ଆନ୍ଧ୍ର ମୁହାଁ ବାତ୍ୟା ‘ଅକଭାନ୍‌’ : ୨୦ରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ

0

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଶେଷରେ ବାତ୍ୟା ‘ଅକଭାନ୍‌’ର ରୂପ ନେଇଛି। ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିବା ଏହି ବାତ୍ୟା ଆସନ୍ତା ୨୦ ତାରିଖ ମଧ୍ୟାହ୍ନରେ ନେଲୋର୍ ଓ ଟୁନି ମଧ୍ୟରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍‌) ଅତିକ୍ରମ କରିବାର ସମ୍ଭାବନା ଥିବାବେଳେ, ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗଭୀର ଅବପାତ ଧିରେ ଧିରେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅର୍ଥାତ ୧୭ ତାରିଖ ସୁଦ୍ଧା ଏକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ୧୯ ତାରିଖ ରାତିରେ ଏହା ଏକ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ବା ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ଭାବେ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ତା’ପରଦିନ ଅର୍ଥାତ ୨୦ ତାରିଖ ମଧ୍ୟାହ୍ନ ପାଖାପାଖି ଏହା ନେଲୋର୍ ଓ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି, ଝଟକା ପବନ ୧୪୫ କିଲୋମିଟର ରହିପାରେ।

ତେବେ ଗତ ଅକ୍ଟୋବରରେ ଆସିଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଭଳି ‘ଅକଭାନ୍‌’ ମଧ୍ୟ ଏକ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ଆକାରରେ ଦକ୍ଷିଣ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ‘ଅର୍ଣ୍ଣବ’ ତୁଳନାରେ ଏହାର ପ୍ରଭାବ ଓଡ଼ିଶାରେ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖଠାରୁ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା। ସେହିଦିନ ଉପକୂଳ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି ି ପୂର୍ବାନୁମାନ କରିଛି। ତେବେ ୧୯, ୨୦ ଓ ୨୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୯ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଏବଂ ୨୧ ତାରିଖରେ କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହୋଇଥିବା ବେଳେ ଓଡ଼ିଶାର ଅନେକ ଜିଲ୍ଲାରେ ଆସନ୍ତା ୧୯ ଓ ୨୦ ତାରିଖରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଅକ୍ଟୋବର ଓ ନଭେମ୍ବର ମାସରେ ସାଧାରଣତଃ ପ୍ରାୟ ୩ଟି ବାତ୍ୟା ସୃଷ୍ଟି ହୋଇଥାଏ। ଚଳିତଥର ମଧ୍ୟ ୩ଟି ବାତ୍ୟା ସୃଷ୍ଟି ହେବାକୁ ଯାଉଥିବା ବେଳେ ଏହା ତୃତୀୟ ବାତ୍ୟା ହେବ ବୋଲି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.