ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ସୋମବାର ଅନ୍ତରୀଣ ପୁଲିସ୍ ଡିଜି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଭଳି ସ୍ଥଳେ ରାଜ୍ୟ ସରକାର ରାଜ୍ୟ ଆଇନଶୃଙ୍ଖଳା ଭାର କାହାକୁ ଦେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନ୍ୟାୟିକ ବ୍ୟବସ୍ଥା ଭିତରେ ଛନ୍ଦି ହୋଇଥିବା ରାଜ୍ୟ ସରକାର ଏବେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରିପାରିବେ ନାହିଁ। ତେଣୁ ପୁଣିଥରେ ଅନ୍ତରୀଣ ପୁଲିସ୍ ଡିଜି ନିଯୁକ୍ତ ହେବେ। ତେବେ ସରକାର ସେହି ଦାୟିତ୍ୱ କାହାକୁ ଦେବେ? ରେସ୍ରେ ଅଛନ୍ତି କିନ୍ତୁ ୪ ଜଣ। ନିୟମ ଅନୁସାରେ ସବୁଠାରୁ ସିନିୟର ଆଇପିଏସ୍ ଅଧିକାରୀଙ୍କୁ ହିଁ ସରକାର ଅନ୍ତରୀଣ ପୋଲିସ୍ ଡିଜି କରିପାରିବେ। ଏହିକ୍ରମରେ ପ୍ରଥମେ ସରକାରଙ୍କୁ ଦେଖିବାକୁ ପଡ଼ିବ କ୍ୟାଡର୍ ଓ ନନ୍ କ୍ୟାଡର। ଯଦି କ୍ୟାଡର୍ କଥା ଦେଖାଯାଏ ବିନୟତୋଷଙ୍କ ପରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ ହିଁ ପରବର୍ତ୍ତୀ ଅନ୍ତରୀଣ ପୁଲିସ୍ ଡିଜି। ତାଙ୍କ ପଛକୁ ରହିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଡିଜି ସଂଜୀବ ପଣ୍ଡା। ହେଲେ ନନ୍ କ୍ୟାଡର୍ ଡିଜିଙ୍କୁ ନେଇ ଯଦି ଚିନ୍ତା କରାଯାଏ ତେବେ ପ୍ରଥମେ ଆସିବେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଯେଠୱା। ଏ ସବୁ କଥା ପରେ ରାଜ୍ୟ ସରକାର ଚାହିଁଲେ ଅବସର ପରେ ବି ବିନୟତୋଷଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରିବେ।
ଗତ ଅଗଷ୍ଟ ୧୬ ତାରିଖରେ ଡିଜିପି ପଦରୁ ଅବସର ନେଇଥିଲେ ଯୋଗେଶ ବାହାଦୂର ଖୁରାନିଆ। ହେଲେ ରାଜ୍ୟ ସରକାର ତା’ ପୂର୍ବରୁ ପରବର୍ତ୍ତୀ ପୂର୍ଣ୍ଣକାଳୀନ ପୁଲିସ୍ ଡିଜି ନିଯୁକ୍ତ କରିପାରି ନଥିଲେ। ଡିଜିପି ଚୟନ ପ୍ରକ୍ରିୟାକୁ ଅନିୟମିତତା ଦର୍ଶାଇବା ସହ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଛି। ଯାହାର ଚୂଡ଼ାନ୍ତ ରାୟ ଏବେସୁଦ୍ଧା ପ୍ରକାଶ ପାଇନାହିଁ । ଏଭଳି ସ୍ଥିତିରେ ଅନ୍ତରୀଣ ଡିଜି ଭାବେ ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ର ଦାୟିତ୍ୱ ତୁଲାଉଥିଲେ। ଦୀର୍ଘ ସାଢ଼େ ୩ ମାସ ଧରି ଅନ୍ତରୀଣ ଡିଜିଙ୍କ ହାତରେ ଓଡ଼ିଶାର ସୁରକ୍ଷା ଭାର ରହିଛି। ବିନୟତୋଷଙ୍କ ଅବସର ପରେ ଏବେ ଗୁରୁତ୍ୱପୂର୍ଣ୍ଣ ପଦବି ଫାଙ୍କା ପଡ଼ିବ। ଅନ୍ତରୀଣ ପୋଲିସ୍ ଡିଜି ସହ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ ବିନୟ। ସେପଟେ ଜେଲ ଡିଜି ପଦରୁ ଅପସାରଣ ସହ ସୁଶାନ୍ତ ନାଥଙ୍କୁ ଓଏସଡି କରିବା ପରେ ଏବେ ଜେଲ୍ ଡିଜି ପଦ ବି ଖାଲି ରହିଛି। ଏଡିଜି ସନ୍ତୋଷ ବାଲା ଏବେ ଜେଲ୍ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।