ଯାଦବମାନଙ୍କ ଇତିବୃତ୍ତ

ଅର୍ଜୁନୀ ଚରଣ ବେହେରା

ଯାଦବମାନଙ୍କ ଇତିବୃତ୍ତ
==============
ପ୍ରାଚୀନ ଭାରତରେ ଯଦୁବଂଶ ବା ଯାଦବମାନେ ଏକ ପ୍ରତାପଶାଳୀ ସମ୍ପ୍ରଦାୟ ଥିଲେ l ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଯଦୁ ବଂଶରେ ଅବତୀର୍ଣ୍ଣ ହୋଇଥିଲେ l ପୁରାଣମାନଙ୍କରୁ ଜ୍ଞାତ ହୋଇଥାଏ ଶ୍ରୀକୃଷ୍ଣଙ୍କ ସମୟରେ ଯଦୁ ବଂଶ ବହୁ ଶକ୍ତିଶାଳୀ ଓ ଐଶ୍ୱର୍ଯ୍ୟ ବିମଣ୍ଡିତ ଥିଲା l ମହାଭାରତ ଗ୍ରନ୍ଥର ବର୍ଣ୍ଣନାରୁ ଜଣା ଯାଏ, ଯଦୁବଂଶୀ ଯାଦବ ମାନେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା ଅନ୍ତର୍ଭୁକ୍ତ ଥିଲେ ଓ
ଦୁର୍ଯ୍ୟୋଧନଙ୍କ ଆଗ୍ରହରେ ଯାଇ ସେମାନେ ତାର ଅଠର ଅକ୍ଷୋହୀଣୀ ସେନାରେ ପାଣ୍ଡଵସେନାଙ୍କ ବିରୁଦ୍ଧରେ ଯୋଗ ଦେଇଥିଲେ l କିନ୍ତୁ ସବ୍ୟସାଚୀ ଅର୍ଜୁନ ନିରସ୍ତ୍ର ଶ୍ରୀକୃଷ୍ଣଙ୍କୁ ନେବାକୁ କହିଲାରୁ ସେ ପାଣ୍ଡଵ ମାନଙ୍କ ପକ୍ଷ ଗ୍ରହଣ କରିଥିଲେ l ଶ୍ରୀମଦ ଭାଗବତ,ମହାଭାରତ,ହରିବଂଶ ତଥା ଅନ୍ୟାନ୍ୟ ବହୁ ପୁରାଣ/ଗ୍ରନ୍ଥରେ ଯଦୁବଂଶ ବା ହରି ବଂଶର ବର୍ଣ୍ଣନା ରହିଛି l
ସୃଷ୍ଟି ଆଦ୍ୟ କାଳରେ ପରମାତ୍ମାଙ୍କ ନାଭି ଦେଶରୁ ଏକ ସୁବର୍ଣ୍ଣ ମୟ ପଦ୍ମ କୋଷର ଉଦ୍ଭବ ହେଲା l ତହିଁରୁ ଆବିର୍ଭୁତ ହେଲେ, ବ୍ରହ୍ମା l ବ୍ରହ୍ମାଙ୍କ ମନରୁ, ମହର୍ଷି ମରୀଚି ଏବଂ ତାଙ୍କ ଠାରୁ ମହର୍ଷି କଶ୍ୟପ ଜାତ ହେଲେ l ତାଙ୍କ ପତ୍ନୀ ଦକ୍ଷ କନ୍ୟା ଅଦିତିଙ୍କ ଗର୍ଭରୁ ବିବସ୍ୱାନ୍ ବା ସୂର୍ଯ୍ୟଙ୍କ ଜନ୍ମହେଲା l ସୂର୍ଯ୍ୟ ପତ୍ନୀ ସଂଜ୍ଞାଙ୍କଠାରୁ ମନୁଙ୍କ ଜନ୍ମ ହେଲା l ତାଙ୍କର ପତ୍ନୀଙ୍କ ନାମ ଥିଲା ଶ୍ରଦ୍ଧା l ଶ୍ରଦ୍ଧାଙ୍କ ଗର୍ଭରେ ଦଶ ଗୋଟି ପୁତ୍ର ଜନ୍ମ ହେଲେ ଇକ୍ଷାକୁ, ନୃଗ,ଶର୍ଯ୍ୟାତି, ଦିଷ୍ଟ,ଧୃଷ୍ଟ,କରୁଷ,ନରିଷ୍ୟନ୍ତ,ପୃଷଧ୍ର ଓ କବି l ଏହି ବଂଶ ସୂର୍ଯ୍ୟଙ୍କଠାରୁ ବିସ୍ତାରଲାଭ କରିଥିବା ହେତୁ ସୂର୍ଯ୍ୟବଂଶ ଭାବେ ପରିଚିତ ହେଲା l ବହୁ ପୁରୁଷ ପରେ ସୂର୍ଯ୍ୟ ବଂଶରେ ପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ହୋଇଥିଲା l
ବୈବସ୍ଵତମନୁଙ୍କ ପୁଣି ଏକ କନ୍ୟା ଜାତ ହେଲା l ତାର ନାମ ହେଲା, ଇଳା l ହିମାଳୟ ଉପତ୍ୟକା ଅରଣ୍ୟ ମଧ୍ୟରେ ତାଙ୍କୁ ଏକଦା ଚନ୍ଦ୍ରଙ୍କ ପୁତ୍ର ବୁଧ ଦେଖିଲେ l ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲେ,ଚନ୍ଦ୍ରପୁତ୍ର ବୁଧ l ଦୁହିଁଙ୍କ ବିବାହ ହୋଇ ଗଲା l ସେମାନଙ୍କର ପୁଅ ଗୋଟିଏ କାଳକ୍ରମେ ଜନ୍ମ ହେଲା l ନାମ ତାହାର ହେଲା ପୂରୁରବା l ଚନ୍ଦ୍ରପୁତ୍ର ବୁଧ ଓ ତାଙ୍କର ପୁତ୍ର ପୁରୁରଵାଙ୍କ ବଂଶ ଚନ୍ଦ୍ରବଂଶ ରୂପେ ଜମ୍ବୁଦ୍ବୀପରେ ପରିଚିତ ହେଲା l ଦ୍ୱାପର ଯୁଗରେ ଚନ୍ଦ୍ରବଂଶରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୁତ ହୋଇଥିଲେ l
ପ୍ରାଚୀନ ଭାରତରେ ସୂର୍ଯ୍ୟ ବଂଶ ଏବଂ ଚନ୍ଦ୍ରବଂଶ ଦୁଇଟି ପ୍ରମୁଖ ରାଜବଂଶ ଥିଲେ l ଏମାନେ ଥିଲେ କ୍ଷତ୍ରିୟ l ଏମାନଙ୍କ ଠାରୁ ପୁଣି ବହୁ କ୍ଷତ୍ରିୟ ବଂଶ ଶାଖା ଭାବେ ବିସ୍ତାରଲାଭ କଲା l
ଚନ୍ଦ୍ର ବଂଶରେ କାଳକ୍ରମେ ସମ୍ଭବ ହେଲେ, ରାଜା ଯଯାତି l ତାଙ୍କ ପୁତ୍ର ହେଲେ ଯଦୁ l ଯଦୁଙ୍କ ଠାରୁ ବିସ୍ତାର ଲାଭ କରିଥିବା ବଂଶ ଯଦୁବଂଶ ନାମରେ ଖ୍ୟାତ ହେଲା l ଯଦୁଙ୍କର ପୁତ୍ର କ୍ରୋଷ୍ଟୁର ଓ ତାଙ୍କ ପୁତ୍ର ହେଲେ ହୈହେୟ l ହୈହେୟଙ୍କ ପୁତ୍ର ଜାତ ହେଲା ଦେବମୀଢ଼ l
ଦେବମୀଢଙ୍କର ଦୁଇ ପତ୍ନୀ ଥଲେ, ଜଣେ କ୍ଷତ୍ରିୟ ଓ ଅନ୍ୟଟି ବୈଶ୍ୟା l ତାଙ୍କ କ୍ଷତ୍ରିୟ ପତ୍ନୀଙ୍କ ଠାରୁ ଜନ୍ମହେଲେ ଶୂରସେନ l ତାଙ୍କ ପୁତ୍ର ବସୁଦେବ ଓ ବସୁଦେବଙ୍କ ପୁତ୍ର ଶ୍ରୀକୃଷ୍ଣ l ତାଙ୍କର ପୃଥା ନାମ୍ନୀ କନ୍ୟା ମିତ୍ର କୁନ୍ତି ଭୋଜଙ୍କ ଦ୍ୱାରା ପାଳିତା ହୋଇ କୁନ୍ତୀ ନାମରେ ପରିଚିତ ହୋଇଥିଲେ ଓ ପଣ୍ଡୁଙ୍କୁ ବିବାହ କରି ହୋଇଥିଲେ ପାଣ୍ଡଵ ଜନନୀ l
ଦେବମିଢ଼ଙ୍କ ବୈଶ୍ୟା ପତ୍ନୀଙ୍କଠାରୁ ଜନ୍ମ ହେଲେ, ପର୍ଜନ୍ୟ l ପର୍ଜନ୍ୟଙ୍କ ପାଞ୍ଚ ପୁତ୍ର ଥିଲେ ଉପନନ୍ଦ, ଅତିନନ୍ଦ,ନନ୍ଦ,ସନନ୍ଦ,ନନ୍ଦନ l କଂସ ବନ୍ଦୀଘରେ ଦେବକୀ, ବସୁଦେବଙ୍କ ପୁତ୍ର ଭାବେ ଜନ୍ମ ହୋଇ ଭଗବାନ ଶ୍ରୀକୃଷ୍ଣ କଂସ ଭୟରେ ଗୋପ ପୁରକୁ ଯାଇ ପାଳିତ ହୋଇଥିଲେ ନନ୍ଦଙ୍କ ଦ୍ୱାରା l
ଏକ ବଂଶଜ ବସୁଦେବ କ୍ଷତ୍ରିୟ ବୃତ୍ତି କରୁଥିଲେ l ନନ୍ଦ ବୈଶ୍ୟବୃତ୍ତି କରୁ ଥିଲେ l ଗୋ ଚାରଣ,ଗୋ ପାଳନ ଓ ଗୋ ରକ୍ଷା ନନ୍ଦଙ୍କ ପ୍ରଧାନ ବୃତ୍ତି ଥିଲା l କ୍ଷତ୍ରିୟବୃତ୍ତି ଧରି ବସୁଦେବ ମଥୁରାରେ ବାସ କରୁ ଥିଲେ ଓ ନନ୍ଦ, ଗୋପପୁରରେ ବାସ କରୁଥିଲେ l ତେଣୁ, ନନ୍ଦ ବଂଶୀୟ ଗୋ-ପାଳକ ମାନେ ଗୋପ ପୁର ଗୋପାଳଭାବେ ପରିଚିତ ଓ ବସୁଦେବବଂଶ ଜାତ ଗୋପାଳ ମାନେ, ମଥୁରା ପୁରିଆ ଗୋପାଳ ଭାବେ ପରିଚିତ l ଦୋଳପୂର୍ଣ୍ଣିମା ଗୋପାଳମାନଙ୍କ ମୁଖ୍ୟ ପର୍ବ l ଏହି ପର୍ବ ପାଳନ ବିଧିରୁ ସେମାନଙ୍କ ଏ ଦୁଇ ଶାଖା ସ୍ପଷ୍ଟ ବାରି ହୋଇ ପଡ଼ନ୍ତି l ଗୋଠ ବନ୍ଦାଣରେ ମଥୁରାପୁରିଆ ମାନଙ୍କର ସଜ ବନ୍ଦାଣ ଅନୁଷ୍ଠିତ ହେଉଥିଲା ବେଳେ ଗୋପ ପୁରିଆଙ୍କର ବାସୀବନ୍ଦାଣ ଅର୍ଥାତ ପୂର୍ଣ୍ଣିମା ବାସିଦିନ ଅନୁଷ୍ଠିତ ହୋଇଥାଏ l
ଗୋପାଳ ମାନେ ଏକ ପୁରାଣ ପ୍ରସିଦ୍ଧ ସମ୍ପ୍ରଦାୟ l ପଦ୍ମପୁରାଣ ବର୍ଣ୍ଣନାନୁସାରେ ବ୍ରହ୍ମା ଗୋପ କନ୍ୟା ଗାୟୀତ୍ରୀଙ୍କୁ ବିବାହ କରିଥିଲେ l ମହାଦେବ ନନ୍ଦ ତନୟା ଦୁର୍ଗାଙ୍କୁ ବିବାହ କରିଥିଲେ l ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଶ୍ରୀବିଷ୍ଣୁ ଗୋପକନ୍ୟା ସୁଶୀଳା ସ୍ୱଧାଙ୍କୁ ବିବାହ କରିଥିଲେ l ବ୍ରହ୍ମାଙ୍କ କନ୍ୟା ଥିଲେ କଳାବତୀ l କଳାବତୀଙ୍କର କନ୍ୟା, କୀର୍ତ୍ତିଦାଙ୍କୁ ବୃଷଭାନୁ ଗୋପ ବିବାହ କରିଥିଲେ l ତାଙ୍କଠାରୁ ଜନ୍ମ ହୋଇଥିଲେ ଶ୍ରୀମତୀ ରାଧିକା l
ମହାଭାରତରେ ଶ୍ରୀକୃଷ୍ଣ ଗୋପାଳଙ୍କ ସମ୍ୱନ୍ଧରେ କହିଛନ୍ତି,”ମତ୍ ସଂହନନ ତୁଲ୍ୟାନାଂ ଗୋପାନାଂ ଅର୍ବୁଦଂ ମହତ୍ ନାରାୟଣୀ ଇତି ଖ୍ୟାତାଃ ସର୍ବେ ସଂଗ୍ରାମ ଯୋଧିନଃ l” ଏଥିରୁ ଜଣା ପଡ଼େ ପୂର୍ବେ ମହାଭାରତ କାଳରେ ଗୋପାଳ ମାନେ ଗୋଟିଏ ପ୍ରସିଦ୍ଧ ଯୋଦ୍ଧା ସମ୍ପ୍ରଦାୟ ଥିଲେ l
ରାମାୟଣରେ ବର୍ଣ୍ଣିତ ଅଛି, ପ୍ରଭୁ ଶ୍ରୀରାମ ଦଣ୍ଡକ ବନରେ ଶ୍ରୀଧର ନାମକ ଗୋପାଳଙ୍କ ଠାରୁ ଦୁଗ୍ଧ ପାନକରି ତାଙ୍କ ପୁତ୍ରଭାବେ ଦ୍ୱାପର ଯୁଗରେ ଜନ୍ମ ହେବେ ବୋଲି ଆଶିର୍ବାଦ କରିଥିଲେ l ରାମାୟଣ ଅରଣ୍ୟ କାଣ୍ଡରେ ବର୍ଣ୍ଣିତ ଅଛି :-
ଶ୍ରୀରାମ ବୋଇଲେ ଆମ୍ଭେ ହେବୁ ତୋର ସୁତ l
ଏବେ ତୁହି ଦିବ୍ୟ ଲୋକ ହୋଇବୁ ପ୍ରାପତ ll
ଦ୍ୱାପରେ ଗୋପବଂଶରେ ତୁ ହେବୁ ରାଜନ l
ଆମ୍ଭେ ଦୁଇଭାଇ ହେବୁ ତୋହର ନନ୍ଦନ ll
ଯଦୁ ବଂଶରୁ ଉଦ୍ଭବ ଯାଦବ ମାନେ ଗୋ ପାଳନ କରି ଗୋପାଳ ଭାବେ ପରିଚିତ ହୋଇଛନ୍ତି l ଗୋ ସେବାଠାରୁ ବଳି ଜଗତରେ ମହତଧର୍ମ ଆଉକିଛି ନାହିଁ l ମହାରାଜ ଦିଲ୍ଲୀପ ଗୋ ମାତା ନନ୍ଦିନୀଙ୍କ ସେବା କରି ରଘୁ ବଂଶର ପ୍ରତିଷ୍ଠାତା ପୁତ୍ର ରଘୁଙ୍କୁ ପ୍ରାପ୍ତ ହୋଇଥିଲେ l
ଭଗବାନ ଶ୍ରୀକୃଷ୍ଣ ଗୋକୁଳରେ ଗୋପାଳକୂଳରେ ଅବତ୍ତୀର୍ଣ୍ଣ ହୋଇ,ଗୋଚାରଣ କରି,ଗୋ ସେବାର ମହତ୍ତ୍ୱ ଦେଖାଇ ଯାଇ ଅଛନ୍ତି l ଭଗବାନ ଶ୍ରୀକୃଷ୍ଣ ଗିରି ବନ ମଧ୍ୟରେ ଗୋ ଚାରଣର ସୁଖକୁ ଶ୍ରୀମଦ ଭାଗବତରେ ବର୍ଣ୍ଣନା କରିଛନ୍ତ :-
କର୍ମ୍ମଟି ସୁଖ ଦୁଃଖ ଦାତା l
ବିଶ୍ୱସଂସାରେ ବଳବନ୍ତା ll
ନିର୍ଝର ଜଳ ପାନ କରି l
ଆମ୍ଭ ଦେବତା ବନ ଗିରି ll

!!! ଜୟ ଯଦୁନନ୍ଦନ ହରେ !!!
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.