ରାଉରକେଲାରୁ ଉଡ଼ିବନି ନୂଆ ବିମାନ

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ ପ୍ରକାଶିତ ହୋଇଛି। ଆସନ୍ତା ଅକ୍ଟୋବର ୨୯ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଲାଗୁ ହେବାକୁଥିବା ଏହି ସୂଚୀରେ ରାଉରକେଲା-କୋଲକାତା ବିମାନ ଚଳାଚଳ ବିଷୟ ଉଲ୍ଲେଖ ନାହିଁ। ଫଳରେ ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ସହରବାସୀଙ୍କ ଆକାଶରେ ଉଡ଼ିବାର ଆଶା ଗୋଟିଏ ପରେ ଗୋଟିଏ ମଉଳିବାରେ ଲାଗିଛି।ଗତ ଜାନୁଆରି ୭ରେ ଭୁବନେଶ୍ବର-ରାଉରକେଲା ବିମାନ ସେବା ଆରମ୍ଭ ହୋଇଥିଲା। ସେଦିନଠୁ ଏହି ଦୁଇ ସହର ମଧ୍ୟରେ ଆଲିଆନ୍ସ ଏୟାର୍‌ର ଏଟିଆର୍‌-୭୨ ବିମାନ ଉଡ଼ୁଛି। ସେବାର ଶୁଭାରମ୍ଭବେଳେ ବିଗ୍‌ଚାର୍ଟର ପକ୍ଷରୁ ରାଉରକେଲା-କୋଲକାତା ବିମାନ ଚଳାଚଳ ପାଇଁ ମଧ୍ୟ ପ୍ରସ୍ତାବ ଥିବା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଥିଲା। ତେବେ ଏହି ଘୋଷଣାକୁ ୭ ମାସରୁ ଅଧିକ ସମୟ ବିତିଲାଣି। କିନ୍ତୁ କୋଲକୋତାକୁ ବିମାନ ଚଳାଚଳ ପାଇଁ ସାମାନ୍ୟତମ ପଦକ୍ଷେପ ବି ନିଆଯାଇ ନାହିଁ।

Comments are closed.