ମାୟା ଜାଙ୍ଗଳିକ କଥା

ଅର୍ଜୁନୀ ଚରଣ ବେହେରା

ମହାଭାରତର ମହାଯୁଦ୍ଧ ଶେଷ ହୋଇଗଲା l ଯୁଦ୍ଧ ଜୟୀ ପାଣ୍ଡବ ମାନେ ଦିନେ ଶିବିରରେ ବସି ଯୁଦ୍ଧର ସେହି ବିଭୀଷିକାମୟ କାହାଣୀ ବର୍ଣ୍ଣନା କରୁଥାନ୍ତି l ଭୀମ କହିଲେ ମୁଁ ନ ଥିଲେ ଦୁର୍ଯ୍ୟୋଧନ ଦୁଃଶାସନ ଆଦିଙ୍କୁ ମାରିଥାନ୍ତା କିଏ l କିଏ ଦ୍ରୌପଦୀଙ୍କ ବେଣୀ ବନ୍ଧନ କରିଥାନ୍ତା? ମାତା କୁନ୍ତୀଙ୍କ ଦୃଷ୍ଟିରେ ମୁଁ ସବୁ ଠାରୁ ବଡ଼ଯୋଦ୍ଧା l ଏହା ଶୁଣି ଅର୍ଜୁନ କହିଲେ, ମୁଁ କେଉଁ କମ୍ କି l ମୁଁ ପରା ମହାଯୋଦ୍ଧ ଭୀଷ୍ମଙ୍କୁ ମୋ ବାଣ ଦ୍ୱାରା ଶର ଶଯ୍ୟାରେ ଶୋଇଦେଲି l କର୍ଣ୍ଣଙ୍କ ପରି ମହଯୋଦ୍ଧାଙ୍କୁ ମୁଁ ହିଁ ସଂହାର କଲି l
କିଏ ବଡ଼ଯୋଦ୍ଧା ବୋଲି ଭୀମ ଓ ପାର୍ଥଙ୍କ ମଧ୍ୟରେ ଏହି ବିବାଦ ଯାଇ ପହଞ୍ଚିଲା ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ l କେହି କାହାରିକୁ ତ କମନୁହଁନ୍ତି l ଦୁହେଁ ପୁଣି ଅନୁଜ l ଯୁଧିଷ୍ଠିର, କହାକୁ ବା ବଡ଼ କହିବେ l ଏହା ନେଇ ସେ ବଡ଼ ସମସ୍ୟାରେ ପଡ଼ିଲେ l ଆଉ କିଛି ଉପାୟ ନପାଇ ସେ ସ୍ମରଣ କଲେ ବାସୁଦେବ ଶ୍ରୀକୃଷ୍ଣଙ୍କୁ l ବାସୁଦେବ ଦୁହିଁଙ୍କ ଗର୍ବ ଖର୍ବକରିବାକୁ ବିଚାର କରି ଏକ ମାୟା ଜାଙ୍ଗଳିକ ସାପୁଆ କେଳା ବେଶରେ ଆସି ପହଞ୍ଚି ଗଲେ l
ସେ ଆସିଥାନ୍ତି ଏକ ପକ୍ଷୀରାଜ ଘୋଡ଼ାରେ l ତାଙ୍କ ପେଡ଼ିରେ ଥାଏ ଏକ ସୁନାର ସର୍ପ l ପାଣ୍ଡବ ଶିବିର ଆଗରେ ଡମ୍ବରୁବଜାଇ ସେ ପଦ୍ମତୋଳା ଗାଇଲେ, “କଂସର ଘରଣୀ ପଦ୍ମାବତୀ ରାଣୀ କଲା ଧନିତିରି ଓଷା, ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନାଇ ନ ଥିବ ପାଖୁଡ଼ା ମିଶା”l ପଦ୍ମତୋଳା ଶୁଣି ପାଞ୍ଚ ଭାଇ ଯାକ ଶିବିର ବାହାରକୁ ଚାଲି ଆସିଲେ l କେଳାକୁ ଦେଖି ଭୀମ କହିଲେ,ଆରେ ତୁ ଗୋଟିଏ ସାମାନ୍ୟ କେଳା ହୋଇ ଏ ପକ୍ଷୀରାଜ ଘୋଡ଼ା, ସୁନାର ସାପ ପାଇଲୁ କେଉଁଠୁ l ତୁ ଏସବୁକୁ କେଉଁଠୁ ଚୋରାଇ ଆଣିଛୁ l ସତ କହ,ନହେଲେ ତତେ ମାରି ପକାଇବି l କେଳା କହିଲା, ‘ମୁଁ ଜାଣିଛି, ଆପଣ ଜଣେ ମହାଯୋଦ୍ଧା l ଆପଣ ଏହି ସାପର ଲାଞ୍ଜକୁ ଥରେ ଉଠାଇ ଦିଅନ୍ତୁ ତ ମୁଁ ଦେଖିବି ଆପଣ କେଡ଼େବଡ଼ ଯୋଦ୍ଧା’ l ଭୀମ କହିଲେ,ଏଇ ସାମାନ୍ୟ କଥା l ଏହାକୁ ତ ମୁଁ ଫୁଙ୍କି ଦେଲେ ଉଡ଼ିଯିବ l କେଳା କହିଲା, ହଉ ! ଆପଣ ଚେଷ୍ଟା କରନ୍ତୁ l କିନ୍ତୁ ଗୋଟିଏ ସର୍ତ୍ତ, ଆପଣ ସାପ ଲାଞ୍ଜ ଉଠାଇ ନପାରିଲେ ବାର ବର୍ଷ ବନବାସରେ ଯିବେ l ଭୀମ ” ଆଚ୍ଛା ଏମନ୍ତ କଥା” କହି ସାପର ଲାଞ୍ଜକୁ ଧରିଲେ l ଉଠାଇବେ କଅଣ, ସେ ଟିକିଏ ବି ସାପର ଲାଞ୍ଜକୁ ହାଲାଇ ପାରିଲେ ନାହିଁ l
ଏହା ଦେଖି ଅର୍ଜୁନ ଦୌଡ଼ି ଆସିଲେ ସାପ ଲାଞ୍ଜକୁ ଉଠାଇ ଦେବେ ବୋଲି l ସାପୁଆ କେଳା ଅର୍ଜ୍ଜୁନଙ୍କୁ କହିଲା, ତୁମପାଇଁ ମୋର ସର୍ତ୍ତରହିଲା, ତୁମେ ଯଦି ସାପର ଲାଞ୍ଜକୁ ଉଠାଇ ନପାରିବ, ତେବେ ମୋର ଏହି ପକ୍ଷୀରାଜ ଘୋଡ଼ାରେ ତୁମେ ସାତ ଦିନ ସାତ ରାତି ଚଉଦ ଭୂବନ ବୁଲିବ l ଏଥିରେ ତୁମେ ଯଦି କୃତକାର୍ଯ୍ୟ ହେବ, ତେବେ ଭୀମ ତାଙ୍କ ବନବାସରୁ ମୁକ୍ତି ପାଇବେ l ଅର୍ଜୁନ ଶତଚେଷ୍ଟା କରି ମଧ୍ୟ ସାପ ଲାଞ୍ଜକୁ ଟିକିଏ ମାତ୍ର ହଲାଇ ପାରିଲେ ନାହିଁ l ସର୍ତ୍ତ ଅନୁସାରେ ଅର୍ଜ୍ଜୁନ କେଳାର ପକ୍ଷୀରାଜ ଅଶ୍ଵକୁ ଧରି ବାହାରି ପଡ଼ିଲେ ଚଉଦ ଭୁବନ ଭ୍ରମଣ ପାଇଁ l
ପକ୍ଷୀରାଜ ପବନବେଗରେ ଉଡ଼ି ଚାଲିଲା l ଅର୍ଜୁନ ଚଉଦଭୁବନ ବୁଲିବେ କଅଣ, କିଛିଦୂର ଯାଇଛନ୍ତି ସେ ଘୋଡ଼ାପିଠିରୁ ଏକ ଅରଣ୍ୟ ମଧ୍ୟରେ ଖସିପଡ଼ି ଚେତା ହରାଇ ପଡ଼ିଲେ l ଅରଣ୍ୟରେ ସଖି ମାନଙ୍କ ସହ କ୍ରୀଡ଼ା କରୁଥିଲେ, ସେହି ରାଜ୍ୟର ରାଜକନ୍ୟା କାମକଳା l ସୁନ୍ଦର ପୁରୁଷ ଏକ ସଂଜ୍ଞାହୀନ ହୋଇ ପଡ଼ିଛି ଦେଖି ସେ ପାଣି ଛାଟି ତାଙ୍କୁ ସାଷ୍ଟମ କଲେ l ତାଙ୍କ ଅଙ୍ଗୁଠିରେ ଏକ ମୁଦ୍ରିକାଦେଖି କାମକଳା ବୁଝି ଗଲେ ଇଏ ଅର୍ଜୁନଙ୍କ ଛଡ଼ା ଆଉ କେହି ନୁହଁନ୍ତି l
ଅର୍ଜୁନ ଚେତା ପାଇବାରୁ କାମକଳା ତାଙ୍କୁ ନଅରକୁ ନେଇଗଲେ l ଅର୍ଜୁନ ସୁନ୍ଦରୀ କାମକଳାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ଗନ୍ଧର୍ବ ରୀତିରେ ଵିଵାହ କଲେ l ବାସର ରାତି ପାହିଲା l ଅର୍ଜୁନଙ୍କ ମନେ ପଡ଼ିଗଲା ପୂର୍ବ କଥା l ତାଙ୍କ ସର୍ତ୍ତ ତ ଭଙ୍ଗ ହୋଇ ସାରିଥିଲା ସେ ଆଉ କରିବେ କଅଣ ! ସେ କାମକଳାକୁ ଛାଡ଼ି ସିଧା ଶିବିରକୁ ଫେରି ଆସିଲେ l
ଅର୍ଜୁନ ଚାଲିଗଲା ପରେ କାମକଳା ପିତାଙ୍କୁ ଯାଇ ସବୁ କଥା କହିଲା l ଅର୍ଜୁନଙ୍କୁ ଫେରାଇ ଆଣିବାକୁ ପିତା ସୈନ୍ୟ ସାମନ୍ତ ଧରି ଯାଇ ପାଣ୍ଡବଙ୍କ ଶିବିର ନିକଟରେ ପହଁଚିଲେ ଓ ଯୁଧିଷ୍ଠିରଙ୍କୁ ଅର୍ଜ୍ଜୁନ ତାଙ୍କ କନ୍ୟାକୁ ଵିଵାହ କରି ଛାଡ଼ି ଚାଲି ଆସିଥିବା କଥା କହିଲେ l ଯୁଧିଷ୍ଠିର ଏପରି ବିଷମ ସମସ୍ୟା ଦେଖି ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି କହିଲେ, ହେ ବାସୁଦେବ ! ଆପଣ ମୋତେ ଏ ବିପଦରୁ ରକ୍ଷା କରନ୍ତୁ l
ଶ୍ରୀକୃଷ୍ଣ ତ ସେଇଠାରେ ଥିଲେ l ସେ ସଙ୍ଗେସଙ୍ଗେ ମାୟାଜାଙ୍ଗଳିକ ବେଶ ଛାଡ଼ି ଶଙ୍ଖ ଚକ୍ର ଗଦା ପଦ୍ମ ହାତରେ ଧରି ପ୍ରକଟ ହେଲେ l କାମକଳାର ବାପା ତାଙ୍କୁ ଦେଖି ଫେରିଗଲେ l ଚକ୍ରଧାରୀ ଶ୍ରୀକୃଷ୍ଣ ହସି ହସି ଭୀମ ଅର୍ଜୁନଙ୍କ ଆଡ଼କୁ ଚାହିଁ କହିଲେ, ମୁଁ ତୁମ ଦୁହିଁଙ୍କୁ ପରୀକ୍ଷାକରିବା ପାଇଁ ଏହି ଜାଙ୍ଗଳିକ ବେଶ ଧରି ଆସିଥିଲି,ଏବେ ବୁଝିଗଲ ତ କିଏ ବଡ଼ l ଯଦି ଏତିକିରେ ସନ୍ତୁଷ୍ଟ ନ ହେଉଛ, ତେବେ ଚାଲ ଯିବା କୁରୁକ୍ଷେତ୍ରର ସ୍ତମ୍ଭ ଉପରେ ଥିବା ବେଲାଳସେନର ମୁଣ୍ଡ ନିକଟକୁ l ସିଏ ମହାଭାରତ ଯୁଦ୍ଧକୁ ଆମୂଳ ଚୂଳ ଦେଖିଛି l ସେ ହିଁ ସତ କହିପାରିବ l
ସମସ୍ତେମିଶି ସେହି ଖମ୍ବ ପାଖକୁ ଗଲେ l ବେଲାଳ ତ ଭୀମଙ୍କ ପୁତ୍ର ଥିଲା l ଏଣୁ ଭୀମ ଅତି ଉତ୍ସୁକତା ସହକାରେ ପଚାରିଲେ, ହେ ପୁତ୍ର ! ତୁ ସତ କହିବୁ ଏହି ଯୁଦ୍ଧରେ କିଏ କାହାକୁ କେତେ ମାରିଛି l କିଏ ସବୁ ଠାରୁ ବଡ଼ ଯୋଦ୍ଧା l ବେଲାଳସେନ କହିଲେ, ହେ ପିତା ! ମୁଁ ଯାହା ଦେଖିଛି,ଏହି ଯୁଦ୍ଧରେ କେହି କାହାକୁ ମାରି ନାହିଁ l କେବଳ ଗୋଟିଏ ଚକ୍ର ଆସି ସମସ୍ତଙ୍କୁ ମାରି ଫେରିଯାଉଥିଲା l ଏହାଶୁଣି ଭୀମ ଖୁବ୍ କ୍ରୋଧିତ ହୋଇ, ତାଙ୍କ ବାଉନ ଭାର ଗଦାକୁ ବେଲାଳ ଉପରକୁ ଫିଙ୍ଗିଦେଲେ l ସେହି କଠୋର ଗଦାଘାତରେ ସମସ୍ତ ଯୁଦ୍ଧକୁ ଟିକି ନିକି ଦେଖିଥିବା ବେଲାଳସେନର ମସ୍ତକ ଚୂର୍ଣ୍ଣ ହୋଇଗଲା l
ବାସୁଦେବ ନିକଟରେ ଠିଆ ହୋଇ ମୁରୁକି ମୁରୁକି ହସୁଥିଲେ l ସମସ୍ତେ ଲୀଳାମୟଙ୍କୁ ପ୍ରଣାମ କଲେ l କେଶବ ସମସ୍ତଙ୍କୁ ଆଶୀର୍ବାଦ କରି ପ୍ରସ୍ଥାନ କଲେ l ପାଣ୍ଡବମାନେ ଫେରି ଆସିଲେ ଶିବିରକୁ l
!!! ଓଁ ଗୋବିନ୍ଦାୟ ନମଃ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.