ତାରକସି ମୁକୁଟ, ବନବାସୀ ବସ୍ତ୍ରରେ ଝଲସୁଛନ୍ତି ରାଣୀପାଟଣାର ମା’ ଦୁର୍ଗା

0
ବାଲେଶ୍ୱର, ୧୮/୧୦ (କୃଷ୍ଣ କୁମାର ମହାନ୍ତି): କଟକର ପ୍ରସିଦ୍ଧ ତାରକସି ମୁକୁଟ ଓ ଭକ୍ତଙ୍କ ପକ୍ଷରୁ ପ୍ରଦତ୍ତ ବନବାସୀ ବସ୍ତ୍ରରେ ସଜ୍ଜିତ ହୋଇଛନ୍ତି ବାଲେଶ୍ୱର ସହରର ରାଣୀପାଟଣା ମା’ ଦୁର୍ଗା। ଚଳିତ ବର୍ଷ ରାଣୀପାଟଣା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ୨୭ତମ ବର୍ଷରେ ପଦାର୍ପଣ କରିଥିବାବେଳେ ପୂଜା ପାଇଁ ୭.୫ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କୁ କଟକର ସୁନାମଧନ୍ୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ତାରକସି ମୁକୁଟରେ ସଜ୍ଜିତ କରାଯାଇଛି। ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ବନବାସୀ ବସ୍ତ୍ର ମା’ଙ୍କ ଶୋଭାକୁ ଆହୁରି ଆକର୍ଷଣୀୟ କରିଛି। ବଙ୍ଗୀୟ କାରିଗରଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି, ଆକର୍ଷଣୀୟ ତୋରଣ ଓ ମନୋରମ ଆଲୋକସଜ୍ଜା ପୂଜାମଣ୍ଡପର ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି।
ପ୍ରତ୍ୟେକ ସନ୍ଧ୍ୟାରେ ଢାକି ବାଦ୍ୟର ଗମ୍ଭୀର ତାଳ ସହ ମା’ଙ୍କ ଆଳତି ଭକ୍ତିମୟ ପରିବେଶ ସୃଷ୍ଟି କରୁଛି। ସପ୍ତମୀ ସନ୍ଧ୍ୟାରେ ଶ୍ରୀଶ୍ରୀ ଚଣ୍ଡୀଙ୍କ ଉପରେ ଆଧାରିତ ଭକ୍ତିସଙ୍ଗୀତ ଓ ଗୀତିଆଲେଖ୍ୟ ‘ମାତୃ ବନ୍ଦନା’ ପରିବେଷଣ କରାଯିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପୂଜା ଉତ୍ସବର ଅନ୍ୟତମ ଆକର୍ଷଣ ହେବ।
ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ। ନବମୀ ସନ୍ଧ୍ୟାରେ ଝୁଣା ନାଚ ଏବଂ ଦଶମୀ ସନ୍ଧ୍ୟାରେ ମହିଳାମାନଙ୍କ ଦ୍ୱାରା ସିନ୍ଦୂର ଖେଳ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି।
ପୂଜା କମିଟିର ସଭାପତି ପ୍ରଫେସର ଶେଖ୍ ଗିୟାସୁଦ୍ଦିନ, କାର୍ଯ୍ୟକାରୀ ସଭାପତି ଦେବାନନ୍ଦ ପାଣିଗ୍ରାହୀ, ସମ୍ପାଦକ ଜୟ ପ୍ରକାଶ ଦାସ, କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାହୁଙ୍କ ସମେତ ଦେବାଶିଷ ଚାଟାର୍ଜୀ, ପ୍ରଭାତ ମହାନ୍ତି, ଦୀପକ ସାହୁ, ପଙ୍କଜ ଅଗ୍ରୱାଲା ଓ ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ପୂଜା ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି।
Leave A Reply

Your email address will not be published.