କ୍ଷମତା ପାଇବା ପାଇଁ ଦେଶକୁ ବଦନାମ କରନା: ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ଜବାବ

0

ପୁଣେ : ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ‘ଭାରତ ସମିଟ୍‌’କୁ ନେଇ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ରାହୁଲ ଗାନ୍ଧୀ ଦେଶକୁ ବଦନାମ କରିଛନ୍ତି। ଯଦି ସେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି, ତେବେ ବିଦେଶ ଯାତ୍ରା ଛାଡ଼ି ଗାଁକୁ ଯିବା ଆରମ୍ଭ କରନ୍ତୁ। କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି ଶ୍ରୀ ଶାହା କହିଛନ୍ତି, କ୍ରମାଗତ ତିନିଥର ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବିଭିନ୍ନ ଉପାୟରେ ନିଜର ହତାଶା ଜାହିର କରୁଛି। ଶାହ କହିଛନ୍ତି, କଂଗ୍ରେସ ହାଇଦ୍ରାବାଦରେ ‘ଭାରତ ସମିଟ୍ ୨୦୨୬’ ଆୟୋଜନ କରିଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବାମପନ୍ଥୀ ବିଚାରଧାରାର ପ୍ରଚାରକମାନଙ୍କୁ ଡକାଯାଇଥିଲା। କଂଗ୍ରେସର ରାଜକୁମାର ରାହୁଲ ଗାନ୍ଧୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସମ୍ମିଳନୀର ନାମ ‘ଭାରତ ସମିଟ୍‌’ ରଖାଯାଇଥିଲେ ମଧ୍ୟ ଅନ୍ତର୍ଜାତୀୟ ସମ୍ମିଳନୀରେ ରାହୁଲ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସମଗ୍ର ବିଶ୍ୱରେ ଦେଶକୁ ବଦନାମ କରିଛନ୍ତି। ଅମିତ ଶାହ କହିଛନ୍ତି, “ମୁଁ ଆଜି ଏହି ମଞ୍ଚରୁ ଦେଶର ସମସ୍ତ ଲୋକଙ୍କୁ କହିବାକୁ ଚାହୁଁଛି, ଯେଉଁଠି ବି କଂଗ୍ରେସ କର୍ମୀଙ୍କୁ ଦେଖିବେ, ସେମାନଙ୍କୁ ପଚାରନ୍ତୁ ଯେ ନିର୍ବାଚନ ଲଢ଼ିବା, ହାରିବା ଓ ଜିତିବା ଦଳର ନେତାଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ। ଆପଣଙ୍କୁ ୧୦ ବର୍ଷ ସୁଯୋଗ ମିଳିଥିଲା। ଏହି ସମୟରେ ୧୨ ଲକ୍ଷ କୋଟି ଟଙ୍କାର ଘୋଟାଲା, ଦୁର୍ନୀତି ହୋଇଥିଲା। ଦେଶବାସୀ ଆପଣଙ୍କୁ କ୍ଷମତାରୁ ହଟାଇ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ। ଗତ ୧୨ ବର୍ଷରେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଚାରିଅଣାର ଦୁର୍ନୀତି ଅଭିଯୋଗ ମଧ୍ୟ ଆସିନାହିଁ । ମୁଁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବାକୁ ଚାହୁଁଛି ଯେ, ଏଭଳି ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ବଦନାମ କରି ଆପଣ କ୍ଷମତା ପାଇପାରିବେ ନାହିଁ। କ୍ଷମତା ଚାହୁଁଥିଲେ ବିଦେଶ ଯାତ୍ରା ବନ୍ଦ କରି ଭାରତର ଗାଁଗୁଡ଼ିକୁ ଯିବା ଆରମ୍ଭ କରନ୍ତୁ। ହୁଏତ ଦିନେ ଆପଣଙ୍କ ପାଳି ପଡ଼ିପାରେ ।’
ସୂଚନାଯୋଗ୍ୟ, ଗତ କିଛି ସମୟ ଧରି ବିଜେପି ନେତାମାନେ ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠାଇ ଆସୁଛନ୍ତି। ଏହାରି ମଧ୍ୟରେ ନିକଟରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ। ରାହୁଲ କହିଥିଲେ, “ମୋଦୀଜୀ, ଏ ଦେଶକୁ ମିଛ କହିବା ବନ୍ଦ କରନ୍ତୁ। ଆପଣ ବିଦେଶୀ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ବିଦେଶୀ ସହାୟତାରେ ହିଁ ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି। ଆପଣଙ୍କ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଦେଶୀଙ୍କ ନିୟନ୍ତ୍ରଣ ଓ ସମର୍ଥନରେ ଚାଲିଛି। ବିଦେଶୀ ସୋସିଆଲ ମିଡିଆ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସମର୍ଥନରେ ରହିଛି। ଏହି ପ୍ରସଙ୍ଗରେ ମୁଁ ଆପଣଙ୍କୁ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଉଛି। ଯେକୌଣସି ମଞ୍ଚରେ, ଯେକୌଣସି ସମୟରେ ଆସନ୍ତୁ। ସାହସ ଅଛି ଯଦି ଆସନ୍ତୁ। ଆପଣ ଆସିବେ ନାହିଁ, କାରଣ ମୁଁ ଆପଣଙ୍କ ବିଷୟରେ ଯାହା ଜାଣିଛି, ତାକୁ ନେଇ ଆପଣ ଭୟଭୀତ।”

ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି କହିଥିଲେ, “ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଉଛନ୍ତି। ଯଦି ଆପଣ ପ୍ରକୃତରେ ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଚିଠି ଲେଖନ୍ତୁ। ଆମେ ଆଲୋଚନା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତ ଅଛୁ।”

Leave A Reply

Your email address will not be published.