ପରମ ପାବନ ଲୁମ୍ବିନୀ ବନ

ଅର୍ଜୁନୀ ଚରଣ ବେହେରା

କପିଳବାସ୍ତୁ ରାଜପ୍ରାସାଦରେ ଶୋଇଥିବା ବେଳେ ସେଦିନ ମହାରାଣୀ ମହାମାୟା ( ମାୟା ଦେବୀ ) ଆଶ୍ଚର୍ଯ୍ୟ ଏକ ସ୍ବପ୍ନ ଦେଖିଲେ,” ଗର୍ଭରେ ତାଙ୍କର ଛଅଟି ଦାନ୍ତ ଥିବା ଗୋଟିଏ ଶ୍ୱେତ ହସ୍ତୀ ପ୍ରବେଶ କରୁଛି”l ସେହିଦିନ ରାଣୀ ମହାମାୟା ଅନ୍ତଃସତ୍ଵା ହେଲେ ଓ ଗର୍ଭସ୍ଥହେଲେ ବୋଧିସତ୍ତ୍ୱ l କୁହାଯାଏ ସେଦିନ ସାରା ପ୍ରକୃତିରେ ଆନନ୍ଦ ଉଲ୍ଲାସ ଖେଳି ଗଲା l ପ୍ରକୃତି ଶୋଭାମୟୀ ହୋଇଉଠିଲା ଏବଂ ପୃଥିବୀ ହୋଇ ଉଠିଲା ଅଧିକ ଶସ୍ୟଶାଳିନୀ l
ଏକ ଦିବ୍ୟ ଶିଶୁ ତାଙ୍କର ଗର୍ଭସ୍ଥ ହୋଇଛି, ତେଣୁ ମହାମାୟା ନିର୍ମଳ ଚିତ୍ତରେ ସନ୍ତାନଜନ୍ମ ସମୟକୁ ଅପେକ୍ଷା କରିରହିଲେ l କ୍ରମେ ସେ ସମୟ ନିକଟ ହୋଇଆସିଲା l ସେକାଳର ପ୍ରଥାନୁଯାୟୀ ରାଣୀ ପିତ୍ରାଳୟକୁ ଯିବାକୁ ଚାହିଁଲେ l ରାଜା ଶୁଦ୍ଧୋଦନ ରାଣୀଙ୍କ ଯାତ୍ରା ପାଇଁ ଏକ ସୁନା ପାଲିଙ୍କି ତିଆରି କରି ଦେଲେ l କପିଳବାସ୍ତୁରୁ ରାଣୀଙ୍କ ପିତ୍ରାଳୟ ଦେବଦାହ ନଗରୀ ପର୍ଯ୍ୟନ୍ତ ରାଜରାସ୍ତା ତୋରଣ ମାନଙ୍କ ଦ୍ୱାରା ସଜ୍ଜିତ ହେଲା l ଏକ ହଜାର ରାଜ କର୍ମଚାରୀ ଓ ବହୁ ଦାସୀ ପାରିବାରିଙ୍କ ଗହଣରେ ମାୟାଦେଵୀ ପିତୃଗୃହ ଯାତ୍ରା କଲେ l
ବାଟରେ ପଡ଼ିଲା ଲୁମ୍ବିନୀ ବନ l ଲୁମ୍ବିନୀ ବନରେ ଶାଳଗଛ ସବୁ ପୁଷ୍ପମଣ୍ଡିତ ହୋଇ ଅପୂର୍ବ ଶୋଭା ଧାରଣ କରିଥାନ୍ତି l ଗିରି ଝରଣା ମାନେ କୁଳୁକୁଳୁ ନାଦ କରି ବହି ଯାଉଥାନ୍ତି l ଲୁମ୍ବିନୀର ଏ ଅପୂର୍ବ ଶୋଭାବଲୋକନ ପାଇଁ ମାୟା ଦେବୀ ପାଲିଙ୍କିରୁ ଓହ୍ଲାଇ ପଡ଼ି ବିଚରଣ କରିବାକୁ ଲାଗିଲେ l ଏକ ପୁଷ୍ପଭରା ଶାଳଗଛକୁ ଧରି ସେ ଠିଆ ହୋଇଛନ୍ତି ଏହି ସମୟରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେଲା l ପରିଚାରିକା ମାନେ ଦୋଉଡ଼ିଆସି ତାଙ୍କୁ ବସ୍ତ୍ରରେ ଆବରଣ କରିଦେଲେ l ସେହି ଶାଳଗଛ ମୁଳରେ ମହାମାୟା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କଲେ l ପୁଅଟି ଗର୍ଭରୁ ଖସିପଡ଼ିବା ବେଳେ ଚାରି ଜଣ ମହାବ୍ରହ୍ମ ତାକୁ ସୁନାଜାଲରେ ଧରିନେଲେ l ସେମାନେ କହିଲେ,ମହାରାଣୀ ତୁମ ଗର୍ଭରୁ ଏକ ମହା ଶକ୍ତିଶାଳୀ ପୁତ୍ର ଜନ୍ମ ଗ୍ରହଣ କରିଛି l
ମହାବ୍ରହ୍ମଙ୍କ ଠାରୁ ଆସି ଚାରି ଦିଗପାଳ ପୁଅଟିକୁ ମୃଗ ଚର୍ମରେ ଗ୍ରହଣ କଲେ l ଦିଗ ପାଳ ମାନଙ୍କ ଠାରୁ ମନୁଷ୍ୟ ମାନେ ପଟ୍ଟ ବସ୍ତ୍ରରେ ତାଙ୍କୁ ଗ୍ରହଣ କଲେ l ଶିଶୁଟି ମନୁଷ୍ୟଙ୍କ ହସ୍ତରୁ ଖସିଯାଇ ଭୂମି ଉପରେ ଠିଆ ହୋଇ ପଡ଼ିଲେ l ସମସ୍ତ ଜଗତର ଚିତ୍ର ତାଙ୍କ ସମ୍ମୁଖରେ ଉଦ୍ଭାସିତ ହୋଇ ଉଠିଲା l ସେ ଦଶ ଦିଗକୁ ଚାହିଁଦେଇ ଉତ୍ତର ଆଡ଼କୁ ସାତ ପାଦ ଚାଲିଗଲେ l ସେ ସିଂହନାଦ କରି କହିଲେ, ମୁଁ ଏ ଜଗତର ସର୍ବଶ୍ରେଷ୍ଠ ହେବି,କୁହାଯାଏ ତାଙ୍କ ସାତ ପାଦପାତ ସ୍ଥାନରେ ସାତଗୋଟି କମଳପୁଷ୍ପ ପ୍ରସ୍ଫୁଟିତ ହୋଇଥିଲା l
ଲୁମ୍ବିନୀ ବନ ପ୍ରଦେଶରେ ଯେତେବେଳେ ବୁଦ୍ଧଙ୍କ ଜନ୍ମ ହେଲା ସେତିକି ବେଳେ ତାଙ୍କର ଭାବି ପତ୍ନୀ ଯଶୋଧାରା, ଅନୁଚର ଛନ୍ଦକ, ଅଶ୍ୱ କନ୍ଥକ ଏବଂ ବୋଧିଦ୍ରୁମର ଜନ୍ମ ହୋଇଥିଲା l ତାଙ୍କ ଜନ୍ମହେବା ଖବର କପିଳବାସ୍ତୁ ଏବଂ ଦେବଦାହରେ ପହଞ୍ଚିବା ମାତ୍ରେ ଲୋକମାନେ ଲୁମ୍ବିନୀ ବନ ଆଡ଼କୁ ଦୌଡ଼ି ଆସିଲେ l ରାଜା ଶୁଦ୍ଧୋଦନ ଲୁମ୍ବିନୀ ଠାରେ ଏକ ବିଶାଳ ପଟୁଆର ଧରି ପହଞ୍ଚିଲେ l ସେ ରାଣୀ ଓ ନବଜାତ ଶିଶୁକୁ ରାଜପ୍ରାସାଦ ଘେନି ଆସିଲେ l
ଲୁମ୍ବିନୀ ବନ ଏବେ ନେପାଳ ତରାଇ ଅଞ୍ଚଳରେ ଗୁମ୍ମିନ ଦେଇ ନାମକ ସ୍ଥାନ ନିକଟରେ ଅବସ୍ଥିତ l ଏଠାରେ ମହାରାଜ ଅଶୋକଙ୍କ ନିର୍ମିତ ଏକ ସ୍ତମ୍ଭ ରହିଛି l ସେହି ସ୍ତମ୍ଭରେ ପାଲ୍ଲୀଭାଷାରେ ଖୋଦିତ ହୋଇଛି, “ଦେବତାଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ତାଙ୍କ ରାଜ୍ୟାଭିଷେକର କୋଡ଼ିଏବର୍ଷ ପରେ ଏହି ସ୍ଥାନକୁ ଆସି ପୂଜାର୍ଚ୍ଚନା କରି ଥିଲେ l ଶାକ୍ୟମୁନି ବୁଦ୍ଧଙ୍କର ଏଠାରେ ଜନ୍ମ ହୋଇଥିଲା l ତେଣୁ ସେ ଏଠାରେ ପଥର ପାଚେରି ମଧ୍ୟରେ ଗୋଟିଏ ସ୍ତମ୍ଭ ନିର୍ମାଣ କରିଛନ୍ତି l ଏଠାରେ ଭଗବାନ ବୁଦ୍ଧ ଜାତ ହୋଇଥିବାରୁ ଏ ଗ୍ରାମର କର ଛାଡ଼ କରାଗଲା”l ପବିତ୍ର ଲୁମ୍ବିନୀ ବନରେ ବୁଦ୍ଧ ଜନ୍ମ ହୋଇଥିବାରୁ ଏହା ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ପରିଗଣିତ l  ଲୁମ୍ବିନୀ ବନରେ ଭଗବାନ ବୁଦ୍ଧଙ୍କ ଧରାବତରଣ ହୋଇଥିଲା ଖ୍ରୀଷ୍ଟ ପୂର୍ବ 563 ସାଲରେ l
🙏🙏🙏
ଅର୍ଜୁନୀ
————
ମୋ -7693091971

Comments are closed.