ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨୦୬୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୧୮୨୦ ସିଟ୍‌ ଲାଗି ଓଜେଇଇ କାଉନସେଲିଂ କରୁଛି। ଯେଉଁଥିରେ ୧୬୬୬ ଏମ୍‌ବିବିଏସ୍‌ ଓ ୧୫୪ ବିଡିଏସ୍ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୪୫୨ ସିଟ୍‌ ଖାଲି ରହିଛି। ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତ କଲେଜରେ ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଖାଲି ପଡ଼ିଛି। ଏଥର ରାଜ୍ୟର ୧୨ଟି ସରକାରୀ ଓ ଦୁଇଟି ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍ ଓ ବିଡିଏସ୍ ସିଟ୍‌ରେ ନାମଲେଖା ହେଉଛି। କଟକସ୍ଥିତ ଏସ୍‌ସିବି ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ୨୧୨ଟି ଲେଖାଏ ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଥିବା ବେଳେ ବୁର୍ଲା ଭିମ୍‌ସାର ୧୭୦, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ୧୦୬ ଲେଖାଏ, ବଲାଙ୍ଗୀର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼, ଭବାନୀପାଟଣା ଓ କେନ୍ଦୁଝର ମେଡିକାଲ କଲେଜର ୮୫ଟି ଲେଖାଏ ସିଟ୍ ପାଇଁ ଓଜେଇଇ କାଉନ୍‌ସେଲିଂ କରୁଛି। ଏହାବ୍ୟତୀତ ହାଇଟେକ୍ ଭୁବନେଶ୍ୱରର ୧୫୦ ଏମ୍‌ବିବିଏସ୍, ରାଉରକେଲା ହାଇଟେକ୍‌ ଓ କଟକସ୍ଥିତ ଡ୍ରିମ୍‌ସ ଇଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସର ୧୦୦ ଏମ୍‌ବିବିଏସ୍ ସିଟ୍‌ ଓଜେଇଇ କାଉନସେଲିଂ ଦ୍ବାରା ପୂରଣ ହେବ। ସେହିପରି କଟକ ଏସ୍‌ସିବିର ୫୪ ଓ ହାଇଟେକ୍ ଭୁବନେଶ୍ବରର ଶହେ ବିଡିଏସ୍ ସିଟ୍ ଲାଗି ମଧ୍ୟ ଓଜେଇଇ ମାଧ୍ୟମରେ ନାମଲେଖା ହେଉଛି। ଆଜି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଖାଲି ସିଟ୍‌ ତାଲିକା ପ୍ରକାଶ ପାଇଛି। ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପଞ୍ଜିକରଣ, ୧୯ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୯ରୁ ୨୧ ତାରିଖ ମଧ୍ୟରେ ନୂତନ ଭାବେ ପଞ୍ଜିକୃତ ହୋଇଥିବା ପିଲାମାନେ ଚଲସ୍‌ ଲକିଂ ଓ ଫିଲିଂ କରିପାରିବେ। ଅଗଷ୍ଟ ୨୩ରେ ଦ୍ବିତୀୟ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ହେବା ସହ ୨୫ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍‌ମେଣ୍ଟ ଲେଟର ପ୍ରକାଶ ଏବଂ ୨୭ରୁ ୩୧ ତାରିଖ ଯାଏ ନାମଲେଖା ହେବ। ୨୭ରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀ ନାମଲେଖା ପ୍ରକ୍ରିୟାରୁ ଓହରି ପାରିବେ। ସ୍ପଟ୍‌ ରାଉଣ୍ଡ କାଉନସେଲିଂ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Comments are closed.