‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକ୍‌ ମନ୍ତ୍ରୀ

0

ଇସଲାମାବାଦ୍‌: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କୌଣସି ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମେ ୨୦୨୩ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏସ୍‌ସିଓ ବୈଠକରେ ସାମିଲ ହେବା ପାଇଁ ଗୋଆ ଆସିଥିଲେ। ରିପୋର୍ଟ ଅନୁସାରେ ପାକିସ୍ତାନର ଜଳବାୟୁ ପରିବେଶ ସମନ୍ୱୟ ମନ୍ତ୍ରୀ ମୁସାଦିକ୍ ମାସୁଦ ମଲିକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ।

ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମୁସାଦିକ୍ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସିଭିଲାଇଜେସନ୍ ଡାଏଲଗ୍ ସମ୍ପର୍କୀତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ। ଏଥିପାଇଁ ତାଙ୍କୁ ମନୋନୀତ କରାଯାଇଥିବା ପାକ୍ ବିଦେଶ ମନ୍ତ୍ରଣାଳୟ ସୂଚନା ଦେଇଛି। ଏସ୍‌ସିଓର ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପକ୍ଷରୁ ପାକିସ୍ତାନକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପଠାଯାଇଥିଲା। ଏଥିପାଇଁ ଗତ ମାସରେ ପାକିସ୍ତାନର ଜାତୀୟ ଐତିହ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ ଖିଚିଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ପାକିସ୍ତାନ ପକ୍ଷରୁ ଏବେ ମୁସାଦିକ୍ ମାସୁଦ୍ ମଲିକ୍‌ଙ୍କୁ ପଠାଯିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ମଲିକଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଉଦ୍ଦିଷ୍ଟ ନୁହେଁ; ସେ କେବଳ ଏସ୍‌ସିଓର ଜଣେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଏସ୍‌ସିଓ ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍‌ (ସଭ୍ୟତା ସମ୍ବାଦ କାର୍ଯ୍ୟକ୍ରମ)ର ପ୍ରଥମ ଅଧିବେଶନ ଚଳିତ ମାସ ଶେଷ ଆଡ଼କୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସମଗ୍ର ୟୁରେସିଆରେ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଭାରତ ପକ୍ଷରୁ ଏସ୍‌ସିଓର ସମସ୍ତ ୧୦ଟି ସଦସ୍ୟ ରାଷ୍ଟ୍ରକୁ ଏହି ସଭ୍ୟତା ସମ୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀରେ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସଭ୍ୟତା, ସଂସ୍କୃତି ମଧ୍ୟରେ ଆଲୋଚନା ଏବଂ ପାରସ୍ପରିକ ସମ୍ପର୍କ ବଢ଼ାଇବା ଉପରେ ଚର୍ଚ୍ଚା ହେବ।

 

Leave A Reply

Your email address will not be published.