ବାଲେଶ୍ୱର, ୯/୧୧ (କୃଷ୍ଣ କୁମାର ମହାନ୍ତି): ଆଲୋକର ପର୍ବ ଦୀପାବଳିରେ ବାଲେଶ୍ୱର ସହରରେ ଦୁଇଟି ଭୟାବହ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି କରିଛି। ଗୋଟିଏ ପଟେ ଫକୀରମୋହନ ଗୋଲେଇ ନିକଟରେ ଘର ଭିତରେ ଶୋଇଥିବା ଏକ ପରିବାରର ଚାରିଜଣ ସଦସ୍ୟ ନିଆଁ ଓ ଧୂଆଁ ମଧ୍ୟରେ ଫସିଯାଇଥିବା ବେଳେ ଅନ୍ୟପଟେ ଗୁଡ଼ିପଦା ଅଞ୍ଚଳରେ ବାଣରୁ ନିଆଁ ଲାଗି ଏକ ବସ୍ତି ନିକଟସ୍ଥ ପଡ଼ିଆ ଜଳିଯାଇଛି। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଉଭୟ ଘଟଣାରେ ବଡ଼ଧରଣର ଅଘଟଣ ଟଳିଯାଇଛି। ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇନାହିଁ।
ପ୍ରଥମ ଅଗ୍ନିକାଣ୍ଡ ଫକୀରମୋହନ ଗୋଲେଇ ନିକଟରେ ଘଟିଥିଲା। ସୂଚନା ଅନୁଯାୟୀ, ନିଶାକର ବେହେରାଙ୍କ ପରିବାରର ଚାରିଜଣ ସଦସ୍ୟ ରାତିରେ ଘର ଭିତରେ ଶୋଇଥିବା ସମୟରେ ଠାକୁର ଘର ପଟୁ ହଠାତ୍ ନିଆଁ ଲାଗିଥିଲା। ପ୍ରାଥମିକ ଅନୁମାନ ଅନୁସାରେ, ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଦେଖୁଦେଖୁ ନିଆଁ ଘରର ଉପର ମହଲାକୁ ବ୍ୟାପିଯାଇଥିଲା।

ଏହି ସମୟରେ ଦୁଇଜଣ ସଦସ୍ୟ କୌଣସିମତେ ଘର ବାହାରକୁ ଚାଲିଆସିଥିବା ବେଳେ ଅନ୍ୟ ଦୁଇଜଣ ନିଆଁ ଓ ଧୂଆଁ ମଧ୍ୟରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ପ୍ରୟାସ ପରେ ଫସି ରହିଥିବା ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଅଗ୍ନିଶମ କର୍ମଚାରୀଙ୍କୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଘରର ତଳ ମହଲାରେ ଦୀପ ଜଳୁଥିବା ବେଳେ ଉପର ମହଲାରେ ନିଆଁ ବ୍ୟାପି ଆସବାବପତ୍ର ସମେତ ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ସେହିପରି ଦ୍ୱିତୀୟ ଅଗ୍ନିକାଣ୍ଡ ଗୁଡ଼ିପଦା ଅଞ୍ଚଳରେ ଘଟିଥିଲା। ବାଣରୁ ନିଆଁ ସୃଷ୍ଟି ହୋଇ ବସ୍ତି ନିକଟସ୍ଥ ଏକ ପଡ଼ିଆରେ ଦ୍ରୁତଗତିରେ ବ୍ୟାପିଯାଇଥିଲା। ନିଆଁ ହୁତୁହୁତୁ ହୋଇ ଜଳିବା ସହ ନିକଟରେ ଥିବା ଏକ ବଖରା ଘରକୁ ମଧ୍ୟ କବଳିତ କରିଥିଲା। ଏହା ଦେଖି ଆଖପାଖ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫୋମ୍ ଓ ପାଣି ସାହାଯ୍ୟରେ ନିଆଁ ଲିଭାଇବା ଆରମ୍ଭ କରିଥିଲା। ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯିବାରୁ ଏହା ନିକଟସ୍ଥ ଘର ଓ ବସ୍ତିକୁ ବ୍ୟାପିବାରୁ ରୋକାଯାଇପାରିଥିଲା।
ଦୀପାବଳି ରାତିରେ ସହରର ଦୁଇଟି ଭିନ୍ନ ସ୍ଥାନରେ ଏଭଳି ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ଘରୋଇ ବିଦ୍ୟୁତ୍ ସୁରକ୍ଷା, ଦୀପ ଜାଳିବା ସମୟରେ ସତର୍କତା ଏବଂ ବାଣ ବ୍ୟବହାରରେ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାର ଗୁରୁତ୍ୱ ପୁଣିଥରେ ସାମ୍ନାକୁ ଆସିଛି। ଦୀପାବଳି ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ କେତେଦୂର ସୁରକ୍ଷା ସଚେତନତା ଓ ଯାଞ୍ଚ କରାଯାଇଥିଲା, ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି।
ଆଲୋକର ପର୍ବରେ ଅସାବଧାନତାର ସାମାନ୍ୟ ଝଲକ କିପରି ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇପାରେ, ବାଲେଶ୍ୱରର ଏହି ଦୁଇଟି ଘଟଣା ତାହାର ଚେତାବନୀ ଦେଇଛି। ଅଗ୍ନି ନିରାପତ୍ତା ପ୍ରତି ସାମାନ୍ୟତମ ଅବହେଳା ନକରିବା ସହ ସଚେତନତା ଓ ସତର୍କତା ହିଁ ଏଭଳି ଅଘଟଣରୁ ରକ୍ଷା କରିପାରିବ ବୋଲି ମତ ପ୍ରକାଶ ପାଇଛି।