ଗଜପତି ୨୯/୧୧/୨୦୨୬:(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ବିଶ୍ୱ ଏଡ୍ସ ଦିବସ-୨୦୨୬ ଅବସରରେ ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଏହି ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ୭ ଦିନିଆ ‘ରେଡ୍ ରିବନ୍ ସପ୍ତାହ-୨୦୨୬’ ପାଳନ ଅବସରରେ ଏକ କ୍ୟାଣ୍ଡେଲ୍ ଲାଇଟ୍ ଭିଜିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଓସାକ୍ (OSACS) ଏବଂ ନାକୋ (NACO)ର ସଚେତନତା ଅଭିଯାନ ଅନ୍ତର୍ଗତ SWWS (Society for the Welfare of the Weaker Section) NGO ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICTC-1 କେନ୍ଦ୍ର ଏବଂ ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନ (GTA) ସହଯୋଗ କରିଥିଲେ। ଚଳିତ ବର୍ଷର ସଚେତନତା ବାର୍ତ୍ତା “Ending AIDS, Start with Access” ଅର୍ଥାତ୍ ସୁବିଧା ଓ ସେବାର ସହଜ ଉପଲବ୍ଧତାରୁ ଏଡ୍ସ ନିରାକରଣର ଆରମ୍ଭ ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ICTC-1 କେନ୍ଦ୍ରର ପ୍ରମୁଖ ଶକ୍ତି ପ୍ରସାଦ ପଟ୍ଟନାୟକ, SWWS NGOର TI Project Manager ପି. ସୁନୀତା, TI Staff ORW ଲିନୁ ସୁବୁଦ୍ଧି, ସାଗରିକାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସେହିପରି ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ମଧୁ ବରାଡ, ସମ୍ପାଦିକା ଜସ୍ମିନ ଶେଖ, ସଦସ୍ୟ ମଧୁ ଗୌଡ଼, ଭୁବନାନନ୍ଦଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ।
ଏହି ଅବସରରେ ରେଡ୍ ରିବନ୍ ଆକୃତିର ଝୋଟି ଅଙ୍କନ କରାଯାଇ ସମାଜରେ ଏଚ୍ଆଇଭି/ଏଡ୍ସ ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା। ଏଥିସହ ଏଚ୍ଆଇଭି/ଏଡ୍ସରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ୍ ମାର୍ଚ୍ଚ ଆୟୋଜନ କରାଯାଇଥିଲା।
ଏଚ୍ଆଇଭି ସଂକ୍ରମଣକୁ ରୋକିବା, ସମୟୋଚିତ ପରୀକ୍ଷା, ଚିକିତ୍ସା ଓ ପରାମର୍ଶ ସେବାର ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଇବା ସହ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଭେଦଭାବ ଦୂର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
SWWS NGO, ICTC-1 କେନ୍ଦ୍ର ଓ ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନର ଏହି ମିଳିତ ପ୍ରୟାସକୁ ସାମାଜିକ ସଚେତନତା ଓ ଏଡ୍ସମୁକ୍ତ ସମାଜ ଗଠନ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।
ସୂଚନାଦାତା: ଜସ୍ମିନ ଶେଖ
ସମ୍ପାଦିକା, ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନ (GTA)