ମଧୁ କୈଟଭ ସଂହାର
============
ନୈମିଷାରଣ୍ୟରେ ସମବେତ ୠଷି ମୁନିଙ୍କୁ ସୂତ ମୁନି ଶ୍ରୀମଦ୍ଦେବୀ ଭାଗବତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ସୂତ ମହାମୁନି କହିଲେ, ଥରେ ଭଗବାନ୍ ବିଷ୍ଣୁ, ମଧୁ ଓ କୈଟଭ ନାମକ ଦୁଇ ଦୁଷ୍ଟ ଦୈତ୍ୟଙ୍କୁ ସଂହାର କରିଥିଲେ l ଶୌନକାଦି ମୁନି ମାନେ ଖୁବ୍ ଉତ୍ସୁକ ହୋଇ ସୂତମୁନିଙ୍କୁ କହିଲେ, ଆପଣ ଆମକୁ ଭାଗବାନ ବିଷ୍ଣୁଙ୍କ ସେହି ଅଦ୍ଭୁତ ଲୀଳା ସବିସ୍ତାରେ କୁହନ୍ତୁ l ସୂତମୁନି କଥା ଆରମ୍ଭ କଲେ l
ପ୍ରାଚୀନ କାଳର କଥା l ସେତେବେଳେ ଏ ଅଖିଳ ଜଗତ ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇ ରହିଥାଏ l ସେହି ପ୍ରଳୟ ଜଳରେ, ଭଗବାନ୍ ବିଷ୍ଣୁ ଅନନ୍ତ ଶେଯରେ ଶୟନ କରିଥାନ୍ତି l ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜାତହେଲେ, ମଧୁ ଓ କୈଟଭ l ସେମାନେ ସମୟକ୍ରମେ ଖୁବ୍ ଦୁର୍ଦ୍ଧାନ୍ତ ଏବଂ ବଳଶାଳୀ ହୋଇ ପଡ଼ିଲେ l ଦିନେ ଅଗାଧ ଜଳରେ ସେମାନେ କ୍ରୀଡ଼ା କରୁଥିବାବେଳେ କହିଲେ ଏ ଜଳ କୁଆଡୁ ଆସିଲା, ଏହାକୁ ସୃଷ୍ଟିକଲା କିଏ ? ଆମକୁ ସୃଷ୍ଟିକଲା କିଏ ? ଏ ଜଳ ମଧ୍ୟରେ ନିଶ୍ଚୟ ଶକ୍ତି ନିହିତ ଅଛି ଓ ସେହି ଶକ୍ତି ଆମକୁ ସୃଷ୍ଟିକରିଛି l ଚାଲ ଆମେ ସେ ଶକ୍ତିକୁ ଅନୁସନ୍ଧାନ କରିବା l ସେମାନେ ଏପରି ଭାବୁଥିଲା ବେଳେ ଅନ୍ତରୀକ୍ଷରୁ ‘ ବାଗବୀଜ’ ବୋଲି ଗୋଟିଏ
ଧ୍ଵନୀ ଶୁଣିବାକୁ ମିଳିଲା l ସେହି ଧ୍ୱନୀକୁ ସେମାନେ ବାରମ୍ବାର ଉଚ୍ଚାରଣ କରିବାରେ ଲାଗିଲେ l ଏପରି ପ୍ରାୟ ଏକ ହଜାର ବର୍ଷ ବିତିଗଲା l ସେହି ଧ୍ଵନୀଟି ଥିଲା ମାଆ ମହାମାୟାଙ୍କ ବୀଜମନ୍ତ୍ର l
ଦିନେ ସେମାନେ ଜଳରେ ବିଚରଣ କରୁଥାନ୍ତି ଏହି ସମୟରେ ଆକାଶରୁ ସେମାନେ ଗୋଟିଏ ନାରୀର କଣ୍ଠସ୍ବର ଶୁଣିଲେ, ହେ ଦୈତ୍ୟଦ୍ୱୟ ! ତୁମ ମାନଙ୍କ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟ ହୋଇଛି l ତୁମେ ମୋତେ କି ବର ମାଗୁଛ ମାଗ l ମଧୁ କୈଟଭ କହିଲେ, ମାଆ ! ଆପଣ ଆମକୁ ଇଚ୍ଛା ମୃତ୍ୟୁର ବର ପ୍ରଦାନ କରନ୍ତୁ l ସେହି କଣ୍ଠସ୍ୱର ପୁଣି କହିଲା, ରେ ଦାନବ ! ତୁମର ମୃତ୍ୟୁ ତୁମର ଇଚ୍ଛାଧୀନ ହେବ ନାହିଁ l ମୁଁ, ଚାହିଁଲେ ଯାଇ ତୁମର ମୃତ୍ୟୁହେବ l ତେବେ କୌଣସି ଦେବ ବା ଦାନବ ତୁମକୁ ପରାଜିତ କରି ପାରିବେ ନାହିଁ l ମୁଁ ଏହି ବର ତୁମକୁ ପ୍ରଦାନ କଲି l
କିଛିଦିନ ପରେ, ଦୈତ୍ୟ ଦ୍ୱୟ ଦିନେ ଜଳରେ ଘୁରି ବୁଲୁଥିଲା ବେଳେ ତାଙ୍କ ଦୃଷ୍ଟି ପଡ଼ିଲା କମଳ ପୁଷ୍ପ ଉପରେ ବିରାଜମାନ କରିଥିବା, ବ୍ରହ୍ମାଙ୍କ ଉପରେ l ପୂର୍ବରୁ କୌଣସି ଜୀବଙ୍କୁ ଦେଖି ନଥିବା ଅସୁରଦ୍ବୟ ବ୍ରହ୍ମାଙ୍କୁ ଦେଖିବାମାତ୍ରେ ତାଙ୍କୁ କହିଲେ, ଆସ ଆମ ସହିତ ଯୁଦ୍ଧ କର,ଏମିତି ଆଖିବୁଜି ବସିଛ କଅଣ l ଵେଦପତି ଖୁବ ଭୟଭୀତହୋଇ ଅନନ୍ତ ଶଯ୍ୟାରେ ଯୋଗନିଦ୍ରାରେ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରିବାକୁ ଲାଗିଲେ l ମାତ୍ର ବ୍ରହ୍ମା ଯେତେ ସ୍ତୁତି କଲେ ମଧ୍ୟ ତାଙ୍କ ଯୋଗ ନିଦ୍ରା ଭଙ୍ଗ ହେଲା ନାହିଁ l ବ୍ରହ୍ମା ତାଙ୍କୁ ଜାଗ୍ରତ କରାଇବା ପାଇଁ ଶେଷକୁ ମାଆ ଯୋଗନିଦ୍ରାଙ୍କୁ ସ୍ତୁତି କଲେ l
ବ୍ରହ୍ମାଙ୍କ ସ୍ତୁତିରେ ଦେବୀ ମହାମାୟା ସନ୍ତୁଷ୍ଟ ହୋଇ ବିଷ୍ଣୁଙ୍କ ଉପରୁ ତାଙ୍କ ମାୟା ଉଠାଇ ନେବାରୁ ବିଷ୍ଣୁ ଜାଗ୍ରତ ହେଲେ l ଭଗବାନ ସମ୍ମୁଖରେ ଯୋଡ଼ହସ୍ତ ବ୍ରହ୍ମାଙ୍କୁ ଦେଖି କହିଲେ, ପଦ୍ମଯୋନି ! ଆପଣ ଜପ ତପ ଛାଡ଼ି ଏପରି ଭୟଭୀତ ହୋଇ ଏଠାରେ ଛିଡ଼ା ହୋଇଛନ୍ତି କାହିଁକି ? ବ୍ରହ୍ମା ତାଙ୍କୁ ସମସ୍ତ କଥା କହି ଦୈତ୍ୟଙ୍କ କବଳରୁ ରକ୍ଷା କରନ୍ତୁ ବୋଲି କହିଲେ l ବିଷ୍ଣୁ ତାଙ୍କୁ ଅଭୟ ଦେଇ କହିଲେ, ଆପଣ ଆଦୌ ଭୟ କରନ୍ତୁ ନାହିଁ l ଆପଣ ଏଠାରେ ନିରାପଦରେ ଅବସ୍ଥାନ କରନ୍ତୁ l ଦୈତ୍ୟଦ୍ୱୟ ଆପଣଙ୍କୁ ଆକ୍ରମଣ କରିବାପାଇଁ ଆସିଲେ, ମୁଁ ତାଙ୍କୁ ଏହିଠାରେ ନିଧନ କରିବି l ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ l
ବ୍ରହ୍ମାଙ୍କୁ ଅନୁସରଣ କରି, ମଧୁ କୈଟଭ ସେଠାରେ ଆସି ପହଞ୍ଚି କହିଲେ, ତୁ ଆମ ସହିତ ଯୁଦ୍ଧ ନକରି ଏଠାକୁ ପଳାୟନ କରିଛୁ l ଏ କ’ଣ ତୋତେ ରକ୍ଷା କରିବ l ଆମେ ଆଗେ ତୋତେ ମାରିବୁ l ତାପରେ ଏହା କଥା l ଯଦି ତୁ ଆମ ସହ ଯୁଦ୍ଧ ନ କରିପାରୁ ତେବେ ଆମର ଶରଣ ପଶ l
ବିଷ୍ଣୁ ରାକ୍ଷସ ଦୁହିଁଙ୍କ ଆହ୍ବାନ ଶୁଣି କହିଲେ, ତୁମେ ଦୁହେଁ ଅତୀବ ବଳଶାଳୀ ଜଣାପଡୁଛ l ହେ ବୀର ! ଯଦି ତୁମର ଯୁଦ୍ଧ କରିବାକୁ ଇଚ୍ଛା, ତୁମେ ମୋ ସହ ଯୁଦ୍ଧକରି ତୁମର ଅଭିଳାଷ ପୂର୍ଣ୍ଣ କର l
ଏଥିରେ ମଧୁ ଓ କୈଟଭ ସମ୍ମତ ହେଲେ l ବିଷ୍ଣୁଙ୍କ ସହ ତାଙ୍କର ଭୟଂକର ବାହୁ ଯୁଦ୍ଧ ଆରମ୍ଭ ହୋଇ ଗଲା l ଏହି ଯୁଦ୍ଧ ପାଞ୍ଚହଜାର ବର୍ଷ ଧରି ଚାଲିଲା l ବିଷ୍ଣୁ ଦୈତ୍ୟଙ୍କ ସହ ଯୁଦ୍ଧ କରି କରି ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ି ଭାବିଲେ, ଏମାନେ ଧୈର୍ଯ୍ୟର ସହ ଯୁଦ୍ଧ କରୁଥିଲା ବେଳେ ମୁଁ କାହିଁକି କ୍ଳାନ୍ତ ହୋଇ ପଡ଼ୁଛି l ବିଷ୍ଣୁ ରାକ୍ଷସ ଦୁହିଁଙ୍କୁ କହିଲେ, ଆରେ ! ତୁମେ ଦୁଇ ଜଣ ମୋ ସହିତ ଲଢେ଼ଇ କରୁଛ l ମୁଁ ଏକା ଏକା ତୁମ ସହ ଲଢ଼ିଲଢି କ୍ଳାନ୍ତହୋଇ ପଡ଼ିଲିଣି l ମୋର ଟିକିଏ ବିଶ୍ରାମ ଆବଶ୍ୟକ l
ଦୈତ୍ୟ ମଧୁ ଓ କୈଟଭ ଏଥିରେ ସମ୍ମତ ହେଲେ l ବିଷ୍ଣୁ ବିଶ୍ରାମ ନେଉଥିଲା ବେଳେ, ଦୈତ୍ୟ ଦ୍ୱୟଙ୍କୁ ଅଭୟ ଦେଇଥିବା ମାଆ ଭଗବତୀଙ୍କୁ ଧ୍ୟାନକଲେ l ମାଆ ପ୍ରସନ୍ନହୋଇ କହିଲେ, ହେ ବିଷ୍ଣୁ ! ଜଗତର ମଙ୍ଗଳପାଇଁ ମୁଁ ମାୟା ବିସ୍ତାରକରି ଏହି ରାକ୍ଷସଙ୍କୁ ମୋହିତ କରିଦେବି l ସେହି ସମୟରେ ରାକ୍ଷସଙ୍କୁ ତୁମେ ନିଧନ କରିବ l ତୁମେ ପୁନଃ ଯୁଦ୍ଧକର l
ପୁଣି ବିଷ୍ଣୁଙ୍କସହ ରାକ୍ଷସଙ୍କର ପ୍ରବଳ ଯୁଦ୍ଧ ଆରମ୍ଭ ହୋଇ ଗଲା l ଏହି ସମୟରେ ମୋହିନୀ ରୂପରେ ମହାଦେବୀ, ରାକ୍ଷସ ଦ୍ବୟଙ୍କୁ ମୋହିତ କରି ନିର୍ବଳ କରିଦେବାରୁ ସେମାନେ ଆଉ ଯୁଦ୍ଧ କରି ପାରିଲେ ନାହିଁ l ଏତିକିବେଳେ ଭଗବାନ୍ ବିଷ୍ଣୁ କହିଲେ, ହେ ମହାବୀର ! ମୁଁ ତୁମ ସହ ଯୁଦ୍ଧ କରି ଅତ୍ୟନ୍ତ ପ୍ରୀତ ହୋଇଛି l ତୁମେ ମୋତେ କି ବର ମାଗୁଛ, ମାଗ l ମାୟା ମୋହିତ ରାକ୍ଷସ କହିଲେ, ତୁମେ ଆମକୁ କି ବରଦେବ l ବରଂ ତୁମେ ଆମକୁ ବର ମାଗ l ବିଷ୍ଣୁ କହିଲେ, ହଉ ! ତା ହେଲେ ତୁମେ ମୋତେ ଏହି ବର ଦିଅ, ତୁମେ ମୋ ହାତରେ ମୃତ ହେବ l
ମଧୁ କୈଟଭ ଦୁଇଭାଇ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଲେ l ଚତୁର୍ଦ୍ଦିଗରେ ଜଳରାଶିକୁ ଅନାଇଁ ସେମାନେ ଟିକିଏ ଚିନ୍ତାକରି, କହିଲେ, ଠିକ୍ ଅଛି ! ତୁମେ ଆମକୁ କୌଣସି ଏକ ଜଳ ଶୁନ୍ୟ ସ୍ଥାନରେ ପକାଇ ମାରି ପାରିବ ତ ମାର l
ଭଗବାନ ବିଷ୍ଣୁ ଆଉ କାଳବିଳମ୍ୱ ନକରି ସୁଦର୍ଶନ ଚକ୍ରକୁ ସ୍ମରଣ କରି, ନିଜର ଜାନୁକୁ ଚାରି ହଜାର କ୍ରୋଶ ଯାଏ ବିସ୍ତାର କଲେ l ବିଷ୍ଣୁ ଦୈତ୍ୟ ଦ୍ୱୟଙ୍କୁ କହିଲେ, ଦେଖ, ସମ୍ପୂର୍ଣ୍ଣରୂପେ ଏ ଜଳଶୂନ୍ୟ ସ୍ଥାନ l ତୁମ ମସ୍ତକକୁ ଏଠାରେ ରଖ l ମଧୁକୈଟଭ ବିସ୍ମିତ ହୋଇ ତାଙ୍କ ଶିରକୁ ରଖିଦେଲେ l ଭଗଵାନ ବିଷ୍ଣୁ ତତ୍କ୍ଷଣାତ୍ ସୁଦର୍ଶନ ଚକ୍ରରେ ରାକ୍ଷସ ଦ୍ୱୟଙ୍କ ମସ୍ତକ ଛେଦନକଲେ l ବ୍ରହ୍ମା ରକ୍ଷା ପାଇଗଲେ l ଦେବୀଙ୍କ ମଧୁ କୈଟଭଙ୍କୁ ବର ମଧ୍ୟ ସଫଳ ହେଲା l
କଥା ଶେଷରେ ସୂତମୁନି କହିଲେ,ବିଶାଳ ଶରୀର ଧାରୀ ସେ ଦୈତ୍ୟଦ୍ବୟଙ୍କ ମେଦ, ମଜ୍ଜା ଓ ରକ୍ତରେ ବିସ୍ତୃତ ଜଳଭାଗର କେତେକ ଅଂଶ ପୁରି ଉଠିଲା l ମେଦରୁ ସୃଷ୍ଟ ସେହି ଅଂଶକୁ ମେଦିନୀ କୁହାଗଲା l ସମବେତ ୠଷିମୁନିମାନଙ୍କୁ ସୂତ କହିଲେ, “ଯତଃ ପରତରଂ କିଞ୍ଚିଦଧିକଂ ଭୂବନତ୍ରୟେ”l ଅର୍ଥାତ୍ ଏହି ତ୍ରି ଜଗତରେ ଆଉ କେହି ବି ପରାବିଦ୍ୟା ସ୍ୱରୂପୀଣି ମା’ ମହାମାୟାଙ୍କ ଠାରୁ ବଡ଼ ନାହିଁ l ଆପଣମାନେ ମଧ୍ଯ ସେହି ସର୍ଵ ଶକ୍ତିମୟୀ, ଅଖିଳ ଜଗତର କର୍ତ୍ତ୍ରୀ ମାଆ ଭଗବତୀଙ୍କୁ ଧ୍ୟାନ କରନ୍ତୁ l
!!! ଜୟ ମାଆ ଭଗବତୀ !!!
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post