ଗଧପାଦ ଧରିଲେ ଭଗଵାନ

 

================

ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କଲା ପରେ, ଧର୍ମରାଜ ଯୁଧିଷ୍ଠିର ପ୍ରସ୍ତାବ ରଖିଲେ ରାଜସୂୟ ଯଜ୍ଞ କରିବା ପାଇଁ l ଉପସ୍ଥିତ ସମସ୍ତ ସଭାସଦ ଓ ଭାଇ ମାନେ ଏହାକୁ ସ୍ୱାଗତ କଲେ l କିନ୍ତୁ ଶ୍ରୀକୃଷ୍ଣ କହିଲେ, ଧର୍ମରାଜ ! ତୁମେ ସବୁଦୃଷ୍ଟିରୁ ରାଜସୂୟ ଯଜ୍ଞ କରିବାପାଇଁ ଯୋଗ୍ୟ l କିନ୍ତୁ ମଗଧରାଜ ଜରାସନ୍ଧ ଜୀବିତ ଥିବା ପର୍ଯ୍ୟନ୍ତ ତୁମେ ଏହି ଯଜ୍ଞ କରିପାରିବ ନାହିଁ l ମହାପ୍ରତାପୀ ଶିଶୁପାଳ ତା’ ସେନାପତି l କରୁଷରାଜ ଦନ୍ତବକ୍ର, ଯବନ ରାଜା ମୃଗୁ,ତୁମ ପିତାଙ୍କର ମିତ୍ର ଭଗଦତ୍ତ ତା’ର ଵଶ୍ୟତା ସ୍ୱୀକାରକରିଛନ୍ତି l ମୋର ଶ୍ୱଶୁର ବିଦର୍ଭରାଜା, ଭୀଷ୍ମକ ମଧ୍ୟ ତାହା ସହିତ ଅଛନ୍ତି l କଂସର ନିଧନ ପରେ ତା ଆକ୍ରମଣ ସହ୍ୟ କରି ନ ପାରି, ମଥୁରା ତ୍ୟାଗ କରି, ଆମେ ଯାଦବ ମାନେ ବର୍ତ୍ତମାନ ଦ୍ୱାରିକାରେ ଯାଇ ବାସ କରୁଛୁ l ଏବେ ଛୟାଅଶି ଜଣ ରାଜାଙ୍କୁ ବଳି ଦେବାକୁ ଜରାସନ୍ଧ ବନ୍ଦିକରି ରଖିଛି l ତା’ ପ୍ରତାପରେ ସମଗ୍ର ଭାରତ ବର୍ଷ ଏବେ ଥରହର l ତୁମେ ଏହି ରାଜସୂୟ ଯଜ୍ଞ କରିବା ପୂର୍ବରୁ ଜରାସନ୍ଧକୁ ନିହତ କର ଓ ବନ୍ଦୀ ରାଜା ମାନଙ୍କୁ ଯାଇ ମୁକ୍ତକର l

ଯୁଧିଷ୍ଠିର କହିଲେ, ତୁମେ ମାନେ ଯେତେବେଳେ ଜରାସନ୍ଧ ଭୟରେ, ଯାଇ ଦ୍ୱାରକାରେ ରହିଲଣି, ଆମେ କିଏ ? ତାକୁ ପରାଜୟ କଥା ଛାଡ଼ିଦେଇ ଆମେ ନିଜରାଜ୍ୟରେ ଶାନ୍ତିରେ ରହିବାହିଁ ଉଚିତ ହେବ l ଛାଡ଼ନ୍ତୁ,ସେ ରାଜସୂୟଯଜ୍ଞ କଥା l ଭୀମ କହିଲେ ନାଁ ସେ କଥା ହେବନାହିଁ l ମୁଁ ଓ ଅର୍ଜୁନ ମାଧବଙ୍କ ସହ ମିଶି ତାକୁ ନିହତ କରିବୁ l

ଅର୍ଜୁନ କହିଲେ,ମୋ ପାଖରେ ଅଛି ଗାଣ୍ଡୀବଧନୁ ଓ ବହୁ ଦିବ୍ୟାସ୍ତ୍ର, ଶ୍ରୀକୃଷ୍ଣ ଆମ ପକ୍ଷରେ ଅଛନ୍ତି, ଏଣୁ ଜରାସନ୍ଧ ନିଧନ ପାଇଁ ଆମେ କି କାରଣେ ପଛାଇବା l ଶାନ୍ତିରେ ବସିବା,ଜଟା ବଳ୍କଳ ଧାରୀ ମୁନି ମାନଙ୍କୁ କେବଳ ଶୋଭା ପାଏ, ଦିଗବିଜୟୀ ସମ୍ରାଟଙ୍କୁ ନୁହେଁ l ଶ୍ରୀକୃଷ୍ଣ ଟିକିଏ ମୃଦୁ ହସ କରି କହିଲେ,ଅର୍ଜୁନ ଠିକ କହିଛନ୍ତି l ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ମଗଧ ଯିବା ପାଇଁ ଅନୁମତି ଦେଲେ l

ତିନିଜଣ ଯାଇ ମଗଧ ରାଜଧାନୀରେ ପହଞ୍ଚିଲେ l ସେତେବେଳେ ଜରାସନ୍ଧ ଯଜ୍ଞ କରୁଥାଏ l କାଳେ କେହି ଶତ୍ରୁ ତାହାର ପୁରକୁ ପଶି ଆସିବ ଆଶଙ୍କା କରି, ସେ ଜଗାଇ ଥିଲା ଜଣେ ମହୁରିଆ ଓ ଆଉ ଗୋଟିଏ ଗଧକୁ l ବ୍ୟବସ୍ଥା ଥିଲା କୌଣସି ଶତ୍ରୁକୁ ଦେଖିଲାମାତ୍ରେ ମହୁରିଆ ମହୁରୀକୁ ବଜାଇବ ଓ ମହୁରୀ ଶବ୍ଦ ଶୁଣି ଗଧଟି ରଡ଼ି ଛାଡ଼ିବ l ଫଳରେ ପ୍ରହରୀ ଓ ସୈନ୍ୟ ମାନେ ସଜାଗ ହୋଇ ଯିବେ l ଶ୍ରୀକୃଷ୍ଣ ଯେତେବେଳେ ଯାଇ ତା’ ଦ୍ଵାରଦେଶରେ ପହଞ୍ଚିଗଲେ ତାଙ୍କୁ ଦେଖୁ ଦେଖୁ ମହୁରିଆ ହାତରୁ ମହୁରୀଟି ଖସିପଡ଼ି ତିନିଗଡ଼ ହୋଇଗଲା l ସେହି ଦିନଠାରୁ ମହୁରୀ ହେଲା ତିନିଗଡ଼,ତିନିଗଡ଼ ଏକ ହେଲେ ଯାଇ ମହୁରୀ ବାଜିବ l

ମହୁରିଆକୁ ପାରକରି ଶ୍ରୀକୃଷ୍ଣ,ବୃକୋଦର, ଅର୍ଜୁନ ତିନିହେଁ ଆଗକୁ ଯାଇ ଦେଖିଲେ, ଗଧଟିଏ ଜଗିକି ବସିଛି l ଶ୍ରୀକୃଷ୍ଣ ଯାଇ ଗଧର ଆଗ ପାଦକୁ ଧରି ପକାଇ କହିଲେ, ତୁ ଆଉ ପାଟି କରନା l ଆମେ ଟିକେ ଭିତରକୁ ଯାଉଛୁ l ଗଧଟି କଥା ମାନି ଚୁପ୍ ରହିଲା l ଭଗଵାନ ଗଧ ପାଦ ଧରିଛନ୍ତି, ଏ କଥା ଦେଖି, ଭୀମ କି ଆଉ ଚୁପ୍ ହୋଇ ରହି ପାରନ୍ତି l ସେ ସଙ୍ଗେ ସଙ୍ଗେ ପଚାରିଲେ, ଆପଣ ଭଗବାନ୍ ହୋଇ ଗଧପାଦ ଧରିଲେ କିପରି?

ଭଗବାନ୍ ହସିହସି କହିଲେ, କାର୍ଯ୍ୟ ହାସଲ ପାଇଁ ମୁଁ ସବୁ କିଛି କରି ପାରେ l ତୁମେ ଜାଣିଥିବ ମୁଁ ତ ଶ୍ରୀବତ୍ସ ବ୍ରାହ୍ମଣ ଠାରୁ ଗୋଇଠା ମାଡ଼ ଖାଇଥିଲି l ଆଉ ଏ ଗଧ ପାଦ ଧରିବା କୋଉ ବଡ଼ କଥା କି? ଜରାସନ୍ଧ ମୋର ଭକ୍ତ, ତାକୁ ମାରି ମୁକ୍ତି ଦେବାକୁ ପଡ଼ିବ l ତା ପାଖରେ ଯାଇ ପହଁଚିଲେ ତ କାର୍ଯ୍ୟ ହାସଲ ହେବ ଏବଂ ସେ ମୁକ୍ତିପାଇବ l ଏ ଗଧଟା ତ ସବୁ ବିଗାଡ଼ି ଦେଇ ଥାନ୍ତା l ଏଣୁ ମୋତେ ଗଧ ପାଦ ଧରିବାକୁ ପଡ଼ୁଛି l

🙏🙏🙏

ଅର୍ଜୁନୀ

————

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.