ପାଟନା: ବିହାରର ରାଜଧାନୀ ପାଟନାରେ ଛଠ୍ ପୂଜା ଅବସରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୂଜା ପାଇଁ ସଫେଇ ଓ ସାଜସଜ୍ଜା କରୁଥିବା ବେଳେ ୩ ଜଣ ନାବାଳକ ନଦୀରେ ନିଖୋଜ ହୋଇଯାଇଛନ୍ତି। ରବିବାର ଛଠ୍ ମହାପର୍ବ ସମୟରେ ପାଟନା ଜିଲ୍ଲାର ମିର୍ଜାପୁର ଗାଁରେ ଏହି ଘଟଣା ଘଟିଛି। ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ, ସୂଚନା ଦିଆଯାଇଥିଲେ ମଧ୍ୟ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଠିକଣା ସମୟରେ ପହଂଚି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଆସୁ, ସୂରଜ ଓ ଆଦିତ୍ୟ ନାମକ ୩ ଜଣ ନାବାଳକ ପୁନପୁନ ନଦୀ କୂଳରେ ଘାଟ ସଫା କରିବା ସହ ସାଜସଜ୍ଜା କରୁଥିଲେ। ଏହି ସମୟରେ ସେମାନେ ନଦୀର ଗଭୀର ଜଳକୁ ଚାଲିଯାଇଥିଲେ ଏବଂ ନିଖୋଜ ହୋଇଯାଇଥିଲେ। ତିନି ଜଣ ଯାକ ନଦୀରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।