କୁମାର ସମ୍ଭବମ୍ ଶ୍ରୀକାର୍ତ୍ତିକେୟଙ୍କ ଜନ୍ମ
କୁମାର ସମ୍ଭବମ୍
ଶ୍ରୀକାର୍ତ୍ତିକେୟଙ୍କ ଜନ୍ମ
=============
ପ୍ରାଚୀନକାଳର କଥା,ବହୁଦିନ ପୂର୍ବେ ଏକ ମହା ପରାକ୍ରମ ଶାଳୀ ଅସୁର ଥିଲା l ତା ବିଶାଳକାୟ ଶରୀର ବଜ୍ରପ୍ରାୟ କଠିନ ଥିବାରୁ ତାହାର ନାମ ହୋଇ ଥିଲା ବଜ୍ରାଙ୍ଗ l ପ୍ରଜାପତି କଶ୍ୟପ ଓ ଦନୁ ତାର ପିତା ମାତା ଥିଲେ l ବହୁ କାଳ ଅସୁର ଭାବେ ଜୀବନ କଟାଇବାପରେ ସେ ଅସୁର ପ୍ରକୃତିରୁ ମୁକ୍ତ ହେବା ଚାହିଁ ଘୋର ତପସ୍ୟା ଆରମ୍ଭ କଲା l ଶହଶହବର୍ଷ ଧରି ତାର ସେହି କଠୋର ତପସ୍ୟା ଫଳରେ ଇନ୍ଦ୍ର ଭୟଭୀତ ହୋଇପଡ଼ିଲେ l ଦୈତ୍ୟ ବଜ୍ରାଙ୍ଗ ତପସ୍ୟା କରୁଥିବା ବେଳେ ତାର ପତ୍ନୀ ବରାଙ୍ଗୀ ଘରେ ଏକୁଟିଆ ଥାଏ l ଦିନେ ଗୋଟିଏ ମର୍କଟ ଆସି ବରାଙ୍ଗୀକୁ ବହୁତ ହଇରାଣ କଲା l ତା ପରେ ଆଉ ଦିନେ ଗୋଟିଏ ସିଂହ ଆସି ତାକୁ ଖାଇବ ବୋଲି ଭୟ ଦେଖାଇଲା l ପୁଣି ଦିନେ ଗୋଟିଏ ସର୍ପ ଆସି ତା’ର ପାଦକୁ ଦଂଶନ କଲା l ବିଷ ଜ୍ୱାଳାରେ ସେ ବହୁତ କଷ୍ଟ ପାଇଲା l ଏକ ପର୍ଯ୍ୟାୟ ତପସ୍ୟା ପରେ ଦିନେ ବଜ୍ରାଙ୍ଗ ଘରକୁ ଆସିଲା l ବରାଙ୍ଗୀ କାନ୍ଦି କାନ୍ଦି ତାକୁ କହିଲା, ଦେବରାଜ ଇନ୍ଦ୍ର ସେହି ମାଙ୍କଡ,ସିଂହ ଓ ସାପ ବେଶରେ ଆସି ତାକୁ ହଇରାଣ କରୁଛନ୍ତି l ଏହା ଶୁଣି ବଜ୍ରାଙ୍ଗ ଖୁବ୍ ଜୋରରେ କ୍ରୋଦ୍ଧିତ ହୋଇ ଉଠିଲା l ଇନ୍ଦ୍ରଙ୍କୁ ଶାସ୍ତି ଦେବା ପାଇଁ ପ୍ରତିଜ୍ଞା କରି ପୁଣି ଯାଇ ତପସ୍ୟାରେ ନିମଗ୍ନ ହେଲା l
ଅସୁର ବଜ୍ରାଙ୍ଗର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତା ସମ୍ମୁଖରେ ଆବିର୍ଭୂତ ହୋଇ ଆଶୀର୍ବାଦ କରି କହିଲେ ବତ୍ସ ! ମୁଁ ଏବେ ତୁମ୍ଭର ତପସ୍ୟାରେ ସନ୍ତୁଷ୍ଟ,ଏବେ କି ବର ମାଗୁଛ ମାଗ l ଦୈତ୍ୟ ବଜ୍ରାଙ୍ଗ ତାଙ୍କଠାରୁ ବର ସ୍ୱରୂପ ବୀର ଓ ଅଜେୟ ପୁତ୍ରଟିଏ ଚାହିଁଲା l ବ୍ରହ୍ମା ତଥାସ୍ତୁ ବୋଲି କହି ତାକୁ ଆଶୀର୍ବାଦ କଲେ l ସେ ପୁଣି ଆହୁରି ଗୋଟିଏ ବର ଚାହିଁଲା ଓ ବ୍ରହ୍ମାଙ୍କୁ କହିଲା ମୋର ସେହି ପୁତ୍ର ଅମର ହେଉ ଏହି ବର ଦିଅନ୍ତୁ l ବ୍ରହ୍ମା କହିଲେ କୌଣସି ପ୍ରାଣୀକୁ ଅମର ବର ଦେବାକୁ ମୋର କ୍ଷମତା ନାହିଁ ତେବେ ମୁଁ ତୋତେ ବର ଦେଉଛି ତୋର ସେହି ପୁତ୍ରକୁ ମାତ୍ର ସାତ ଦିନର ଶିଶୁଟିଏ ମାରିବ; ନ ହେଲେ ଆଉ କେହି ମାରି ପାରିବେ ନାହିଁ l ସେହି ବର ଅମର ବର ସହିତ ସମାନ ବୋଲି ଭାବି ବଜ୍ରାଙ୍ଗ ଖୁବ୍ ଖୁସି ହୋଇ ଗଲା l ସେ ନିଜର ପରାକ୍ରମୀ ଶିଶୁ ପୁତ୍ରର ଜନ୍ମ ଅପେକ୍ଷାରେ ରହିଲା l ବର୍ଷଟିଏ ବିତିଯିବା ପରେ ତାର ଏକ ପୁତ୍ର ସନ୍ତାନ ଜାତହେଲା l ସେହି ପୁତ୍ର ସନ୍ତାନଟି ହେଉଛି ପୁରାଣରେ ତାରକାସୁର l ସେ ତାର ପିତା ବଜ୍ରାଙ୍ଗର ବ୍ରହ୍ମାଙ୍କ ଠାରୁ ବର ଓ ନିଜ ତପସ୍ୟା ଫଳରେ ଅଜେୟ ଶକ୍ତି ସମ୍ପନ୍ନ ହେଲା l ଭୂମଣ୍ଡଳରେ ସବୁ ରାଜା ମାନଙ୍କୁ ପରାଜିତ କରି ସବୁ ସମୃଦ୍ଧି ଓ ଅଧିକାର ଭୋଗକଲା l ତାହାର ଭୟରେ ଯଜ୍ଞାଦି ଓ ଦେବ ଆରାଧନା ଇତ୍ୟାଦି ପୁଣ୍ୟ କର୍ମ ମାନ ହୋଇ ପାରିଲା ନାହିଁ l ତିନି ଲୋକରେ ତ୍ରାହି ତ୍ରାହି ଡାକ ପଡ଼ିଲା l ଦିନେ ଅତି ତ୍ରସ୍ତ ହୋଇ ଇନ୍ଦ୍ରାଦି ଦେବତା ଗଣ ଯାଇ ବ୍ରହ୍ମାଙ୍କ ଶରଣ ପଶିଲେ l ସେ ତାରକାସୁରର ଉପଦ୍ରବରୁ ବ୍ରହ୍ମାଣ୍ଡକୁ ରକ୍ଷା କରିବା ଉପାୟ କରିବାକୁ ତାଙ୍କୁ ପ୍ରାର୍ଥନା କଲେ l
ବ୍ରହ୍ମା ଦେଵଗଣଙ୍କ କାତର ପ୍ରାର୍ଥନା ଶୁଣି ଧ୍ୟାନସ୍ଥ ହୋଇ ଚିନ୍ତା କଲେ l ଧ୍ୟାନ ଭାଙ୍ଗିବାରୁ କହିଲେ, ତାରକାସୁରର ପିତା ବଜ୍ରାଙ୍ଗ ପୂର୍ବରୁ ବର ଲାଭ କରିଛି, ତାରକାସୁରର ମୃତ୍ୟୁ କେବଳ ଏକ ସାତ ଦିନର ଶିଶୁ ହାତରେ ସମ୍ଭବ l ଶିବଙ୍କ ଅଂଶରେ ସେହି ଦିବ୍ୟଶିଶୁ ଜାତ ହେଲେ ହିଁ ତାରକାସୁରକୁ ସଂହାର କରି ପାରିବ l ତେଣୁ ଶିବଙ୍କର ଯେପରି ଯଥାଶୀଘ୍ର ଏକ ପୁତ୍ରସନ୍ତାନ ଜାତ ହେବ, ତାହାର ଉପାୟ ସ୍ଥିର କର l
ସେତେବେଳକୁ ଦକ୍ଷ ଯଜ୍ଞରେ ଶିବ ପତ୍ନୀ ସତୀ ଆତ୍ମାହୁତି ଦେଇ ସାରିଥିଲେ l ତେଣୁ ଶିବ ପତ୍ନୀ ହରା ହୋଇ ଏକାକୀ ଏକନିଷ୍ଠ ତପସ୍ୟାରେ ମଗ୍ନ ଥିଲେ l ଏଣେ ଦକ୍ଷ ଯଜ୍ଞରେ ଝାସ ଦେଇଥିବା ମାଆ ସତୀ ପୁନର୍ବାର ପିତା ହିମାଳୟ ଓ ମାଆ ମେନାଙ୍କ କନ୍ୟା ଭାବେ ପାର୍ବତୀ ରୂପରେ ଜନ୍ମ ଗ୍ରହଣ କରି ସାରିଥିଲେ l ପାର୍ବତୀ ମଧ୍ୟ ଦେବ ଦେବ ମହାଦେବଙ୍କୁ ପତି ସ୍ୱରୂପେ ପାଇବା ପାଇଁ ଅଖଣ୍ଡ ତପସ୍ୟା ଆରମ୍ଭ କରିଦେଇଥାନ୍ତି l କେତେ ଶହସ୍ର ବର୍ଷ ବିତିଗଲା ଶଙ୍କର ଗୌରୀଙ୍କ ତପସ୍ୟା ଭଗ୍ନ ହେଲା ନାହିଁ l ପାର୍ବତୀ ଏହି ସମୟରେ ପତ୍ର ବା ପର୍ଣ୍ଣଟିଏ ସୁଦ୍ଧା ଭକ୍ଷଣ ନକରି ଥିବାରୁ ତାଙ୍କର ଗୋଟିଏ ନାମ ଅପର୍ଣ୍ଣା ହୋଇଛି l ଦେବ ଗଣଙ୍କ ମଧ୍ୟରେ ଭାଳେଣି ପଡିଗଲା ଏ ଘୋର ତପସ୍ୟା ଭଗ୍ନ ନହେଲେ ହର ଗୌରୀଙ୍କ ମିଳନରୁ ଯେଉଁ ତାରକାସୁର ନିଧନକାରି ପୁତ୍ର ଜନ୍ମ ହେବ ତାହା କିପରି ସମ୍ଭବ ହେବ l ଶିବଙ୍କ ତପସ୍ୟାକୁ ଭଙ୍ଗ କରିବାକୁ ହେବ l ହେଲେ ଶିବଙ୍କ ତପସ୍ୟା ଭଙ୍ଗ କରିବ କିଏ ? ସମସ୍ତ ଦେଵ ଗଣ ଚିନ୍ତାକରି କାମ ଦେବଙ୍କୁ ଶିବଙ୍କ ତପସ୍ୟା ଭଙ୍ଗ କରିବାର ଦାୟିତ୍ୱ ଦେଲେ l କାମଦେବ ଓ ରତିଦେବୀ ଶିବ ତପସ୍ୟା କରୁଥିବା ସ୍ଥାନରେ ପହଞ୍ଚି ତାଙ୍କର ମତି ବିଚଳିତ ହେବାପରି କୁହୁକ ସୃଷ୍ଟିକଲେ l ଚତୁର୍ଦିଗରେ ଅତି ସୁନ୍ଦର ପୁଷ୍ପ ପ୍ରସ୍ଫୁଟିତ ହୋଇ ସ୍ଥାନକୁ ସୁଗନ୍ଧିତ କଲା l ମଳୟ ପବନ ବହିବାକୁ ଲାଗିଲା l କାମ ଦେବ ତାଙ୍କର ପୁଷ୍ପଧନୁରେ ପଞ୍ଚଶର ସନ୍ଧାନ କରି ଶିବଙ୍କ ଉପରକୁ ନିକ୍ଷେପ କରିବାରୁ ତାଙ୍କ ଧ୍ୟାନ ଭଗ୍ନ ହେଲା l ତପସ୍ୟା ଭଗ୍ନ ହେବାରୁ ଶିବ ଅତି କ୍ରୋଧିତ ହୋଇ ଚାହିଁ ଦେଲାରୁ ତାଙ୍କ ସମ୍ମୁଖରେ କାମଦେବଙ୍କୁ ଦେଖିଲେ l
ତାଙ୍କର ତୃତୀୟ ନୟନରୁ କ୍ରୋଧାନଳ ବାହାରି କାମଦେବ ଭସ୍ମୀଭୂତ ହୋଇ ଗଲେ l ରତି ଦେବୀଙ୍କ ଆକୁଳ ପ୍ରାର୍ଥନାରେ ସଦାଶିବ କାମଦେବଙ୍କୁ ଜୀବନ ଦାନ ଦେଲେ l କିନ୍ତୁ ଶିବଙ୍କ ଅଭିଶାପରେ ସେ ଅଂଗହୀନ ହୋଇ ଅନଙ୍ଗ ନାମରେ ପରିଚିତ ହେଲେ l ପରେ କାମଦେବ ଅନଙ୍ଗରୁ ନିଜ ସ୍ୱରୂପକୁ ଆସିଥିଲେ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପରେ l ଦେବଗଣଙ୍କ ଉଦ୍ଦେଶ୍ୟ ସିଦ୍ଧ ହେଲା,ଶିବଙ୍କ ତପସ୍ୟା ଭଙ୍ଗ ହେଲା l ଦେବଗଣ ଶିବଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ , ହେ ଦେବଦେବ ମହାଦେବ, ତାରକାସୁରର ଅତ୍ୟାଚାରରେ ସମଗ୍ର ଜଗତ ଅସ୍ଥିର ଆମ୍ଭେମାନେ ଅତି ମାତ୍ରାରେ ଅତିଷ୍ଠ l ଆପଣ ପ୍ରସନ୍ନ ହୋଇ ବିବାହ ନିମନ୍ତେ ସମ୍ମତ ହୁଅନ୍ତୁ l ହିମଗିରି ନନ୍ଦିନୀ ପାର୍ବତୀ ଆପଣଙ୍କୁ ବର ରୂପେ ପାଇବା ପାଇଁ ତପସ୍ୟା କରୁଛନ୍ତି l ଆପଣ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରନ୍ତୁ l ଆପଣଙ୍କର ସନ୍ତାନ ହିଁ ତାରକାସୁରକୁ ବିନାଶ କରି ପାରିବ ଏହା ଵିଧିନିର୍ଦ୍ଦିଷ୍ଟ l ଶିବ ଦେଵଗଣଙ୍କୁ ଆଶ୍ୱସ୍ତ କରି ବିଦାୟ ଦେଲେ l ପରେ ଗିରିରାଜ ନନ୍ଦିନୀ ପାର୍ବତୀଙ୍କୁ ସେ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ପତ୍ନୀ ରୂପେ ଗ୍ରହଣ କଲେ l ମହାଦେବ ଓ ପାର୍ବତୀଙ୍କ ମିଳନରୁ ଏକ ଦିବ୍ୟ ସନ୍ତାନ ଜନ୍ମଲାଭ କଲା l ସେହି ପୁତ୍ରସନ୍ତାନ ହେଉଛନ୍ତି କାର୍ତ୍ତିକେୟ ଯାହାଙ୍କର ଅନ୍ୟ ନାମ ସ୍କନ୍ଦ l କୁମାର କାର୍ତ୍ତିକେୟ ବା ସ୍କନ୍ଦଙ୍କ ମାତା ହୋଇ ଥିବାରୁ ମା’ ଭବାନୀଙ୍କ ଅନ୍ୟ ନାମ ସ୍କନ୍ଧମାତା l ସ୍କନ୍ଦଙ୍କ ଜନ୍ମ ଗଙ୍ଗାକୂଳ ଶରବଣରେ ହୋଇଥିବାରୁ ତାଙ୍କର ଆଉ ଏକ ନାମ ହେଉଛି ଶରଜନ୍ମା ବା ଗାଙ୍ଗେୟ l ତାଙ୍କର ଶୁଭ ଜନ୍ମର ସମାଚାର ପାଇ ଛଅ କୃତ୍ତିକା ମାତା ଭାବରେ ତାଙ୍କୁ ସ୍ତନ୍ୟ ପାନ କରାଇଥିଲେ l ଶିଶୁ କାର୍ତ୍ତିକ ଷଡ଼ମୁଖ ହୋଇ ସେମାନଙ୍କ ଠାରୁ ସ୍ତନ୍ୟ ପାନ କରିଥିବାରୁ ତାଙ୍କର ଆଉ ଗୋଟିଏ ନାମ ହେଉଛି ଷଣ୍ମୁଖ ବା ଷଡ଼ାନନ l ତାଙ୍କର ଏହିଭଳି ଅନେକ ନାମ ଅଛି l ସେ କ୍ରୌଞ୍ଚ ନାମରେ ଏକ ଅସୁର ସଂହାର କରିଥିବାରୁ ତାଙ୍କର ଆଉ ଏକ ନାମ କ୍ରୌଞ୍ଚାରାତି ବା କ୍ରୌଞ୍ଚ ନିସୂଦନ ବା କ୍ରୋଞ୍ଚ ଦାରୁଣ l ସେ ଉପାଖ୍ୟାନଟି ହେଉଛି :-
କ୍ରୌଞ୍ଚ ନାମକ ପର୍ବତରେ ଏକ ଦୁର୍ଜେୟ ଦୈତ୍ୟ ବାସ କରୁଥିଲା l ତାହାର ନାମ ମଧ୍ୟ କ୍ରୌଞ୍ଚ l ହିମାଳୟର ଗୋଟିଏ ଭାଗରେ ରହି ସେ କ୍ରୌଞ୍ଚ ଦ୍ୱୀପରେ ରାଜୁତି କରୁଥିଲା l ପର୍ବତର ଏପରି ଦୁର୍ଗମ ଅଞ୍ଚଳରେ ସେ ବାସ କରୁଥିଲା,ସେଠାକୁ କେହି ଯିବା ସମ୍ଭବ ନଥିଲା l ସେ ଅଜେୟ ଏବଂ ଅବଧ୍ୟ ହୋଇ ରହିଥିଲା l ତା’ର ଆତଙ୍କ ଅତି ପ୍ରବଳ ହେବାରୁ ଶିବଙ୍କ ଆଜ୍ଞାରେ କାର୍ତ୍ତିକେୟ ପର୍ଶୁରାମଙ୍କୁ ସଙ୍ଗରେ ନେଇ ତାକୁ ନିଧନ କରି ଥିଲେ l ସେ କ୍ରୌଞ୍ଚ ପର୍ବତର ଅପର ପାର୍ଶ୍ୱରେ ଲୁଚି ରହିଥିଲା l ଏହା ଜାଣିପାରି ବିଶେଷ ଶକ୍ତି ବଳରେ ଏକ ସଙ୍ଗରେ କାର୍ତ୍ତିକେୟ ସେହି କ୍ରୌଞ୍ଚ ପର୍ବତକୁ ଭେଦ କରିବା ସହିତ ଅପର ପାର୍ଶ୍ୱରେ ଥିବା କ୍ରୋଉଞ୍ଚ ଅସୁରକୁ ବଧ କରିଥିଲେ l
ଦେବଗଣଙ୍କ ପ୍ରାର୍ଥନା ଓ ଶିବ ଶକ୍ତି ନେଇ କୁମାର କାର୍ତ୍ତିକେୟଙ୍କର ଜନ୍ମ ଉଦ୍ଦିଷ୍ଟ ଥିଲା ତାରକାସୁର ସଂହାର ପାଇଁ l କାର୍ତ୍ତିକ ଜନ୍ମବେଳକୁ ତାରକାସୁର ଭୀଷଣ ଉପଦ୍ରବକରି ତାଣ୍ଡବ ରଚିଥିଲା l କାର୍ତ୍ତିକ ଜନ୍ମ ହେବା ମାତ୍ରେ ଯେଉଁ ଭୀଷଣ ରଡ଼ି ଦେଲେ, ସେଥିରେ ତା’ର କିରୀଟ କୁଣ୍ଡଳ ଖସି ପଡ଼ିଲା l ଶରୀରରେ କମ୍ପନ ଜାତ ହେଲା l ଅତି ଆତଙ୍କିତ ହୋଇ ସେ ଆଶଙ୍କା କଲା ବୋଧହୁଏ ନିକଟରେ କିଛି ଅଘଟଣ ଘଟିବାକୁ ଯାଉଛି l
ଏଣେ ତାରକାସୁରର ନିଧନକାରି ଜାତ ହେବା ସମ୍ବାଦ ପାଇ ଦେବଗଣ ଆନନ୍ଦରେ ଉଲ୍ଲସିତ ହେଉ ଥାଆନ୍ତି l ସୁରପତି ଇନ୍ଦ୍ର ଏବଂ ଅନ୍ୟ ଋଷି ମୁନି ମାନଙ୍କ ସହିତ ସାଥୀ ହୋଇ ଦେବତାମାନେ କାର୍ତ୍ତିକଙ୍କ ଜନ୍ମସ୍ଥାନରେ ପହଞ୍ଚି ତାଙ୍କ ଜାତକର୍ମ, ସଂସ୍କାର ଆଦି କଲେ l ଦେବ, ଗନ୍ଧର୍ବ ଓ କିନ୍ନର ମାନଙ୍କ ସେନାର ସେନାପତି ରୂପେ ତାଙ୍କୁ ବରଣ କଲେ l ବ୍ରହ୍ମାଦି ଦେବଗଣ ତାଙ୍କୁ ବହୁ ଉପହାର ମଧ୍ୟ ଦେଲେ l ସଦାଶିବ ତାଙ୍କୁ ଦେଲେ ଇନ୍ଦ୍ରଙ୍କ ପରି ଶକ୍ତିମାନ୍ ଚାରି ପ୍ରମଥ l ଚାରି ପ୍ରମଥଙ୍କ ନାମ ହେଉଛି ଘଣ୍ଟାକର୍ଣ୍ଣ,ଲୋହିତାକ୍ଷ,ନନ୍ଦୀସେନ ଓ କୁମୁଦମାଳି l ବ୍ରହ୍ମା ଓ ଅନ୍ୟ ଦେବତା ମାନେ ମଧ୍ୟ ସେମାନଙ୍କ ପ୍ରମଥ ମାନଙ୍କୁ କାର୍ତ୍ତିକେୟଙ୍କୁ ଅର୍ପଣ କଲେ l ବ୍ରହ୍ମା ଦେଲେ ସ୍ଥାଣୁ ନାମ ପ୍ରମଥ l ବିଷ୍ଣୁ ଦେଲେ ସଂକ୍ରମ, ବିକ୍ରମ ଓ ପରାକ୍ରମ ତିନି ପ୍ରମଥ l ଇନ୍ଦ୍ର ଦେଲେ ଉତ୍କଳେଶ ଏବଂ ପଙ୍କଜ ନାମକ ଦୁଇ ପ୍ରମଥ l ସୂର୍ଯ୍ୟ ଦେଲେ ଦଣ୍ଡକ ଓ ପିଙ୍ଗଳ ନାମକ ଦୁଇ ପରିଚାରକ ଏବଂ ଚନ୍ଦ୍ରଦେବ ଦେଲେ ମଣିବସୁ ମଣି l ଅଶ୍ୱିନୀକୁମାର ଦେଲେ ବତ୍ସନନ୍ଦୀ l ଅନ୍ୟାନ୍ୟ ଦେବତା,ମାତୃକା ଓ ତୀର୍ଥ ମାନେ ମଧ୍ୟ ତାଙ୍କୁ ବହୁ ମୂଲ୍ୟ ଉପହାର ଦେଲେ l ଗରୁଡ଼ ତାଙ୍କର ପୁତ୍ର ମୟୂରକୁ କାର୍ତ୍ତିକଙ୍କୁ ପ୍ରଦାନ କଲେ ଯାହା ତାଙ୍କର ବାହନ ହେଲା lଅରୁଣ ମଧ୍ୟ ନିଜ ପୁତ୍ର ଅଦ୍ଭୁତ ଶକ୍ତିସମ୍ପନ୍ନ କୁକ୍କୁଟକୁ ଦେଲେ l ଅଗ୍ନି ଦେଲେ ତ୍ରିଶୂଳ,ବୃହସ୍ପତି ଦେଲେ ଦଣ୍ଡ ଏବଂ ଗଙ୍ଗା ଦେଲେ କମଣ୍ଡଳୁ l ଶ୍ରୀବିଷ୍ଣୁ ପ୍ରଦାନ କଲେ ଦିବ୍ୟ ମାଳା l ପାର୍ବତୀ ଦେଲେ ସୁନ୍ଦର ବସ୍ତ୍ର ଏବଂ ପିତା ଶିବ ଦେଲେ ମହାର୍ଘ ପଦକ l ଇନ୍ଦ୍ର ଦେଲେ ଦିବ୍ୟ ମୋତି ମାଳା l ଏସବୁ ଦିବ୍ୟ ଅସ୍ତ୍ର,ବସନ, ବାହନ ଓ ଭୂଷଣ ପ୍ରଭୃତିରେ ଭୂଷିତ ଓ ସୁସଜ୍ଜିତ ହୋଇ କାର୍ତ୍ତିକେୟ ଦେବ ସେନାପତି ଭାବରେ ଅଭିଷିକ୍ତ ହେଲେ l ଅଗ୍ନିଦେବ ତାଙ୍କୁ ଦେଇଥିଲେ ଦିବ୍ୟ ତେଜ ଏବଂ ଶ୍ରୀବିଷ୍ଣୁ ଯୁଦ୍ଧ ପାଇଁ ଦିବ୍ୟାସ୍ତ୍ର l
ଦେବଗଣ ତାରକାସୁରର ଉତ୍ପାତ ଓ ଅତ୍ୟାଚାର କାହାଣୀ କହି ତାକୁ ସଂହାର କରିବାପାଇଁ କୁମାର କାର୍ତ୍ତିକେୟଙ୍କୁ ଅନୁରୋଧ କଲେ l ଦେବଗଣଙ୍କୁ ସେ ଆଶ୍ୱାସନା ଦେଇ କହିଲେ, ଆପଣ ନିଶ୍ଚିନ୍ତ ରୁହନ୍ତୁ, ମୁଁ ଅବିଳମ୍ବେ ତାରକାସୁରକୁ ସଂହାର କରିବି l ଏହା କହି ସେ ସୈନ୍ୟସଜ୍ଜା କରି ଯୁଦ୍ଧକୁ ବାହାରିଲେ l
କାର୍ତ୍ତିକେୟଙ୍କ ରଣସଜ୍ଜା ସମୟରୁ ତାରକାସୁର ନଗରୀରେ ନାନା ଅଶୁଭ ଲକ୍ଷଣ ଦେଖା ଗଲା l ସେ ବିଚଳିତହୋଇ ନିଜ ରାଜ ଅଟ୍ଟାଳିକାର ଉଚ୍ଚ ଗମ୍ବୁଜ ଉପରକୁ ଯାଇ ଦେଖିଲା, ଧ୍ୱଜ ପତାକା ଦିଶୁଛି,ଘୋର ରଣନାଦ ଶୁଭୁଛି l ଖବର ନେବାରୁ ଜାଣିଲା ଯେ ଗୋଟିଏ ବାଳକକୁ ସେନାପତି କରି ଦେବ ସେନା ଗଣ ତା’ ସହିତ ଯୁଦ୍ଧ କରିବାକୁ ଆସୁଛନ୍ତି l ବ୍ରହ୍ମା ଦେଇଥିବା ବର ତାର ସ୍ମରଣକୁ ଆସିଗଲା l ବର ଥିଲା ସାତ ଦିନର ଏକ ବାଳକ ହାତରେ ତାର ମୃତ୍ୟୁ ହେବ l ତେଣୁ ଭୟଭୀତ ହୋଇ ପଡ଼ିଲା ସେ l କିନ୍ତୁ ଦମ୍ଭ ସହକାରେ ନିଜ ସେନାପତିକୁ ରଣସଜ୍ଜା କରିବାକୁ କହିଲା l କାଳ ନେମୀ ଆଦି ବିକରାଳ ଅସୁରଙ୍କୁ ଡକାଇ ସେହି ବାଳକକୁ ବନ୍ଧନ କରି ଆଣିବା ପାଇଁ ଆଦେଶ ଦେଲା l ଅସମ୍ଭାଳ ହୋଇ ସେ ନିଜେ ଯାଇ ରଣ ଥାଟ ଆଗରେ ଠିଆ ହୋଇପଡ଼ିଲା l ସେ କହିଲା ରେ ଅପୌଗଣ୍ଡ ବାଳକ,ତୁ କ’ଣ ମୋ ପରି ଜଣେ ପରାକ୍ରମୀ ଏବଂ ଅଜେୟ ଅସୁର ସହ ଲଢ଼ିବାକୁ ଆସିଛୁ ? ତୋର ତ ଏବେ ଖେଳିବାର ବୟସ l ଯୁଦ୍ଧ ତ ଆଉ ଖେଳ ନୁହେଁ ! ତେଣୁ ତୋର ଯଦି ଖେଳିବାକୁ ଇଚ୍ଛା ହେଉଛି,ତା’ହେଲେ ଆ,ସାଙ୍ଗ ହୋଇ ତୋର ମୋର ପେଣ୍ଡୁ ଖେଳିବା l ଏହାଶୁଣି କାର୍ତ୍ତିକ କହିଲେ,ରେ ପାମର ! ବାଳକ ବୋଲି ତୁ ମତେ ହେୟ ମନେ କରୁଛୁ?ମନେରଖ ସକାଳର ସୂର୍ଯ୍ୟ ବାଳସୂର୍ଯ୍ୟ ହେଲେ ମଧ୍ୟ ସେଥିରେ ସୂର୍ଯ୍ୟଙ୍କ ସକଳ ଶକ୍ତି ଥାଏ l ବୀଜମନ୍ତ୍ର ଓଁ, ଗୋଟିଏ ମାତ୍ର ଅକ୍ଷର,ହେଲେ ତାହା ସବୁ ମନ୍ତ୍ରଠାରୁ ଶକ୍ତିଶାଳୀ l ବାଳକଟିଏ ହେଲେ ମଧ୍ୟ ମୁଁ ତୋର ଯମ l
କାର୍ତ୍ତିକେୟଙ୍କର ଏ ସ୍ପର୍ଦ୍ଧା ଶୁଣି ତାରକାସୁର କ୍ରୁଦ୍ଧ ହୋଇ ମୁଦ୍ଗରରେ ତାଙ୍କୁ ପ୍ରବଳ ପ୍ରହାର କଲା l ମାତ୍ର କାର୍ତ୍ତିକ ତାକୁ ବଜ୍ର ଦ୍ୱାରା ତତ୍କ୍ଷଣାତ ଖଣ୍ଡନ କଲେ l ଅସୁର ଆଉ ସବୁ ଯେତେ ଶକ୍ତି ଶାଳୀ ଅସ୍ତ୍ର ପ୍ରହାର କଲା, କାର୍ତ୍ତିକେୟ ସେସବୁ ଅସ୍ତ୍ରକୁ ଧରି ନେଇ ଗୁଣ୍ଡ କରି ଦେଲେ l ନିଜର ଗଦାକୁ ଉଠାଇ ସେ ତାରକାସୁର ଉପରକୁ ପକାଇଲେ l ଶେଷରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ଅସୁର ଉପରକୁ ସେ ନିକ୍ଷେପ କଲେ l ତାହା ବହୁ ତୀବ୍ର ଗତିରେ ଯାଇ ତାରକାସୁରର ବଜ୍ରପରି ହୃଦୟରେ ବିଦ୍ଧ କଲା l ଅସୁରର ମୁଣ୍ଡ,ମୁକୁଟ,କୁଣ୍ଡଳ,କବଚ ସବୁ ଛିନ୍ନଭିନ୍ନ ହୋଇଗଲା l ବିକଟାଳ ଗର୍ଜନସହ ତା’ର ମୃତ ପିଣ୍ଡ ଭୂମିରେ ଲୋଟି ପଡିଲା l
ତାରକାସୁରର ମୃତ୍ୟୁ ହେବାରୁ ଦେବତା,ମୁନିଋଷି ଆଦିଙ୍କର ଆନନ୍ଦର ସୀମା ରହିଲା ନାହିଁ l ପ୍ରସନ୍ନ ଚିତ୍ତରେ ସମସ୍ତେ ଦେବ ସେନାପତି ପାର୍ବତୀ ସୂତ କାର୍ତ୍ତିକେୟଙ୍କର ସ୍ତୁତି ଗାନ କରିବାକୁ ଲାଗିଲେ ।
କାର୍ତ୍ତିକେୟ ବୀର ଓ ତାଙ୍କର ରୂପ ଖୁବ୍ ସୁନ୍ଦର l ତାମିଲ ଭାଷାରେ ‘ମୁରୁଗୁ’ ର ଅର୍ଥ ସୌନ୍ଦର୍ଯ୍ୟ l ତେଣୁ ତାମିଲ ଭାଷାରେ କାର୍ତ୍ତିକେୟଙ୍କୁ ‘ମୁରୁଗନ୍’ ବୋଲି କୁହାଯାଏ l ଓଡ଼ିଶାରେ କୁଆଁରୀ କନ୍ୟା ମାନେ କୁମାର ପୂର୍ଣ୍ଣିମାଦିନ ବା କାର୍ତ୍ତିକେୟଙ୍କ ଜନ୍ମ ଦିନ ଚନ୍ଦ୍ର ପୂଜା କରି କାର୍ତ୍ତିକେୟଙ୍କ ପରି ବୀର ଓ ସୌମ୍ୟ ବପୁ ବର ପାଇବା ପାଇଁ ମାନସିକ କରି ଥାନ୍ତି l ଦକ୍ଷିଣ ଭାରତରେ କାର୍ତ୍ତିକେୟ ଉପାସନା ଖୁବ୍ ଲୋକପ୍ରିୟ l ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡୁରେ କାର୍ତ୍ତିକେୟଙ୍କ ଜନ୍ମ ସ୍କନ୍ଧ ଷଷ୍ଠୀ ଖୁବ ନିଷ୍ଠାର ସହ ପାଳିତ ହୁଏ l ଆମ ରାଜ୍ୟରେ କାର୍ତ୍ତିକେୟଙ୍କ ଉପାସନା ସେତେ ପ୍ରଚଳିତ ନାହିଁ l କେବଳ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ କେତେକ ସ୍ଥାନରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୁଏ l ଆମ ଚୌଦ୍ଵାର ଓ କଟକର କାର୍ତ୍ତିକେଶ୍ୱର ପୂଜା ବହୁ ପ୍ରସିଦ୍ଧ l ତେବେ ରାଜ୍ୟର ଶିବାଳୟ,ଦେବୀ ମନ୍ଦିର ଗୁଡ଼ିକରେ ପାର୍ଶ୍ୱଦେବତା ରୂପେ କାର୍ତ୍ତିକଙ୍କ ମୂର୍ତ୍ତି ଥିବାର ଦେଖାଯାଏ l ଦୁର୍ଗା ପୂଜାରେ ମାଆ ଦୁର୍ଗାଙ୍କ ମେଢ଼ରେ କାର୍ତ୍ତିକ ବିରାଜିତ ଥାଆନ୍ତି l
କେତେକ ଗବେଷକଙ୍କ ମତ ଦିଅନ୍ତି ଭୁବନେଶ୍ୱର ଖଣ୍ଡଗିରି ନାମ ପ୍ରଥମେ କୁମାରଗିରି ଥିଲା ବୋଲିl କୁମାର ଓ ସ୍କନ୍ଦ କାର୍ତ୍ତିକେୟଙ୍କ ଗୋଟିଏ ଗୋଟିଏ ନାମ l ତେଣୁ କୁମାରଗିରି ପରେ ସ୍କନ୍ଦଗିରି ହୋଇ ପରେ ଖଣ୍ଡଗିରି ହୋଇଛି lଏଥିରୁ ଓଡ଼ିଶାରେ ଯେ ଦିନେ କାର୍ତ୍ତିକେୟଙ୍କର ଉପାସନା ପ୍ରଚଳିତ ଥିଲା ତାହାର ପ୍ରମାଣ ମିଳି ଥାଏ l ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାର ବିମଳା ମନ୍ଦିରର ପ୍ରବେଶ ପଥର ଡାହାଣ ପଟେ କାର୍ତ୍ତିକେୟଙ୍କର ଛଅମୁଖ ଓ ବାର ହାତର ଏକ ସୁନ୍ଦର ମୂର୍ତ୍ତି ଅଛି l ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରରେ ମଧ୍ୟ କାର୍ତ୍ତିକେୟଙ୍କର ଏକ ଛୋଟ ମନ୍ଦିର ଅଚ୍ଛି l
ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ରରେ କାର୍ତ୍ତିକେୟଙ୍କର ବହୁ ବର୍ଣ୍ଣନା ରହିଛି l ଅଷ୍ଟାଦଶ ପୁରାଣ ମାନଙ୍କ ମଧ୍ୟରେ କାର୍ତ୍ତିକଙ୍କ ନାମରେ ସ୍କନ୍ଦ ପୁରାଣ ରହିଛି l ସ୍କନ୍ଦପୁରାଣରେ ଅନ୍ୟାନ୍ୟ ବହୁ ବିଷୟ ରହିଥିଲେ ହେଁ ଏଥିରେ କାର୍ତ୍ତିକେୟଙ୍କ ଜନ୍ମ ଓ ତାରକାସୁର ବଧ ମୁଖ୍ୟ ପ୍ରସଙ୍ଗ l କାର୍ତ୍ତିକେୟଙ୍କ ଜନ୍ମ କଥାକୁ ଉପଜୀବ୍ୟ କରି ମହାକବି କାଳିଦାସ ସୃଷ୍ଟିକରି ଯାଇଛନ୍ତି ଭାଷା ଜଗତର ବିସ୍ମୟ ସଂସ୍କୃତ କାଳ ଜୟୀ ମହାକାବ୍ୟ, ‘କୁମାର ସମ୍ଭବମ୍’ l ସଂସ୍କୃତ ଶାସ୍ତ୍ର ଓ ଗ୍ରନ୍ଥ ମାନଙ୍କରେ କାର୍ତ୍ତିକେୟଙ୍କର ବହୁ ଧ୍ୟାନ ଶ୍ଳୋକ ଅଛି l ତନ୍ମଧ୍ୟରୁ ଗୋଟିଏ ଉଲ୍ଲେଖ କରି ଓ ଭଗବାନ କାର୍ତ୍ତିକେୟଙ୍କୁ ଧ୍ୟାନ କରି ଏ ପ୍ରସଙ୍ଗ ପରିସମାପ୍ତି କରୁଛି :-
ନମାମି ନିତ୍ୟଂ ଶିଖିପୃଷ୍ଠସଂସ୍ଥିତଂ
ଗୌରୀସୁତଂ ସ୍କନ୍ଦଷଡ଼ାନନଂ ବିଭୁଂ l
ତଂ ରୁଦ୍ରପୁତ୍ରଂ ସୁରଲୋକବନ୍ଦ୍ୟଂ
ଭଜାମି ଦେବାଗ୍ରସେନାଗ୍ରଗଣ୍ୟମ୍ ॥
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Comments are closed.