ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

 

==================

ମହର୍ଷି ବାଲ୍ମୀକି ବ୍ରହ୍ମଜ୍ଞାନ ଲାଭକରି ତମସାନଦୀ ତଟରେ ଆଶ୍ରମ ଗୋଟିଏ ସ୍ଥାପନକରି ରହୁଥାନ୍ତି l ତମସା ତୀରରେ ସେ ବିଚରଣ କରୁଥିଲା ବେଳେ ଦିନେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ବାଲ୍ମୀକି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ପଚାରିଲେ,ହେ ମହାମୁନି ମୋତେ ଆପଣ କୁହନ୍ତୁ ସଂସାରରେ କଣ ଏପରି କୌଣସି ପୁରୁଷ ଅଛନ୍ତି, ଯିଏ ସମସ୍ତ ଦିବ୍ୟ ଗୁଣ ମାନଙ୍କର ଆଧାର l ଯିଏ ପୁଣି ଏକାଧାରାରେ ବୀର, ଧୀର, ଧର୍ମଜ୍ଞ, କୃତଜ୍ଞ, ସତ୍ୟବ୍ରତ, ସଚ୍ଚରିତ୍ର ଏଵଂ ସମସ୍ତ ପ୍ରାଣୀଙ୍କ ପାଇଁ ମଙ୍ଗଳକାରୀ,ପଣ୍ଡିତ, ସୁଦର୍ଶନ ଇତ୍ୟାଦି l ନାରଦ ବାଲ୍ମିକୀଙ୍କ ପ୍ରଶ୍ନ ଶୁଣି, ଟିକିଏ ଚିନ୍ତାକରି କହିଲେ, ହଁ,ତୁମେ ଯେଉଁ ଗୁଣାବଳୀ କଥା କହିଲ ଏସବୁର ସମାହାର ଜଣେ ବ୍ୟକ୍ତି ଭିତରେ ପାଇବା ତ ଏହି ସଂସାରରେ ଦୁର୍ଲଭ l ତଥାପି ସଂସାରରେ ଜଣେ ବ୍ୟକ୍ତି ଅଛନ୍ତି, ସିଏ ଏ ସମସ୍ତ ଗୁଣର ଅଧିକାରୀ l ସେ ଇକ୍ଷାକୁବଂଶରେ ଜନ୍ମିତ ଏବଂ ରାମ ନାମରେ ଖ୍ୟାତ l ଏହାକହି ଦେବର୍ଷି ପ୍ରଭୁ ଶ୍ରୀରାମଙ୍କ ଗୁଣ ବର୍ଣ୍ଣନା କଲେ ଓ ତାଙ୍କର ସୌମ୍ୟ ସୁଦର୍ଶନ ରୂପ କଥା, ବାଲ୍ମିକୀଙ୍କୁ କହିଲେ l ବାଲ୍ମୀକି ଯେଉଁ ସବୁ ଗୁଣାବଳୀ କଥା କହି ଦେବର୍ଷିଙ୍କୁ ପ୍ରଶ୍ନ କରିଥିଲେ ସେସବୁ ଗୁଣ ଧାରଣକାରୀ ପ୍ରଭୁ ଶ୍ରୀରାମ ବୋଲି ତାଙ୍କଠାରୁ ଶୁଣି, ସେ ପ୍ରଭୁଙ୍କ ବିଷୟରେ ଆହୁରି କିଛି ଜାଣିବାନିମନ୍ତେ ଉତ୍କଣ୍ଠିତ ହୋଇ ପଡ଼ିଲେ l ସେ ନାରଦଙ୍କୁ ପ୍ରଶ୍ନପରେ ପ୍ରଶ୍ନ ପଚାରି ଚାଲିଲେ l ଦେବର୍ଷି ନାରଦ ଉତ୍ତର ଛଳରେ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଜୀବନ ଚରିତ ମହର୍ଷି ବାଲ୍ମିକୀଙ୍କୁ ଶୁଣାଇ ଚାଲିଲେ l ସର୍ବ ଶେଷରେ ନାରଦ କହିଲେ, ପ୍ରଭୁ ରାମ, ରାମ ରାଜ୍ୟ ପ୍ରତିଷ୍ଠା କରିବେ l ତାଙ୍କ ରାମ ରାଜ୍ୟରେ ସମସ୍ତ ପ୍ରଜା ଚରିତ୍ରବାନ ହେବେ ଏଵଂ ସେହି ରାମରାଜ୍ୟ ପରମ ଶାନ୍ତିସହ ଦୁଃଖ ଶୋକ ରହିତ ହେବ l ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରିବେ l ବହୁ ଅଶ୍ୱମେଧ ଯଜ୍ଞକରି ତଥା ସୁଦୀର୍ଘ କାଳ ଶାସନ କରି,ଶ୍ରୀରାମ ଇହ ଲୀଳା ସମ୍ବରଣ କରିବେ l ତୁମେ ଶ୍ରୀ ରାମଙ୍କର ଏହି ଗାଥା କାବ୍ୟ ରଚନା କର l ଏହି ପାପ ନାଶକ, ପୁଣ୍ୟ ପ୍ରଦାୟୀ ଓ ପବିତ୍ର ରାମଗାଥା କାବ୍ୟ, ରାମାୟଣ ନାମରେ ବିଖ୍ୟାତ ହେବ l ଏହି କାବ୍ୟକୁ ଯିଏ ଶୁଣିବ ସିଏ ସମସ୍ତ ପାପରୁ ମୁକ୍ତ ହେବ l

ଇଦଂ ପବିତ୍ରମ୍ ପାପଘ୍ନମ୍

ପୁଣ୍ୟମ୍ ବେଦୈଶ୍ଚ ସମ୍ମିତମ୍ l

ଯଃ ପଠେଦ୍ରାମଚରିତଂ

ସର୍ବ ପାପୈ ପ୍ରମୁଚ୍ୟତେ ll

ନାରଦଙ୍କ ଠାରୁ ପୁଣ୍ୟ ଶ୍ଳୋକ ରାମଚନ୍ଦ୍ରଙ୍କ ଚରିତ ଶିଷ୍ୟମାନଙ୍କ ଗହଣରେ ମହାମୁନି ବାଲ୍ମୀକି ଶୁଣି ଦିବ୍ୟ ଆନନ୍ଦ ଓ ଅତିଶୟ ସନ୍ତୋଷ ଲାଭକଲେ l ସେ ଦେବର୍ଷିଙ୍କ ଉପଯୁକ୍ତ ପୂଜା ତଥା ସତ୍କାର କରି ବିଦାୟ ଦେଲେ l ଦେବର୍ଷିଙ୍କ ପ୍ରସ୍ଥାନପରେ ମହର୍ଷି ବାଲ୍ମୀକି ବହୁ ସମୟଧରି ପ୍ରଭୁଙ୍କୁ ଧ୍ୟାନ କରି ତାଙ୍କ ସମସ୍ତ ଚରିତ ଚିନ୍ତା କରିବାକୁ ଲାଗିଲେ l

ଦିନେ ସେ ତାଙ୍କ ଶିଷ୍ୟ ମାନଙ୍କ ଗହଣରେ ନିତ୍ୟ କର୍ମ ସମାପନ ତଥା ହବନ ପାଇଁ ସମୀଧ ସଂଗ୍ରହ ଉଦ୍ଦେଶ୍ୟରେ ଗଙ୍ଗା ଅଭିମୁଖେ ଯାତ୍ରା କରୁ ଥାନ୍ତି l ପଥରେ ତମସାର ନିର୍ମଳ ଜଳ ଦେଖି, ସେଠାରେ ସେ ସ୍ନାନ କରିବାକୁ ଇଛାକଲେ l ସେ ସ୍ନାନ ପାଇଁ ଘାଟକୁ ଅବତରଣ କରୁଛନ୍ତି ଦେଖିବାକୁ ପାଇଲେ ମୈଥୁନରତ ଏକ କ୍ରୌଞ୍ଚପକ୍ଷୀ(ସାରସ) ଦମ୍ପତ୍ତିଙ୍କୁ ଏକ କ୍ରୁର ବ୍ୟାଧ ଶର ବିଦ୍ଧ କଲା l ତୀରାଘାତରେ ପୁରୁଷପକ୍ଷୀଟି ସେହିଠାରେ ପଡ଼ି ଛଟପଟ ହୋଇ କରୁଣ ଭାବେ ପ୍ରାଣତ୍ୟାଗ କଲା l ବ୍ୟଥିତ ହୋଇ ମାତା ସାରସ କରୁଣ କ୍ରନ୍ଦନ କରିବାକୁ ଲାଗିଲା l କରୁଣ ଶୋକମୟ ଦୃଶ୍ୟ ସଂଦର୍ଶନକରି ମହର୍ଷିଙ୍କ ହୃଦୟ ଶୋକରେ ବିଗଳିତ ହୋଇ ଗଲା l ମହର୍ଷି ବ୍ୟାଧକୁ ଧିକ୍କାର କରି କହିଲେ,ରେ କ୍ରୁର ନିଷାଦ ! ତୁ କେବେ ମଧ୍ୟ ପ୍ରତିଷ୍ଠା ଲାଭ କରି ପାରିବୁ ନାହିଁ l କାରଣ ତୁ ମିଥୁନ ରତ ଏ କ୍ରୌଞ୍ଚ ପକ୍ଷୀଙ୍କ ମଧ୍ୟରୁ ନିଷ୍ଠୁର ଭାବେ ଜଣକୁ କାମାସକ୍ତ ଥିବା ଅବସ୍ଥାରେ ବଧ କରିଛୁ l କ୍ରୋଧ ଜର୍ଜରିତ ମହର୍ଷି ବାଲ୍ମିକୀଙ୍କ ମୁଖରୁ ଶାପଯୁକ୍ତ ଶ୍ଳୋକଟିଏ ଵାହାରି ଆସିଲା :-

ମା ନିଷାଦ ପ୍ରତିଷ୍ଠାଙ୍ଗ ତ୍ୱମଗମଃ

ଶାଶ୍ଵତିଃ ସମାହଃ l

ୟତ୍ କ୍ରୋଉଁଚମିଥୁନା ଦେକମବଧିହିଃ

କାମ ମୋହିତମ୍ ll

ବାଲ୍ମୀକି ବ୍ୟାଧକୁ ଅଭିଶାପ ଦେଇସାରି ଭାବିବାକୁ ଲାଗିଲେ,ଏହି ପକ୍ଷୀର ଦୁଃଖରେ ବ୍ୟଥିତ ହୋଇ ମୁଁ କ’ଣ କହି ପକାଇଲି l ସେ ଶିଷ୍ୟ ଭରଦ୍ୱାଜଙ୍କୁ

ଡାକି କହିଲେ, ଦେଖ, ଶୋକାର୍ତ୍ତ ଅବସ୍ଥାରେ ମୋ ତୁଣ୍ଡରୁ ଏ ପାଦବଦ୍ଧ ବାକ୍ୟ ବାହାରି ପଡ଼ିଲା ତାହା ଶ୍ଳୋକ ନାମରେ ବିଖ୍ୟାତ ହେବ l ଭରଦ୍ୱାଜ ଏହି ଶ୍ଲୋକଟିକୁ ମୁଖସ୍ତ କରିନେଲେ l

ବାଲ୍ମିକୀଙ୍କ ଶୋକରୁ ନିର୍ଗତ ଏହି ଉକ୍ତି ଜଗତରେ ଶ୍ଳୋକ ନାମରେ ବିଦିତ ହେଲା ଓ ଏହାହିଁ ହେଲା ସଂସ୍କୃତ ସାହିତ୍ୟର ଆଦି ଶ୍ଳୋକ l

ବାଲ୍ମୀକି ତମସାରେ ସ୍ନାନ କରି ଆଶ୍ରମକୁ ଫେରି ଆସିଲେ l କିଛି ସମୟର ଧ୍ୟାନ ପରେ ଆଶ୍ରମରେ ଉପବେଶନ କରିଛନ୍ତି, ଏହି ସମୟରେ ପ୍ରଜାପତି ବ୍ରହ୍ମା ଆସି ସେଠାରେ ଉପସ୍ଥିତ ହେଲେ l ଆନନ୍ଦ ସହକାରେ ମହର୍ଷି ତାଙ୍କର ଚରଣବନ୍ଦନା କଲେ l

ବ୍ରହ୍ମାଙ୍କୁ କୁଶାସନରେ ବସାଇ ସେ କ୍ରୋଉଞ୍ଚ ପକ୍ଷୀ ନିଧନ ଜନିତ ଶୋକରୁ ଯେଉଁ ଶ୍ଲୋକଟିକୁ ରଚନା କରିଥିଲେ ତାହା ତାଙ୍କୁ ଆବୃତ୍ତି କରି ଶୁଣାଇଲେ l ପିତାମହ କହିଲେ,” ହେ ମୁନି ! ତୁମେ ଶୋକରୁ ଯାହା ରଚନା କରିଛ ଏବଂ ଯାହା ରଚନା କରିବ ତାହା ଶ୍ଳୋକ ନାମରେ ସୁବିଖ୍ୟାତ ହେବ l ମୋର ଇଛାରେ ହିଁ ଏହି ଉକ୍ତି, ତୁମର ତୁଣ୍ଡରୁ ଉଚ୍ଚାରିତ ହୋଇଛି ଏବଂ ମା’ ବାଗ୍ଦେବୀ ତୁମଠାରେ ପ୍ରସନ୍ନ ହୋଇଛନ୍ତି l ତୁମେ ବର୍ତ୍ତମାନ ସମଗ୍ର ରାମକଥା, ଓ ରାମ ଚରିତକୁ ଶ୍ଳୋକ ବଦ୍ଧ କରି ରଚନାକର l ଯାହା ତୁମେ ଦେବର୍ଷି ନାରଦଙ୍କ ଠାରୁ ଶୁଣି ଅଛ, ଜ୍ଞାତ, ଅଜ୍ଞାତ, ସେ ସମସ୍ତ ବିଷୟ ବର୍ଣ୍ଣନା କର l ଯାହା ଘଟିଛି ତାହା ତୁମେ ଜାଣ l ଯାହା ଘଟିବ ସେ ସବୁ ତୁମକୁ ଜଣା ପଡ଼ିଯିବ l ଏଥିରେ ବର୍ଣ୍ଣିତ ରହିଥିବା କୌଣସି କଥା ମିଥ୍ୟା ହେବନାହିଁ l ଯେ ପର୍ଯ୍ୟନ୍ତ ପୃଥିବୀରେ ନଦୀ ଏବଂ ପର୍ବତମାନ ରହି ଥିବେ, ସେ ପର୍ଯ୍ୟନ୍ତ ରାମାୟଣର କଥା ପ୍ରଚାରିତ ହେଉଥିବ ଓ ସେ ପର୍ଯ୍ୟନ୍ତ ତୁମେ ଏହି ଜଗତରେ ଅଧଃ ଓ ଉର୍ଦ୍ଧ୍ୱ ସର୍ବତ୍ର ରହିଥିବ l ଜଗତରେ ତୁମ କୀର୍ତ୍ତି ଅମର ହୋଇ ରହିବ l

ଯାବତ ସ୍ଥାସ୍ୟନ୍ତି ଗିରୟଃ

ସରିତଶ୍ଚ ମହୀତଳେ l

ତାବତ ରମାୟଣୀ କଥା

ଲୋକେଷୁ ପ୍ରଚରିଷ୍ୟତି ll

ଯାବଦ୍ରାମାୟାଣୀ କଥା

ତ୍ୱତକୃତା ପ୍ରଚରିଷ୍ୟତି l

ତାବଦୁର୍ଦ୍ଧ୍ୱମଧଶ୍ଚ ତ୍ଵଂ ମମ

ଲୋକେଷୁ ନିବତ୍ସ୍ୟସି ll

ପିତାମହ ଏହା କହି ମହର୍ଷିଙ୍କୁ ଆଶୀର୍ବାଦ ପ୍ରଦାନ କରି ଅନ୍ତର୍ଦ୍ଧାନ ହୋଇ ଗଲେ l ମହର୍ଷି ବାଲ୍ମୀକୀ ଭାବିବାକୁ ଲାଗିଲେ ତାଙ୍କର ଏହି ଶ୍ଳୋକ ରଚନା ଵିଧି ନିର୍ଦ୍ଧାରିତ ଏବଂ ଏବେ ବିଶ୍ୱ କଲ୍ୟାଣ ପାଇଁ ତାଙ୍କୁ ରାମାୟଣ ରଚନା କରିବାକୁ ହେବ l

ମହର୍ଷି ବାଲ୍ମୀକି, ଏହା ପରେ କୁଶାସନରେ ବସି ଧ୍ୟାନସ୍ଥ ହେଲେ l ରାମଚନ୍ଦ୍ରଙ୍କ ଜୀବନରେ ଯାହା ସବୁ ଘଟିଯାଇଛି ତାହା ସବୁ ତାଙ୍କ ଚକ୍ଷୁ ପଥରେ ଭାସି ଉଠିଲା l ସେ ବିଚିତ୍ର ପଦ,ଭାବ,ଅର୍ଥ ଆଦି ସଂଯୋଜନା କରି 24 ହଜାର ଶ୍ଳୋକ,ପାଞ୍ଚ ଶହ ସର୍ଗ ତଥା ଛଅ କାଣ୍ଡରେ ପୁଣ୍ୟ କାବ୍ୟ ରାମାୟଣ ରଚନା ସମାପ୍ତ କଲେ l

ପୁଣ୍ୟକାବ୍ୟ ରାମାୟଣ ନାରଦ ବର୍ଣ୍ଣନା କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଚରିତ l

ସମ୍ପୂର୍ଣ ରାମାୟଣରେ ପ୍ରଭୁ ଶ୍ରୀରାମ ତାଙ୍କ କାର୍ଯ୍ୟ ଓ କର୍ମରେ ମର୍ଯ୍ୟାଦା ଲଂଘନ କରି ନାହାଁନ୍ତି ଏବଂ ନିଜର ନାମକୁ, ମର୍ଯ୍ୟାଦା ପୁରୁଷୋତ୍ତମ ନାମରେ ସାର୍ଥକ କରିଛନ୍ତି l ଏପରିକି, ମାତା କୈକେୟୀଙ୍କ ଚକ୍ରାନ୍ତରେ ତାଙ୍କୁ ବନବାସ ଯିବାକୁହେଲା, ଅଥଚ ବନଗମନ ବେଳେ ସେ କୈକେୟୀଙ୍କୁ କହିଗଲେ ମୋର ପରମ ସୌଭାଗ୍ୟ ଯେ, ମୁଁ ପିତା ମାତାଙ୍କ ବଚନ ପାଳନ କରିବାକୁ ଯାଉଛି l ସନ୍ଥ ତୁଳସୀ ଦାସଙ୍କ ଭାଷାରେ:-

ସୁନୁ ଜନନୀ ସୋଇ ସୁତୁ ବଡ଼ ଭାଗୀ l

ଯୋ ପିତୁ ମାତୁ ବଚନ ଅନୁରାଗୀ ll

ତନୟ ମାତୁ ପିତୁ ତୋଷନିହାରା l

ଦୁର୍ଲଭ ଜନନୀ ସକଲ ସଂସାରା ll

🙏🙏🙏

ଅର୍ଜୁନୀ

—————

ଅର୍ଜୁନୀ ଚରଣ ବେହେରା

ମୋ – ୭୬୯୩୦୯୧୯୭୧

Comments are closed.