ଜନଜାତି ବର୍ଗଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ : ମୁଖ୍ୟମନ୍ତ୍ରୀ
ମାଲକାନଗିରି: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଆଜି ମାଲକାନଗିରିଠାରେ ରାଜ୍ୟସ୍ତରୀୟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତି ବର୍ଗ ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ ବୋଲି ସେ କହିଥିଲେ।
ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାରେ ବିର୍ସା ଥିଲେ ଜଣେ ଅଗ୍ରଣୀ ନାୟକ। ତାଙ୍କ ପ୍ରେରଣାରେ ସମଗ୍ର ଆଦିବାସୀ ସମାଜ ସ୍ୱାଧୀନଚେତା ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଦେଶର ଆଦିବାସୀମାନେ ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି ବୋଲି ସେ କହିଥିଲେ।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଭଗବାନ ବିର୍ସାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବିର୍ସା ମୁଣ୍ଡା ହେଉଛନ୍ତି ପ୍ରତ୍ୟେକ ଜନଜାତିଙ୍କ ପାଇଁ ଗର୍ବ ଓ ଗୌରବ। ଆଦିବାସୀ ମାନଙ୍କ ହକ୍ ଜଳ-ଜଙ୍ଗଲ-ଜମି ପାଇଁ ଇଂରେଜ ସରକାରଙ୍କ ବିରୁଦ୍ଧରେ ସେ ଯୁଦ୍ଧ ଡାକରା ଦେଇଥିଲେ। ଦେଶରେ ଯଦି ଆଜି ଜନଜାତି ବର୍ଗ ଆଗକୁ ବଢୁଛି, ତାର ଶ୍ରେୟ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଜନଜାତି ବର୍ଗଙ୍କୁ ସଶକ୍ତ କରିବାରେ ଓ ସେମାନଙ୍କୁ ଉଚିତ ସମ୍ମାନ ଦେବାରେ ଦେଶରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସୋଡୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ ଏବଂ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଭାଇଭଉଣୀ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।