କାର୍ତ୍ତିକ ମାହାତ୍ମ୍ୟ କଥା ସର୍ବୌଷଧି ତୁଳସୀ

0

କାର୍ତ୍ତିକ ମାହାତ୍ମ୍ୟ କଥା
ସର୍ବୌଷଧି ତୁଳସୀ
=============
ମଣିଷ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ପ୍ରକୃତି ଏବଂ ପରିବେଶ ସହ ସୃଷ୍ଟି କର୍ତ୍ତା ବହୁ ଉପାଦାନ ମାନ ଖଞ୍ଜି ଦେଇଛନ୍ତି l ସେଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ସର୍ବାଦୌ କର୍ତ୍ତବ୍ୟ l ଆସନ୍ତୁ ଜାଣିବା ପ୍ରକୃତିର ମହାନଦାନ ଦିବ୍ୟଗୁଳ୍ମ ତୁଳସୀ ବିଷୟରେ କେଇ କଥା l
ହିନ୍ଦୁଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ l ଏହାର କେବଳ ଧାର୍ମିକ ନୁହେଁ, ଅଧିକନ୍ତୁ ବହୁତ ବୈଜ୍ଞାନିକ ମହତ୍ତ୍ୱ ରହିଛି l ଉପବାସ, ବ୍ରତ ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ଭଗବାନ ବିଷ୍ଣୁଙ୍କ ନୈବେଦ୍ୟରେ ତୁଳସୀ ଅର୍ପଣ କରାଯାଏ l ହିନ୍ଦୁ ଧର୍ମର ପ୍ରତି ଲୋକଙ୍କ ଘରେ ତୁଳସୀ ଚଉଁରାରେ ତୁଳସୀବୃକ୍ଷ ନିଶ୍ଚିନ୍ତ ଭାବେ ରହିଥାଏ l ନିୟମିତ ସକାଳ ଏବଂ ସନ୍ଧ୍ୟା ସମୟରେ ତୁଳସୀଙ୍କୁ ପୂଜା କରାଯାଏ l ଭଗବାନ ବିଷ୍ଣୁ,ଶ୍ରୀକୃଷ୍ଣଙ୍କ ପୂଜାରେ ତୁଳସୀ ବିନା ପୂଜା ସମ୍ପୂର୍ଣ୍ଣ ହୁଏ ନାହିଁ l ପୁରାଣ ମାନଙ୍କରେ ତୁଳସୀଙ୍କ ମାହାତ୍ମ୍ୟ ବିଷୟରେ ବହୁ ବର୍ଣ୍ଣନା ଦେଖା ଯାଏ l ଶ୍ରୀ ପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟରେ ତୁଳସୀଙ୍କ ସୃଷ୍ଟି ଓ ମହିମା ବିଷୟରେ ସୁନ୍ଦର ବର୍ଣ୍ଣନା ରହିଛି l ତୁଳସୀବୃକ୍ଷର ପ୍ରତ୍ୟେକ ଅଂଶରେ ଔଷଧିୟ ଗୁଣ ରହିଛି l ଏଣୁ ଆୟୁର୍ବେଦରେ ଏହା ଏକ ସବୌଷଧିର ମାନ୍ୟତା ଲାଭ କରିଛି l
ଶ୍ରୀକ୍ଷେତ୍ରରେ କାର୍ତ୍ତିକମାସ ଶୁକ୍ଳପକ୍ଷ ଦେବୋତ୍ଥାନ ଏକାଦଶୀରେ ତୁଳସୀ ବିବାହ କରା ଯାଇ ଥାଏ l ଏହି ଦିନ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମଙ୍କ ସହ ତୁଳସୀଙ୍କ ବିବାହ ହୋଇଥାଏ l ଏ ତୁଳସୀ ବିବାହ କନ୍ୟାଦାନ ସମାନ ପୁଣ୍ୟଦାୟୀ l ତୁଳସୀ ବିବାହ ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ ଓ ମଙ୍ଗଳ ବିରାଜମାନ କରେ l
ତୁଳସୀ ବିଷ୍ଣୁଙ୍କର ଅତି ପ୍ରିୟ l ବିଷ୍ନୁପ୍ରିୟା ତୁଳସୀ l ତୁଳସୀ ବିଷ୍ଣୁଙ୍କ ସହ ସମାନ l ସେ ବିଷ୍ଣୁଙ୍କ ଦ୍ୱାରା ଏହା ଅନୁଗୃହୀତ ହୋଇଛନ୍ତି l କାର୍ତ୍ତିକ ବ୍ରତ ବିଷ୍ଣୁ ପୂଜା ହେତୁରୁ ତୁଳସୀଙ୍କର ଗୁରୁତ୍ୱ ଏହି ମାସରେ ବହୁ ଅଧିକ l ତୁଳସୀ ପୂଜନ ବିଷ୍ଣୁ ପୂଜନ ସହିତ ସମାନ l ଏକ ଗୃହସ୍ଥ ପାଇଁ ତୁଳସୀ ଧ୍ୟାନ,ଧାରଣା ଓ ମୁକ୍ତିର ମାର୍ଗ l ତୁଳସୀ ସର୍ବପାପ ଖଣ୍ଡନକାରୀ l ସେଥିପାଇଁ ଆମ ପରମ୍ପରା ଏବଂ ଧର୍ମରେ ସକଳ ଗୃହ ପ୍ରାଙ୍ଗଣରେ ଅଥବା ମଠ ମନ୍ଦିରରେ ତୁଳସୀ ପୂଜିତ ହୋଇ ଆସୁଛନ୍ତି l
କାର୍ତ୍ତିକ ମାସରେ ତୁଳସୀଙ୍କ ବିବାହ କରା ଯାଏ l ବଡ଼ ଏକାଦଶୀଠାରୁ ପୂର୍ଣ୍ଣିମା ଭିତରେ ତୁଳସୀଙ୍କୁ ରାଧା ରୂପେ ଶ୍ରୀକୃଷ୍ଣଙ୍କୁ ବିବାହ କରାଯାଏ l ମାଘ ମାସରେ ତୁଳସୀ ଦଳ ମଞ୍ଜରୀ ଦ୍ୱାରା କେଶବଙ୍କୁ ଅର୍ଚ୍ଚନା କଲେ ସର୍ବଯଜ୍ଞର ଫଳପ୍ରାପ୍ତି ହୋଇଥାଏ l ତୁଳସୀ ମାଳରେ ଗୋବିନ୍ଦଙ୍କ ପୂଜାରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇ ଥାଏ l ଏଣୁ ଶାସ୍ତ୍ରରେ କୁହା ଯାଇଛି :-
ସୁକୋମଳ ଦଳଇର୍ଯ୍ୟସ୍ତୁ ମଞ୍ଜରୀର୍ଭିଜ୍ଜନାର୍ଦ୍ଦନମ୍,
ଅର୍ଚ୍ଚୟୋନ୍ମlଘେମାନେ ତୁବ୍ରତନାମ୍ ଲଭତେ ଫଳl
ସଂପୂଜ୍ୟ ତୁଳସୀ ଭକ୍ତ୍ୟl ଘନଶ୍ୟାମମ୍ ଜନାର୍ଦ୍ଦନଂ
ଚତୁରବାର୍ଷିକାନ ସମ ଅଶ୍ୱମେଧାଯୁତଂ ଲଭେତ l
ପୁନଶ୍ଚ ପୂଜ୍ୟା ତୁଳସୀର ମାହାତ୍ମ୍ୟ ବର୍ଣ୍ଣନା କରି କୁହା ଯାଇଛି :-
ତୁଳସୀ ସର୍ବ ଭୂତାନାଂ ମହାପାତକ ନାଶିନୀ l
ତ୍ୱତମୂଳେ ସର୍ବତିର୍ଥାନୀ,ତ୍ୱତମେଂ ସର୍ବଦେବାନା l
ଶୃଙ୍ଖଳିତ ପାରିବାରିକ ଦାମ୍ପତ୍ୟ ଜୀବନ ଯାପନ ଏବଂ ସମାଜ ଗଠନ କରିବାପାଇଁ ତୁଳସୀ ପୂଜନ ଏକ ଅମୂଲ୍ୟ ଉପହାର l ଧର୍ମ କଥାକୁ ବାଦଦେଇ ଆମେ ତୁଳସୀ କଥା ବିଚାରକୁ ନେଲେ ଦେଖିବା ଏହାର ଔଷଧିୟ ଗୁଣର ପଟାନ୍ତରନାହିଁ l ତୁଳସୀ ମୂଳ ଜଳ ଗଙ୍ଗାସମ ପବିତ୍ର,ଏ ଜଳ ବହୁ ଉଦର ବ୍ୟାଧି ଉପଶମକାରୀ l ତା’ ଡାଳରେ ବିଷ୍ଣୁ ଥାନ୍ତି ଅର୍ଥାତ୍ ତୁଳସୀର ମାଳ ଓ ତୁଳସୀ ଡାଳର ମାଳ ପିନ୍ଧିଲେ ଚର୍ମରୋଗ ହୁଏ ନାହିଁ l ତା’ର ପତ୍ରରେ ଦେବତା ନିବାସ କରନ୍ତି ଅର୍ଥାତ ତୁଳସୀର ପତ୍ର ସେବନରେ କାଶ,ଶ୍ୱାସ ଆଦି ଶର୍ଦ୍ଦି ଜନିତ ବ୍ୟାଧି ହୁଏ ନାହିଁ l ପୁନଶ୍ଚ ତା’ ପତ୍ରରେ କର୍ପୁର ଥିବାରୁ ଖାଦ୍ୟ ପଦାର୍ଥରେ ପକାଇଲେ କୀଟମାନେ ବସନ୍ତି ନାହିଁ lଏଣୁ ତୁଳସୀ ସର୍ବଥା ମଣୋହି ବା ଭୋଜନ ଯୋଗ୍ୟ l ବାଡ଼ିରେ ତୁଳସୀ ଗଛ ଥିଲେ ରୋଗ ସୃଷ୍ଟିକାରୀ ଜୀବାଣୁ ମାନେ ଆସନ୍ତି ନାହିଁ l ସାପ ଘରେ ପ୍ରବେଶ କରନ୍ତି ନାହିଁ, କାଛୁ, କୁଣ୍ଡିଆ, ଯାଦୁ, ବିରୁଡ଼ି, ମହୁମାଛି କାମୁଡ଼ା ତଥା ଅନ୍ୟାନ୍ୟ କୀଟ ଦଂଶନ ନିମନ୍ତେ ତୁଳସୀ ଏକ ଅଵ୍ୟର୍ଥ ଔଷଧ l ନିର୍ଦ୍ଦିଷ୍ଟ ଅନୁପାତରେ ଏହା ବିଭିନ୍ନ ଦ୍ରବ୍ୟ ସହିତ ମିଶି ଦୁରାରୋଗ୍ୟ ବ୍ୟାଧିର ଔଷଧ ତିଆରିରେ ବ୍ୟବହୃତ ହୁଏ l ଆୟୁର୍ବେଦ ଓ ଆଧୁନିକ ଚିକତ୍ସା ବିଜ୍ଞାନରେ ଏହାର ପ୍ରୟୋଗ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ l ଅସୁମାରୀ ଏହାର ଉପକାରୀ ଗୁଣ l
ତୁଳସୀ ଏକ ଭାରତୀୟ ଉଦ୍ଭିଦ l ଏହା ଷୋଡଶ ଶତାବ୍ଦୀରେ ପ୍ରଥମେ ଇଉରୋପକୁ ଯାଇଥିଲା ଓ ପରେ ପୃଥିବୀର ଅନ୍ୟାନ୍ୟ ଦେଶ ମାନଙ୍କୁ ଯାଇ ଥିଲା l ସାରା ବିଶ୍ୱରେ ଏହା ଔଷଧିୟ ଗୁଳ୍ମଭାବେ ପ୍ରସିଦ୍ଧି ଲାଭ କରିଛି l ଶ୍ୱେତ ତୁଳସୀ ବା ରାମ ତୁଳସୀ ଅପେକ୍ଷା କୃଷ୍ଣତୁଳସୀ ଅଧିକ ଔଷଧୀୟ ଗୁଣଯୁକ୍ତ l ତୁଳସୀର ବହୁମୁଖୀ ଔଷଧିୟ ଗୁଣ ଯୋଗୁଁ ଏହା ଶ୍ରେଷ୍ଠ ବନସ୍ପତି ଭାବେ ଖ୍ୟାତି ଲାଭ କରିଛି l
ତୁଳସୀର ଏ ସବୁ ଗୁଣ ପାଇଁ ଆମ ଶାସ୍ତ୍ର ତୁଳସୀ ଚୟନ ପାଇଁ ବିଭିନ୍ନ ଵିଧି ପ୍ରଣୟନ କରିଛି l ସ୍ନାନ ନକରି, ଅଶୌଚ ତିଥି,ସନ୍ଧ୍ୟା ଓ ରାତ୍ରୀ କାଳରେ, ଅଧୌତ ବସ୍ତ୍ର ପରିଧାନ କରି ତୁଳସୀ ଚୟନ ସର୍ବ କାଳେ ବର୍ଜନୀୟ l ସୁଦ୍ଧପୂତ ଭାବେ ତଥା ପବିତ୍ର ମନରେ ତୁଳସୀ ଚୟନ କରିବା ବିଧେୟ l ବାର ଗୋଟି ପତ୍ରରୁ ଅଧିକ ପତ୍ର ଚୟନ ନିଷିଦ୍ଧ ଅଟେ l ଚୟନ ବେଳେ ତୁଳସୀ ବୃକ୍ଷକୁ ପ୍ରଣାମକରି ନିମ୍ନ ମନ୍ତ୍ର ଉଚ୍ଚାରଣ କରି ଚୟନ କରିବା ଉଚିତ l
ତୁଳସୀମୃତନାଂ ମାସି ସଦାତ୍ଵଂ କେଶବ ପ୍ରିୟେ l
କେଶବାର୍ଥେ ଛିନ୍ନୋମିତ୍ୱାମ୍
ବରଦା ଭଵ ଶୋଭନେ ll
ଦ୍ୱାଦଶମ୍ ସମ୍ଭବବେଇଃ ପତ୍ରେ
ପୁଜୟାମି ଯଥା ହରିମ୍ l
ତଥା କୁରୁ ପଵିତ୍ରାଙ୍ଗି କଲୌମଳ ବିନାଶିନୀ ll
ଉପସଂହାରରେ ଏତିିକି କୁହାଯାଇ ପାରେ, ଧର୍ମ ଦୃଷ୍ଟିରୁ ହେଉ ବା ବିଜ୍ଞାନ ଦୃଷ୍ଟିରୁ ହେଉ ତୁଳସୀ ମାନବ ପାଇଁ ସର୍ବଥା ପୂଜନୀୟା ଏବଂ ନମସ୍ୟା l ତୁଳସୀ ଯୁଗେ ଯୁଗେ ଭଗବାନ ବିଷ୍ଣୁଙ୍କର ଅତି ପ୍ରୀୟ ହୋଇ ରହିଛି l ସତ୍ୟରେ ନାରାୟଣ l ତ୍ରେତାରେ ଶ୍ରୀରାମ, ଦ୍ୱାପରରେ ଶ୍ରୀକୃଷ୍ଣ ଓ କଳି ଯୁଗରେ ଶ୍ରୀ ଜଗନ୍ନାଥଙ୍କ ଶିର ଏବଂ ବପୁ ମଣ୍ଡନ କରୁଛି ତୁଳସୀ l ତୁଳସୀ ମହିମା ଗାନ କରି ସନ୍ଥ ଶ୍ରୀତୁଳସୀ ଦାସ ରାମଚରିତ ମାନସରେ କହିଛନ୍ତି :-
ଅକ୍ଷତ ଅଙ୍କୁର ଲୋଚନ ଲାଜା l
ମଞ୍ଜୁଲ ମଞ୍ଜରୀ ତୁଲସୀ ବିରାଜା ll
ସଗୁନ ସୁଗନ୍ଧ ନ ଜାହିଁ ବଖାନି l
ମଙ୍ଗଲ ସକଲ ସଜହିଁ ସବ ରାନୀ ll
ଭଗବାନଙ୍କୁ ତୁଳସୀ ଦଳ ଓ ମଞ୍ଜରୀ ଅର୍ପଣରେ ଶୁଭଫଳ ପ୍ରାପ୍ତି ହୋଇଥାଏ l ପଦ୍ମପୁରାଣ ମତେ ତୁଳସୀ ବୃକ୍ଷରେ ସ୍ୱୟଂ ଦେବତାମନେ ବାସ କରି ଥାଆନ୍ତି l ଯେଉଁ ନୈବେଦ୍ୟରେ ତୁଳସୀ ପ୍ରୟୋଗ କରାଯାଏ ନାହିଁ, ତାହା ଭଗବାନ ସ୍ୱୀକାର କରନ୍ତି ନାହିଁ ଓ ତାହା ନୈବେଦ୍ୟ ପଦବାଚ୍ୟ ନୁହେଁବୋଲି ମାନ୍ୟତା ରହିଛି l ଏଣୁ କୁହାଯାଇଛି :-
ମୂଳେ ତୋର ଗଙ୍ଗା ଡ଼ାଳେ ତୋର
ବିଷ୍ଣୁ ପତ୍ରେ ଦେବତାଙ୍କ ବାସ l
ସେ ପତ୍ର ପଡ଼ିଲେ ମଣୋହି ହୁଅଇ
ବୋଲଇ ଗୋରଖ ଦାସ ॥
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ସୁନ୍ଦରପଦା, ଭୁବନେଶ୍ୱର
ମୋ – 7693091971

Leave A Reply

Your email address will not be published.