ଐତିହାସିକ ହରିରାଜପୁର ମେଲଣ

ଅର୍ଜୁନୀ ଚରଣ ବେହେରା

ଐତିହାସିକ ହରିରାଜପୁର ମେଲଣ
==================
ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ ମୂଳତଃ ପଶ୍ଚିମ ଭାରତର ଅଧିଷ୍ଠାତା ହୋଇ ଥିବାରୁ ଏହି ମହାଦେବଙ୍କୁ ସ୍ଥାନୀୟ ଲୋକମାନେ ପଶ୍ଚିମାଶମ୍ଭୁ ବୋଲି କହିଥାନ୍ତି l ଆହୁରି କେତେକ ମତ ଦିଅନ୍ତି ଯେ ଏଠାରେ ଲିଙ୍ଗ ପଶ୍ଚିମାଭିମୁଖୀ ହୋଇ ବିଜେ ଥିବାରୁ ତାଙ୍କୁ ପଶ୍ଚିମା ଶମ୍ଭୁ କୁହାଯାଏ l ହରିରାଜ ପୁର ନିକଟ ଭଁସର ଗ୍ରାମର ପ୍ରଭୁ ନୀଳକଣ୍ଠେଶ୍ଵର କଣ୍ଟିଆ ଗ୍ରାମର ବାଲୁଙ୍କେଶ୍ୱର ଓ କେଦାରେଶ୍ୱର, କୁସୁମାଟି ଗ୍ରାମର ଗତିଶ୍ୱରଦେବ ଆଦି ପାଞ୍ଚୋଟି ରାଜପ୍ରତିଷ୍ଠିତ ଲିଙ୍ଗଙ୍କୁ ନେଇ 1637 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁ ଦୋଳ ମେଲଣ l ଏବେ ଏଠାକୁ ଆସୁଥିବା ବିଗ୍ରହ ସଂଖ୍ୟା କ୍ରମେ ବୃଦ୍ଧି ପାଇ ପ୍ରାୟ ଏକ ଶହକୁ ଟପି ଗଲାଣି l ଅଞ୍ଚଳବାସୀ ମାନେ ମୁଠି ଭିକ୍ଷା ସଂଗ୍ରହ କରି 1637 ଖ୍ରୀଷ୍ଟାବ୍ଦରେ ଏହି ମେଲଣ ଆରମ୍ଭ କରିଥିଲେ l ଉତ୍କଳ ଗଜପତି ରାମଚନ୍ଦ୍ର ଦେବଙ୍କ ତୃତୀୟ ଅଙ୍କ 1568 ବେଳକୁ ହରିରାଜପୁର ଏକ ଅତିଘଞ୍ଚ ପାଣ୍ଡିଆ ଜଙ୍ଗଲରେ ପୂର୍ଣ୍ଣ ଥିଲା ଓ ଏହା ଗଣ୍ଡାରଣ୍ୟଭାବେ ପରିଚିତ ଥିଲା l ଗଜପତିମାନେ ଏହି ଅଞ୍ଚଳରେ ବେଣ୍ଟକ୍ରୀଡ଼ା ବା ଶିକାର କରୁଥିଲେ l ପାଣ୍ଡିଆ ଜଙ୍ଗଲକୁ ବଡ଼ ରଥି ପୁର ଗଡ଼ର ଅଧିପତି ରଣ ସିଂହଙ୍କ ଗୋରୁ ଗାଈ ଚରିବାକୁ ଯାଉଥିଲେ l ରଣ ସିଂହଙ୍କ ଏକ କାଳି ଗାଈ ଗୋଟିଏ ଉଇହୁଙ୍କା ଉପରେ ପ୍ରତିଦିନ ଠିଆ ହେଉଥିଲା l ଗାଈ ପହ୍ନାରୁ କ୍ଷୀର ଝରି ଉଈ ହୁଙ୍କା ଉପରେ ପଡୁଥିଲା l ଗୋରୁ ଜଗୁଆଳିଙ୍କ ଦୃଷ୍ଟିକୁ ଏହା ଆସିବାରୁ ସେମାନେ ରଣ ସିଂହଙ୍କୁ ଏକଥା ଜଣାଇଲେ l ରାଜା ରଣସିଂହ ଏହି ଅଲୌକିକ ଘଟଣା ସ୍ଵ ଚକ୍ଷୁରେ ଦେଖି ସତ୍ୟା ସତ୍ୟ ବିଷୟ ଅବଗତ ହେଲେ l ସେଠାରେ ପାଞ୍ଚ ଗୋଟି ଶିବଲିଙ୍ଗ ରହିଛନ୍ତି ବୋଲି ଦିନେ ତାଙ୍କୁ ସ୍ୱପ୍ନାଦେଶ ହେଲା, ସେ ଏକଥା ଗଜପତିଙ୍କ ନଜରକୁ ଆଣିଲେ l ଗଜପତି ଲୋକଲଗାଇ ସେ ଉଈହୁଙ୍କାକୁ ଖୋଳାଇ ସେଠାରୁ ହିରଣ୍ୟଗର୍ଭ ଏବଂ ଶକ୍ତି ସଂଯୋଜିତ ପାଞ୍ଚ ଗୋଟି ଶିବଲିଙ୍ଗ ପାଇଲେ l ମଝି ଲିଙ୍ଗଟି ଉପରେ ଗୋରୁ ଖୁରାର ଚିହ୍ନ ଥିଲା l ଗଜପତି ପ୍ରତାପରୁଦ୍ର ଦେବ ଏକଥା ଜାଣିଲା ପରେ ସେଠାରେ ଗୋଟିଏ ମନ୍ଦିର ନିର୍ମାଣ କରି, ଲିଙ୍ଗଙ୍କୁ ସ୍ଥାପନ କରାଇଲେ l ଏହି ଶିବପୀଠ ଉପରେ ସେଠିକା ଲୋକମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି l ଶିବ ପୀଠ ପାଖରେ ଏକ ପୁଷ୍କରିଣୀ ଅଛି ଯେଉଁଠାରେ ସ୍ନାନ କଲେ ଲୋକେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ଲାଭ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି l ଏହିଠାରେ ମେଲଣରେ ମିଳିତ ହୋଇଥାନ୍ତି ଶହେରୁ ଅଧିକ ଦୋଳବିମାନ l ହରିହର ଭେଟ ସହିତ ଉଦଯାପିତ ହୁଏ ମେଲଣ l
ହରିରାଜପୁର ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଆତସବାଜି ପ୍ରତିଯୋଗିତା l ଆଖପାଖ ଅଞ୍ଚଳର ମାନସିକ ଧାରୀ ବ୍ୟକ୍ତି ତଥା ବାଣୁଆ ମାନେ ଆସି ଆତସବାଜି ପ୍ରତିଯୋଗିତାରେ ଭାଗନେଇ ଥାନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ହରିରାଜପୁର ମେଲଣ କମିଟି ପୁରସ୍କୃତ କରିଥାଏ l ପୂର୍ବେ ଏହି ମେଲଣ ଗୃହ ଉପକରଣ ଏବଂ କୃଷି ସରଞ୍ଜାମ ସଂଗ୍ରହର ମୁଖ୍ୟ କେନ୍ଦ୍ର ଥିଲା l ଶୈବ ଆରାଧନାରେ ପାଞ୍ଚର ଗୁରୁତ୍ୱ ଅଧିକ l ପଞ୍ଚାକ୍ଷରମନ୍ତ୍ର, ପଞ୍ଚଶମ୍ଭୁ, ପଞ୍ଚମୁଖ ଶିବ ଏହାର ସୂଚନା ପ୍ରଦାନ କରିଥାଏ l ଏଠାରେ ପଞ୍ଚଶମ୍ଭୁ ପୂଜନ ପଞ୍ଚ ମହାଭୁତର ପୂଜନ ବୋଲି ଅଭିହିତ ହୋଇଥାଏ l କହିବାକୁ ଗଲେ ପାଞ୍ଚମନ ସଂଯତକରି ଏକ କରିବାର ପ୍ରୟାସ ଏ ପଞ୍ଚଶମ୍ଭୁ ଉପାସନା ଓ ପୂଜନ l
ବାଣରୋଷଣୀ,ଢୋଲ,ଟମକ,କାହାଳି, ଘଣ୍ଟଘଣ୍ଟା ବାଦ୍ୟନାଦ କରି ଓ ଭକ୍ତଗଣଙ୍କ ଅବିର ଖେଳ ଓ ହରିବୋଲଧ୍ୱନୀ ମଧ୍ୟରେ ହରିରାଜପୁର ମେଲଣ ପଡ଼ିଆ ଅଭିମୁଖେ ହଲି ଦୋହଲି ଗତି କରୁଥିବା ଦୋଳବିମାନ ଗୁଡ଼ିକୁ ଦର୍ଶନକଲେ ଭକ୍ତ କ୍ଷଣକେ କୃଷ୍ଣ ପ୍ରେମରେ ବିଭୋର ହୋଇ ପଡ଼େ l ଭକ୍ତର ମନେ ପଡ଼ିଯାଏ ଦ୍ୱାପରଯୁଗର କୃଷ୍ଣବଳରାମଙ୍କ ସେହି ମଥୁରାଦାଣ୍ଡରେ ଗମନର ଦୃଶ୍ୟ l ଅପୂର୍ଵ ସେ ଦୃଶ୍ୟକୁ ମଥୁରା ମଙ୍ଗଳରେ ବର୍ଣ୍ଣନାକରିଛନ୍ତି ବୈଷ୍ଣବ କବି ଭକ୍ତ ଚରଣ ଦାସ :-
କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ l
କରନ୍ତି ମଥୁରା ବିଜୟେ ଦଣ୍ଡେ ଦେଖ ସଙ୍ଗାତ ll
ଖସି ପଡୁ଼ଛିକି ଆକାଶୁ କି ଏ ଗଙ୍ଗା ଯମୁନା l
କ୍ଷୀରସଙ୍ଗେ ପ୍ରାଣଶୋଷିଲେ ନାଶଗଲା ପୁତନା ll
***
ଉଇଁ ଆସୁଛିକି ପୂର୍ଣ୍ଣିମା ଶଶୀ ମଧୁ ସାଗରୁ l
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ ll
ଆଧୁନିକତା ସ୍ପର୍ଶରେ ଆମର ବହୁ ପରମ୍ପରା ଆଜି ଲୁପ୍ତ ହୋଇ ଯାଇଛି l କିନ୍ତୁ ହରିରାଜପୁରର ଏହି ପ୍ରସିଦ୍ଧ ଐତିହାସିକ ଦୋଳ ମେଲଣ, ଏ ଯାବତ୍ ତାର ପ୍ରସିଦ୍ଧି ବଜାୟ ରଖିଛି l
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.