ସାତ ବର୍ଷ ପରେ କିୱି ମାଟିରେ ଭାରତର ଦମ୍‌ଦାର ବିଜୟ

0

ମାଉଣ୍ଟ ମାଉଙ୍ଗାନୁଇ:ଦୀର୍ଘ ସାତ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଭାରତ ୨୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହା ପୂର୍ବରୁ ଭାରତ ୨୦୧୯ରେ ନ୍ୟୁଜିଲାଣ୍ଡ ମାଟିରେ ଶେଷଥର ପାଇଁ ଦିନିକିଆ ସିରିଜ୍ ୪-୧ରେ ଜିତିଥିଲା।ମାଉଣ୍ଟ ମାଉଙ୍ଗାନୁଇରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୨.୧ ଓଭରରେ ୨୦୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ଇଶାନ କିଶାନ ଦମ୍‌ଦାର ବ୍ୟାଟିଂ କରି ୪୬ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।୨୧୦ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୮.୧ ଓଭରରେ ୧୮୭ ରନ୍ କରି ଅଲଆଉଟ୍ ହୋଇଥିଲା।  ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଆକିବ ନବି ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଯଶ ଠାକୁର ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।ମ୍ୟାଚ୍‌ର ଶେଷ ଭାଗରେ ନ୍ୟୁଜିଲାଣ୍ଡ ଲଗାତାର ୱିକେଟ୍ ହରାଇଥିଲା। ୪୭ତମ ଓଭରରେ ଜାକବ ଡଫିଙ୍କୁ ଆଉଟ୍ କରି ଅକ୍ଷର ପଟେଲ ଦଳକୁ ନବମ ସଫଳତା ଦେଇଥିଲେ।

ଡଫିଙ୍କ କ୍ୟାଚ୍ ବିରାଟ କୋହଲି ଧରିଥିଲେ। ପରେ ୪୯ତମ ଓଭରର ପ୍ରଥମ ବଲ୍‌ରେ ଅକ୍ଷରଙ୍କ ବଲ୍‌ରେ ଇଶାନ କିଶାନ ଟିକନରଙ୍କୁ ଷ୍ଟମ୍ପିଂ କରିଥିଲେ। ଏହା ସହ ନ୍ୟୁଜିଲାଣ୍ଡର ଇନିଂସ ୧୮୭ ରନ୍‌ରେ ଶେଷ ହୋଇଥିଲା ଏବଂ ଭାରତ ୨୨ ରନ୍‌ରେ ବିଜୟୀ ହୋଇଥିଲା।ଏହି ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ଦୀର୍ଘ ସାତ ବର୍ଷ ପରେ ଦିନିକିଆ ସିରିଜ୍ ଜିତିବାର ଗୌରବ ହାସଲ କରିଛି ଭାରତ।

Leave A Reply

Your email address will not be published.