ପ୍ରଭାତୀ ତାରା 

 

==========

ପାହିଲା ଅନ୍ଧାର ରଜନୀ ଉଷା

ହୋଇଲା ପରା l

ପ୍ରାଚୀ ନଭେ ଦେଖ ଉଦ୍ଭାସେ

ଏକ ବିଚିତ୍ର ତାରା ll

ଝଟ ଝଟ ଝଟ ଝଟକେ ଯଥା

ଝଟକ ମଣି l

ମଥାମଣି କିବା ସିନ୍ଥିରେ ଶୋଭା

ଉଷା ରମଣୀ ll

କରଟ, କୁମ୍ଭାଟ ରାବନ୍ତି ଡାକି

ବୁଲେ ଡାମରା l

ଦପ ଦପ ଜଳେ ନାମ ଟି ତାର

ପ୍ରଭାତୀ ତାରା ll

ରାଧେକୃଷ୍ଣ ରାମ ଗୋବିନ୍ଦ ଡାକେ

ଆଶ୍ରମ ଶାରୀ l

ଉଠ ବଇଦେହୀ ଉଠଗୋ ତପନ

କୁଳ ନାରୀ ll

ଉଇଁ ଆସିଲେଣି ଅରୁଣ ବୁଣି

ତରୁଣ ଆଭା l

ଉଠ ରାମ ହୃଦ ଯୋଛନା ଉଠ

ତମସା ଯିବା ll

ଭକ୍ତ ବିଭୀଷଣ ଉଚ୍ଚାରେ ରାମ

ନାମ ଲଙ୍କାରେ l

ଜନ୍ମଦେଲ କିମ୍ପା ପ୍ରଭୂ ହେ ହୀନ

ଦୈତ୍ୟ କୁଳରେ l

ମଣିମା ମଣିମା ଶ୍ରୀକ୍ଷେତ୍ରେ ଦେଲେ

ଖୁଣ୍ଟିଆ ଡାକ l

ଉଠ, ମହାବାହୁ ! ଉଠ ହେ !

ନୀଳାଚଳ ନାୟକ ll

କ୍ରମେ ଲୁଚୁଛନ୍ତି ଆକାଶେ ତାରା

ଗୋଟିକି ଗୋଟି l

ପୂରୁବ ଆକାଶ ନିର୍ମଳ ଦିଶେ

ସିନ୍ଦୁରା ଫାଟି ll

ଉଷା ଯିବ କ୍ଷଣେ ଆସିବ ଏବେ

ଶୁଭ ପ୍ରଭାତ l

ଧନ୍ୟ ଧନ୍ୟ ମହାପ୍ରଭୁ ହେ ତୁମ୍ଭ

ଲୀଳା ବିଚିତ୍ର ll

🙏🙏🙏

ଅର୍ଜୁନୀ

———-

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.