ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ପର୍ବକୁ ନେଇ ଆଜି ରାଜ୍ୟ ଏସ.ଆର୍.ସି. (SRC) କଣ୍ଟ୍ରୋଲ ରୁମ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ଆମର ଲକ୍ଷ୍ୟ ହେଉଛି’ଜିରୋ କାଜୁଆଲଟି’। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି। ବିଶେଷକରି ପାହାଡ ତଳି ଅଞ୍ଚଳରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ପାଇଁ SRCଙ୍କ କଣ୍ଟ୍ରୋଲ ରୁମ୍ରେ ଆଜିଠାରୁ ଜଣେ ଲେଖାଏଁ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ୨୪ ଘଣ୍ଟିଆ ମନିଟରିଙ୍ଗ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ମନିଟରିଙ୍ଗ୍ ଦାୟିତ୍ୱରେ ଅଛନ୍ତି।
୧୧ଟି ଜିଲ୍ଲାକୁ ରେଡୱାର୍ଣ୍ଣିଙ୍ଗ୍ ଅଛି। ଏହି ଜିଲ୍ଲାଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା। ଏହି ଜିଲ୍ଲାମାନଙ୍କରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ କରାଯାଇଛି। ଅଧିକ ୨୦ଟି ଟିମ୍କୁ ମଧ୍ୟ ଆଲର୍ଟରେ ରଖାଯାଇଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦ୍ଧାର ଓ ରିଲିଫ୍କାର୍ଯ୍ୟ ପରିଚାଳନା ପାଇଁ ଆଗୁଆ ପାଣ୍ଠି ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଅନ୍ୟ ୧୫ଟି ଜିଲ୍ଲାକୁ ୧ କୋଟି ଟଙ୍କା ଲେଖାଏଁ, ମାଲକାନଗିରି ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା- ସମୁଦାୟ ୨୦.୫ କୋଟି ଟଙ୍କା ଆଗୁଆ ଦିଆଯାଇଛି।
ସାତଜଣ ବରିଷ୍ଠ IAS ଅଧିକାରୀଙ୍କୁ ସାତଟି ଜିଲ୍ଲାରେ ପ୍ରସ୍ତୁତି ଏବଂ ରିଲିଫ୍ ଓ ରିଷ୍ଟୋରେସନ୍ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାଗୁଡ଼ିକରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ। ପ୍ରଭାବିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଔଷଧ ଏବଂ ଚିକିତ୍ସା କିଟ୍ ଉପଲବ୍ଧ କରାଯାଇଛି। ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ରିଷ୍ଟୋରେସନ୍ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ୧୦ଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ସଚିବ ସ୍ତରୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରାଯାଇଥିବା ବେଳେ, ୨୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।