ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍‌ଭାନ’

0

ଭୁବନେଶ୍ୱର : ଉପକୂଳକୁ ଭୟ ବଙ୍ଗୋପସାଗର। ବଙ୍ଗୋପସାଗର ଯେମିତି ପାଲଟିଛି ବିପର୍ଯ୍ୟୟର ପ୍ରହରୀ। ଅଣ୍ଟାସଳଖି ଠିଆ ହେବାକୁ ଦେବନି ବୋଲି ଯେମିତି ଶପଥ ନେଇଛି। ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗଲା ମାସରେ ଆସିଥିବା ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପରି ଶକ୍ତିଶାଳୀ ହୋଇପାରେ ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ’। ଏନେଇ ପୂର୍ବାନୁମାନ କରିଛି ଆଇଏମଡି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତର ରୂପ ନେଇଛି। ଯାହାକି ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଅର୍ଥାତ ସୋମବାର ବାତ୍ୟା ଓ ଆସନ୍ତା ୧୯ ତାରିଖ ବେଳକୁ ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ସେତେବେଳେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୪୫ କିଲୋମିଟର ରହିପାରେ। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖରୁ ଓଡ଼ିଶାରେ ବର୍ଷା ପବନ ଆରମ୍ଭ ହୋଇଯିବ।

୧୯, ୨୦ ଓ ୨୧ ତାରିଖ ରାଜ୍ୟବ୍ୟାପି ବର୍ଷା-ପବନର ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଆହୁରି କିଛି ଜିଲ୍ଲାକୁ ବ୍ୟାପିବାର ସମ୍ଭାବନା ରହିଛି। ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବଲାଙ୍ଗିର, ସୋନପୁର, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସକ୍ରିୟ ଥିବା ଅବପାତ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଖବର ଲେଖା ସୁଦ୍ଧା ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧ ହଜାର ୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା। ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବା ସହିତ କ୍ରମଶଃ ଆହୁରି ଘନୀଭୂତ ହୋଇ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିପାରେ। ଝଟ୍‌କା ପବନ ବେଗ ୧୪୫ କିଲୋମିଟର ଛୁଇଁବା ନେଇ ଆକଳନ କରିଛି ଆଇଏମ୍‌ଡି।

Leave A Reply

Your email address will not be published.