SIR ଆସିଛି, କାଗଜ ଖୋଜ!

✍️ ସୁରେନ୍ଦ୍ର ତ୍ରିପାଠୀ

SIR ଆସିଛି ଗାଁକୁ ଧାଇଁ,
କାଗଜ ଖୋଜନ୍ତି ବୁଢ଼ାଠୁ ଯୁବା ଯାଇ!
କିଏ ଖୋଜେ ଜନମ ପ୍ରମାଣ,
କିଏ ଖୋଜେ ପୁରୁଣା ନିଶାଣ!

ଅଜାଙ୍କ ନାମରେ ଜମିର ପଟ୍ଟା,
ବାପାଙ୍କ ନାମରେ ପୁରୁଣା ଖାତା,
ନିଜ ନାମ ଖୋଜି ଖୋଜି ହାଲିଆ,
ଘରେ ଘରେ ଚାଲେ କାଗଜ ଖୋଜା!

ବୁଢ଼ା କହେ—“ମୁଁ ଏଇଠି ଜନମି,
ଏଇ ଗାଁ ମାଟିରେ ବଡ଼ ହୋଇଛି ମୁଁ!
ଏତେ ବର୍ଷ ହେଲା ଭୋଟ ଦେଇ ଆସୁଛି,
ଏବେ କେଉଁ ପ୍ରମାଣ ମାଗୁଛ ତୁମେ?”

ବାବୁ କହନ୍ତି—“ନିୟମ ଅଛି ଭାଇ,
କାଗଜ ନ ଦେଲେ କିପରି ହେବ କହି?”
ବୁଢ଼ା କହେ—“କାଗଜ ଯଦି ହଜିଗଲା,
ମୋ ଜନମ କ’ଣ ମିଛ ହୋଇଗଲା?”

ନେତାଙ୍କ ଭାଷଣ ଶୁଣିଲେ ଲାଗେ,
ସବୁ ସମସ୍ୟା ମୁହୂର୍ତ୍ତେ ଭାଗେ!
କିଏ କହେ—“SIR ଦେଶର ହିତ,”
କିଏ କହେ—“ଜନତାଙ୍କୁ ଦେଉଛି କଷ୍ଟ!”

କିଏ ଠିକ୍, କିଏ ଭୁଲ୍—ବିଚାର କର,
ଖାଲି ନାରା ନୁହେଁ, ପ୍ରମାଣ ଦେଖ!
ଭୋଟର ତାଲିକା ହେଉ ଶୁଦ୍ଧ,
ନିର୍ଦ୍ଦୋଷଙ୍କ ଅଧିକାର ରହୁ ଅବିରତ!

SIR ବାବୁ, ଗୋଟିଏ କଥା ଶୁଣ,
କାଗଜ ଯାଞ୍ଚରେ ମଣିଷକୁ ନ ଭୁଲ!
ଭୁଲ୍ ନାମ କାଟ, ଠିକ୍ ନାମ ରଖ,
ଜନତାଙ୍କ ଅଧିକାରକୁ ସୁରକ୍ଷା ଦିଅ!

କାଗଜ ଖୋଜୁ ଖୋଜୁ ନ ଯାଉ ଦିନ,
ନ୍ୟାୟ ମିଳିଗଲେ ହସିବେ ଜନଗଣ!

Comments are closed.