି ପୁଞ୍ଜିପତିର ଦଲାଲ ହୋଇ କାମ କରୁଥିବା ବେଳେ ସାଧାରଣ ବ୍ୟକ୍ତିର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ  ଅଧିକାର ପାଇଁ  ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମକର୍ତ୍ତାକୁ ପୋଲିସ ଭଳି ସରକାରୀ ଗୁଣ୍ଡାର ଅପବ୍ୟବହାର କରି ଚୁପ୍ କରାଇବା ପାଇଁ ପ୍ରୟାସ ଚଳାଇଛନ୍ତି, ଯାହା ଏକଛତ୍ରବାଦୀ ଫାସୀବାଦି ହିଟଲର ପନ୍ଥୀର ନମୁନା ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ କୁମାର ପ୍ରକାଶ କରିଥିଲେ।

ଓଡ଼ିଶାରେ ଜଳ, ଜଙ୍ଗଲ, ଜମି ଓ ଖଣିଗୁଡ଼ିକୁ ଆମ୍ବାନୀ, ଆଦାନୀ, ଇତ୍ୟାଦି ପୁଞ୍ଜିପତି ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବାଧିନ ଡବଲ ଇଂଜିନ୍ ସରକାର ଶାଗ, ମାଛ ମୂଲ୍ୟରେ ବିକି ଦେଉଥିବା ବେଳେ ତାର ଅହିଂସକ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବାକୁ ଆଗକୁ ବଢ଼ୁଥିବା ଚାଷୀ, ଆଦିବାସୀ ମାନଙ୍କୁ ମିଛ କେସ୍  ଲଗାଇ ମାସ ମାସ ବର୍ଷ ବର୍ଷ କାଳ ଜେଲରେ ସଢ଼ା ଯାଉଛି ବା ପୋଲିସର ଲାଠି, ଗୁଳିର ଶୀକାର ହେବାକୁ ପଡୁଛି। ଏହା କେବଳ ବିକାଶ ନାମରେ ବିନାଶର ତାଣ୍ଡବଲୀଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହା ବର୍ତ୍ତମାନର ରାୟଗଡ଼ା ଜିଲ୍ଲା ସିଜିମାଳିର ଉଦାହରଣରୁ ସ୍ପଷ୍ଟ ଭାବେ ଅନୁମାନ କରିହେବ। ସେଥିପାଇଁ ମୋଦୀଙ୍କୁ ବିରୋଧ କରିବା ଯଥାର୍ଥ ଅଟେ।

ଠିକ୍ ସେହିପରି ୨୦୨୦-୨୧ ଦିଲ୍ଲୀର ଚାଷୀ ଆନ୍ଦୋଳନରେ ୭୫୦ରୁ ଅଧିକ ଚାଷୀମାନେ ସହୀଦ ହୋଇ ଦେଢ଼ ବର୍ଷ କାଳ ରାଜରାସ୍ତାରେ ବସିରହିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ୨୩ଟି ଫସଲରେ ଏମ.ଏସ.ପି ବା ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ ଘୋଷଣା ନକରି ଚାଷୀ ମାରଣ ନୀତିର ସମର୍ଥକ ସାଜିଛନ୍ତି, ଯାହା ଫଳରେ ଚାଷୀ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି। ଯାହା ଆତ୍ମହତ୍ୟା ନୁହେଁ, ବରଂମ୍  ନରେନ୍ଦ୍ର ମୋଦୀ ସରକାର ଚାଷୀମାନଙ୍କୁ ହତ୍ୟା କରୁଛନ୍ତି ବୋଲି ସ୍ବୀକାର କରିବାକୁ ପଡ଼ିବ।

ଦିଲ୍ଲୀରେ ନିଟ୍ ପେପର ଲିକ୍ କେଳଙ୍କାରୀ ପରେ ସିଜେପି ଆନ୍ଦୋଳନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରେ ୧୬୭୮ଟି ଭୁଲ୍ ଥିବା ସରକାର ସ୍ବୀକାର କଲାପରେ ମଧ୍ୟ କ୍ରମାଗତ ଆନ୍ଦୋଳନ ସତ୍ତ୍ବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ବ ନେଇ ଇସ୍ତଫା ନଦେବା ଏବଂ ଠିକ୍ ବହି ପିଲାମାନଙ୍କ ପାଖରେ ଏପର୍ଯ୍ୟନ୍ତ ନପହଞ୍ଚିବା ଦ୍ବାରା ୧ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବା ପ୍ରତ୍ୟେକ୍ଷ ଭାବରେ ଓଡ଼ିଶା ସରକାର ବା ପରୋକ୍ଷରେ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ମତ ପ୍ରକାଶ ପାଇଥିଲା।

ଆଜି ଭାରତବର୍ଷରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପବ୍ୟବହାର କରି ଏସ.ଆଇ.ଆର ପ୍ରକ୍ରିୟାରେ ୧୩ କୋଟି ୩୦ ଲକ୍ଷ ଲୋକଙ୍କର ଭୋଟ ଦେବାର ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବା, ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତତ୍ ସହିତ ଗଣତନ୍ତ୍ର ବିରୋଧି ସମ୍ବିଧାନ ବିରୋଧି ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭୋଟ ଅଭିଯୋଗରେ ଗାଦି ଛାଡ଼ିବାକୁ ଚାଲିଥିବା ଗଣତାନ୍ତ୍ରିକ ସାମ୍ବିଧାନିକ ଆନ୍ଦୋଳନକୁ ପୋଲିସ ଗୁଣ୍ଡାଗିରି ମାଧ୍ୟମରେ ଦବାଇ ଦେବାର ଘୃଣ୍ୟ ପ୍ରୟାସକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। କେବଳ ତ୍ରିରଙ୍ଗା ପତାକା ଉଡ଼ାଇ ପ୍ରତିବାଦ କଲେ ମଧ୍ୟ ଜେଲ୍ କୋଠରୀ  ଭିତରେ ବିତେଇବାକୁ ପଡ଼ିବ ବୋଲି କକ୍ରୋଚ୍ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ ରାଷ୍ଟ୍ରୀୟ ନେତା ଆଶୁତୋଷ ରାଙ୍କାର ଉଦାହରଣରୁ ଏହା ଆହୁରି ସ୍ପଷ୍ଟ ହୋଇଯାଇଛି।

ଏତତ୍ ବ୍ୟତୀତ ଗୋଦୀ ମିଡ଼ିଆ ମାଧ୍ୟମରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ବଦନାମ କରିବାର ପ୍ରୟାସ କରାଯାଉଥିବା ବେଳେ ସାମାଜିକ ଗଣମାଧ୍ୟମର ସ୍ବରକୁ ଚାପିଦେବା ପାଇଁ ସାମାଜିକ ଗଣମାଧ୍ୟମର ତନ୍ତ୍ରଗୁଡ଼ିକୁ ଏବଂ ସାମାଜିକ କର୍ମୀମାନଙ୍କର ପ୍ରୟାସକୁ ସଂକୁଚିତ କରିବାର ସରକାରୀ ଘୃଣ୍ୟ ପ୍ରୟାସକୁ ଦୃଢ ନିନ୍ଦା କରିବା ସହିତ ଏଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ଦାୟୀ ବୋଲି ମତ ପ୍ରକାଶ ପାଇଥିଲା।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ଓ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ, ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଠା ଡା. କୁଳମଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.