ମା’ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ

ଅର୍ଜୁନୀ ଚରଣ ବେହେରା

ନୈମିଷ୍ୟାରଣ୍ୟରେ ମୁନୀମାନଙ୍କ ଗହଣରେ ସୂତ ମୁନି ଶ୍ରୀପଦ୍ମ ପୁରାଣ ବ୍ୟାଖ୍ୟା କରୁଥାନ୍ତି l କାର୍ତ୍ତିକ ମାହାତ୍ମ୍ୟ ପ୍ରସଙ୍ଗରେ ସେ ପାର୍ବତୀଙ୍କ ଅଭିଶାପରୁ କିପରି ତ୍ରିଦେବ,ବଟ, ପିପ୍ପଳ,ପଳାଶ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜନ୍ମହେଲେ ତାହା ବ୍ୟାଖ୍ୟାକଲେ ଏବଂ ଏହି ତିନି ବୃକ୍ଷର ପବିତ୍ରତା ସମ୍ବନ୍ଧରେ କହିଲେ l ସେ ଅଶ୍ୱତ୍ଥ ବୃକ୍ଷର କେତେକ ଦୋଷାଦୋଷ କଥା କହିବାରୁ ଶୌନକ ମୁନୀ ପ୍ରଶ୍ନ କଲେ :-
କିମ୍ପା ଅଶ୍ୱତ୍ଥ ବୃକ୍ଷ ମୂଳେ l
ବିଶ୍ରାମ ଦୋଷ ରାତ୍ରକାଳେ ll
ଆବର ଅର୍କବାର ଦିନ l
ଛୁଇଁଲେ ହତ ହୁଏ ପୁଣ ll
ଏହି କଥା ବୁଝାଇବାକୁ ଯାଇ ସୂତ ମୁନୀ ସୁନ୍ଦର ଅଲକ୍ଷ୍ମୀଙ୍କ ପ୍ରସଙ୍ଗ କହିଲେ l
ପୂର୍ବକାଳରେ ସୁରାସୁର ଦୁହେଁ ମିଳି ସମୁଦ୍ର ମନ୍ଥନ କରିଥିଲେ l ମନ୍ଦର ପର୍ବତକୁ ଖୁଆଦଣ୍ଡ, ବାସୁକୀ ନାଗକୁ ଖୁଆ ରଜ୍ଜୁ, କରି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଲକ୍ଷ୍ମୀ, କାମଧେନୁ ଗାଭୀ, କୌସ୍ତୁଭ ମଣି, ଅଷ୍ଟ ଅପ୍ସରା, ଐରାବତ ହସ୍ତୀ, ଉଚୈଶ୍ରବା ଅଶ୍ୱ, ଅଷ୍ଟନିଧି ଓ ଅମୃତ ବାହାରିଲା l ଏହି ସବୁ ଦ୍ରବ୍ୟ ଦେବତାମାନେ ବାଣ୍ଟି ନେଲେ l ମହାଲକ୍ଷ୍ମୀ ନିଜେ ବିଷ୍ଣୁଙ୍କ କୋଳ ମଣ୍ଡନ କରି ବୈକୁଣ୍ଠରେ ରହିଲେ l ସର୍ବ ଐଶ୍ୱର୍ଯ୍ୟମୟ,ସର୍ବ ସୁଖମୟ ସେହି ବୈକୁଣ୍ଠ ପୁରୀରେ କ୍ଷୀରୋଦ କନ୍ୟକା ମାଆ ଲକ୍ଷ୍ମୀ ଦିନେ ହସ୍ତ ଯୋଡ଼ି ବିଷ୍ଣୁଙ୍କୁ ନିବେଦନ କଲେ,’ହେ ପ୍ରଭୁ ! ଆପଣ ତ ଆଦି,ଅନାଦି,ବ୍ୟାପ୍ତ, ଅବ୍ୟାପ୍ତ ମହତ ପୁରୁଷ, ମୁଁ ଆପଣଙ୍କ ନିଜ ଦାସୀ l ମୁଁ ଆପଣଙ୍କ ଶ୍ରୀଚରଣ ତଳେ ଏକ ନିବେଦନକରୁଛି l ମୋତେ ଅନୁମତି ଦେଲେ କହିବି’l ପ୍ରଭୁ ଅନୁମତି ଦେବାରୁ ମାଆ ଲକ୍ଷ୍ମୀ କହିଲେ, ସାଗର ମନ୍ଥନ ସମୟରେ ମୋ’ ସହିତ ମୋ’ର ଜ୍ୟେଷ୍ଠା ଭଉଣୀ ଅଲକ୍ଷ୍ମୀର ମଧ୍ୟ ଜନ୍ମ ହୋଇଥିଲା l ତାହାର ବିରୂପକୁ ଦେଖି, ତା’କୁ କେହି ବାହା ହେଲେ ନାହିଁ l ବାପା ବରୁଣ ମୋର ମହା ଚିନ୍ତାରେ ରହିଛନ୍ତି l କାରଣ ଆପଣ ଜାଣନ୍ତି,ବିବାହଯୋଗ୍ୟା କନ୍ୟାକୁ ଘରେ ରଖିଲେ ସମସ୍ତ ସୁକୃତ ରାଶି ନାଶ ହୁଏ l ପୁଣି ଆଉ ଏକ ଭୁଲ ସିଏ କରିବସିଛନ୍ତି,ଘରର ଜ୍ୟେଷ୍ଠା କନ୍ୟାକୁ ପ୍ରଥମେ ବିବାହ ନଦେଇ,କନିଷ୍ଠା କନ୍ୟା ମୋତେ ଆପଣଙ୍କୁ ସମର୍ପଣ କରିଛନ୍ତି l ପିତାଙ୍କ ଦୁଃଖରେ ମୁଁ ମଧ୍ୟ ମ୍ରିୟମାଣ l ଏଣୁ ଆପଣଙ୍କୁ ମିନତି କରେ, ଆପଣ ମୋ ଭଉଣୀ ଅଲକ୍ଷ୍ମୀର ବିବାହ ବ୍ୟବସ୍ଥା କରନ୍ତୁ l ଆପଣ ତ ଜଗତର ସ୍ୱାମୀ l ଆପଣଙ୍କ ଦ୍ୱାରା କେଉଁ କାର୍ଯ୍ୟ ବା ଅସାଧ୍ୟ’l ଲକ୍ଷ୍ମୀଙ୍କ ମୁଖରୁ ଏପରି ଶୁଣି ପ୍ରଭୁ ବିଶ୍ୱ ଚିନ୍ତାମଣି ଗରୁଡ଼ ପୃଷ୍ଠରେ ଆରୋହଣ କରି ଯାଇ ବେଦ ବିଶାରଦ ଉଦ୍ଦାଳକ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ l ଉଦ୍ଧାଳକ ଜଣେ ବୈଦିକ ଋଷି ଯିଏ ନିଜ ପୁଅ ନଚିକେତାକୁ ଯମ ରାଜାଙ୍କୁ ଦାନ କରିଥିଲେ l
ବିଷ୍ଣୁ ତାଙ୍କ ଆଶ୍ରମରେ ପାଦରଖିଛନ୍ତି ଜାଣି ମହର୍ଷି ଉଦ୍ଦାଳକଙ୍କ ଆନନ୍ଦର ସୀମା ରହିଲା ନାହିଁ l ସେ ତାଙ୍କ ଚରଣ ବନ୍ଦନା କରି, ଆସନରେ ଉପବିଷ୍ଟ କରାଇଲେ ଓ ଗୋବିନ୍ଦଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ l ପ୍ରଭୁ କରୁଣା ବାରିଧି ଅତୀବ ପ୍ରୀତ ହୋଇ କହିଲେ,’ହେ ମୁନୀ ଶ୍ରେଷ୍ଠ ! ମୁଁ ତୁମଦ୍ୱାରା ଏକ କାର୍ଯ୍ୟ ସାଧନ ହେବ ବୋଲି ଆସିଛି l ତାହା ହେଲା, ଆମ୍ଭର ପତ୍ନୀ କମଳାଙ୍କର ଜ୍ୟେଷ୍ଠା ଭଗ୍ନୀ ଅଲକ୍ଷ୍ମୀଙ୍କୁ ତୁମେ, ମୋ ଠାରେ ଯଦି ଶ୍ରଦ୍ଧା ଥାଏ, ବିବାହ କର l ତୁମେ ପରମ ସାଧୁ l ତୁମ ଠାରେ ମୋର ପ୍ରୀତି ରହିଛି’ l ପ୍ରଭୁଙ୍କ ଶ୍ରୀମୁଖରୁ ଏପରି ପ୍ରୀୟ ବାକ୍ୟ ଶୁଣି, ଉଦ୍ଦାଳକ ଋଷି କହିଲେ, ହେ ପ୍ରଭୁ ଜଗତ ଜୀବନ !! ଆପଣଙ୍କ ଶ୍ରୀମୁଖ ବଚନ ମୋର ଶିରୋଧାର୍ଯ୍ୟ l
ଶ୍ରୀବିଷ୍ଣୁଙ୍କ ଆଜ୍ଞାପାଇ ଉଦ୍ଦାଳକମୁନିଙ୍କ ଆଶ୍ରମର ସମସ୍ତ ଅନ୍ତେବାସୀ ସାଧୁ ମାନେ ଯାଇ ବରୁଣଙ୍କ ପୁରରେ ପହଞ୍ଚିଲେ l ବରୁଣପୁରରୁ ବରୁଣକନ୍ୟା ଅଲକ୍ଷ୍ମୀଙ୍କୁ ବିବାହ ମଣ୍ଡପରେ ଉଭା କରାହେଲା l ଋଷିମାନେ ଅଲକ୍ଷ୍ମୀଙ୍କ କୁତ୍ସିତ, କଦାକାର ରୁପକୁ ଦେଖୁଥାନ୍ତି l ଅଲକ୍ଷ୍ମୀଙ୍କର ଖଡ଼ର ଜିହ୍ୱା, ପିଙ୍ଗଳ କେଶ,ଦୀର୍ଘନାସା,ଦୀର୍ଘକର୍ଣ୍ଣ,ଦୀର୍ଘ ଗୋଡ଼, କ୍ଷୁଦ୍ର ହାତଦ୍ବୟ, ଖର ବଚନ, ଇତ୍ୟାଦିକୁ ଦେଖି ଚକିତ ହେଉଥାନ୍ତି l ତଥାପି ବିଷ୍ଣୁଙ୍କ ଆଦେଶ ଅନୁସାରେ ଉଦ୍ଦାଳକ ମୁନି ଅଲକ୍ଷ୍ମୀଙ୍କୁ ବିବାହ କଲେ l
ଅଲକ୍ଷ୍ମୀଙ୍କ ସାଙ୍ଗରେ ଧରି ମୁନି ଉଦ୍ଦାଳକ ଆଶ୍ରମ ଫେରି ଆସିଲେ l ଆଶ୍ରମ ଅନ୍ତେ ବାସିନୀ ମାନେ ନବଦମ୍ପତ୍ତିଙ୍କୁ ଵିଧି ଅନୁସାରେ ବନ୍ଦାପନା କଲେ l ଏସବୁ ମଙ୍ଗଳବିଧାନ କିଛି ଅଲକ୍ଷ୍ମୀଙ୍କୁ ଭଲ ଲାଗୁ ନଥାଏ l ମୁନିଙ୍କ ଆଶ୍ରମ ଭିତରକୁ ଯାଇ ଅଲକ୍ଷ୍ମୀ ଶୁଣିଲେ ବେଦ ଧ୍ୱନୀ l ହୋମାଗ୍ନିର ଧୂମ ବାସରେ ସେ ଅତିଷ୍ଠ ହୋଇ, ଆଉ ନିଜକୁ ସମ୍ଭାଳି ନପାରି ଆସି ଦାଣ୍ଡରେ ବସିଗଲେ l
ଲଜ୍ଜିତ ଉଦ୍ଦାଳକ ମୁନି ଆସି ଅଲକ୍ଷ୍ମୀଙ୍କୁ କହିଲେ, ଇଏ ତୁ କି କର୍ମ କଲୁ l ସମସ୍ତ ଲଜ୍ୟା ତେଜକରି ଆସି ଦାଣ୍ଡରେ ବସିଲୁ l ମୋ ଗୃହରେ ଏମିତି କି ଅସୁବିଧା ଅଛି ଯେ ସେପାଇଁ ଆସି ଦାଣ୍ଡରେ ବସି ତୁ କାନ୍ଦୁଛୁ l ଅଲକ୍ଷ୍ମୀ କହିଲେ,”ଏହି ବେଦ ଧ୍ୱନୀ, ମନ୍ତ୍ରପାଠ,ହୋମ, ଯାଗ ଆଦି ମୋ ପାଇଁ ଅସହ୍ୟ, ମୁଁ ଏଠାରେ ରହି ପାରିବି ନାହିଁ l ମୋ ବାସସ୍ଥାନ ହେଉଛି ଯହିଁ ନିତ୍ୟ କଳହ,ପରନିନ୍ଦା,ଦ୍ୟୁତକ୍ରୀଡ଼ା କପଟ,ହିଂସା,ବାଦ,ପ୍ରାଣୀ ହିଂସା, ମିଥ୍ୟା, ଈଶ୍ୱର ନିନ୍ଦା ଇତ୍ୟାଦି ସ୍ଥାନମାନ l କୌଣସି ଗନ୍ଧ,ଚନ୍ଦନ, ପୁଷ୍ପ ଆଦି ମୁଁ ଘେନାକରେ ନାହିଁ,ଯେଉଁଠି ଆମିଷ ବାସ ନାହିଁ ସେଠି ମୁଁ ରହିପାରେନାହିଁ l ଆଉ ତୁମ ଆଶ୍ରମରେ :-
ତୁମ ମନ୍ଦିରେ ଘୃତ ବାସ l
ହୋମ ଅନଳ ଧୂମ ତ୍ରାସ ll
ତାହା ମୁଁ ନ ପାରଇ ସହି l
ବେଦବଚନେ ମୋର ଦେହି ll
ହେ ମୁନି ! ତୁମର ଏ ଆଶ୍ରମ ମୋର ବାସଯୋଗ୍ୟ ନୁହେଁ l ଉଦ୍ଦାଳକ ମୁନୀ ବଡ଼ ଚିନ୍ତାରେ ପଡ଼ିଲେ l ଭାବିଲେ, ଏପରି ଦୁଷ୍ଟା ସ୍ତ୍ରୀକୁ ତ ଘରେ ରଖିଲେ ନାନା ଅନର୍ଥ ଉପୁଜିବ l ଇଏ ତ ବାସ୍ତବରେ ଧର୍ମ ଧ୍ୱଂସିନୀ l ଶାସ୍ତ୍ରରେ କୁହାଯାଇଛି ଏଭଳି ଭାର୍ଯ୍ୟା “ସ୍ୱାମୀକୁ ନିନ୍ଦି ବାନ୍ଧି ପାରେ, ତାହାକୁ ନ ରଖିବ ଘରେ” l ମୁନି ବିଚାର କଲେ,ନାଆଁ ଏହାକୁ ଆଉ ଘରେ ରଖାଯାଇ ପାରିବ ନାହିଁ l କୌଣସି ନିର୍ଜନ ସ୍ଥାନରେ ନେଇ ଛାଡ଼ିଆସିବି l ସେ ଦିନ ଶନିବାର ଥାଏ l ଋଷି ଉଦ୍ଦାଳକ ଅଲକ୍ଷ୍ମୀଙ୍କୁ ଛନ୍ଦବାକ୍ୟ କହି ନେଇ ଘୋର ଅଗ୍ନାଗ୍ନି ବନସ୍ତ ଭିତରେ ଏକ ଅଶ୍ୱତ୍ଥ ବୃକ୍ଷ ମୂଳେ ପହଞ୍ଚାଇ କହିଲେ ଏବେ ଏହିଠାରେ ରହିଥା l ପରେ ତୋର ଯେଉଁଠାରେ ଶ୍ରଦ୍ଧା ହେବ ସେଠାରେ ରହିବା ବ୍ୟବସ୍ଥା ନିଶ୍ଚୟ କରି ଦେବି l ମୁଁ ଏବେ ଯାଉଛି ତୋର ସବୁ ଭକ୍ଷ୍ୟ ପଦାର୍ଥମାନ ଘେନି ଆସୁଛି l
ଉଦ୍ଦାଳକ ମୁନି ସେଠାରେ ଅଲକ୍ଷ୍ମୀଙ୍କୁ ଛାଡ଼ି ଆସି ଆଶ୍ରମରେ ଭଗବାନଙ୍କୁ ସ୍ମରଣ କଲେ,ହେ ପ୍ରଭୁ ! ମୋତେ ଏ ସଙ୍କଟରୁ ଉଦ୍ଧାରକର l ସ୍ୱାମୀ ନିଶ୍ଚେ ଆସିବେ ବୋଲି ଭାବି ଅଲକ୍ଷ୍ମୀ ସେହିଠାରେ ବସି ରହିଥାଏ l ତିନିଦିନ କାଳ ଅଲକ୍ଷ୍ମୀ ସେହିଠାରେ ସ୍ୱାମୀଙ୍କ ପଥ ଚାହିଁ ବସିରହିଲେ l ସ୍ୱାମୀ ଫେରୁ ନାହାଁନ୍ତି ଦେଖି, ଖୁବ ଉଚ୍ଚ ସ୍ୱରରେ ବାଇ ପ୍ରାୟେ ଭୟଙ୍କର ରୋଦନ କରିବାକୁ ଲାଗିଲେ l ପ୍ରଚଣ୍ଡ ସେହି କ୍ରନ୍ଦନ ଧ୍ୱନୀ, ବୈକୁଣ୍ଠରେ ମାଆ ଲକ୍ଷ୍ମୀଙ୍କ କର୍ଣ୍ଣରେ ବାଜିଗଲା,ମାଆ ନାରାୟଣଙ୍କୁ କହିଲେ, ହେ ପ୍ରଭୁ,ମୋ ଭଉଣୀ ସ୍ବାମୀହରା ହୋଇ ଘୋର ଅରଣ୍ୟରେ ବିକଳ ରୋଦନ କରୁଛି ତାକୁ ଆପଣ ସାହାଯ୍ୟ କରନ୍ତୁ l ତାକୁ କୌଣସି ଭଲ ଯାଗାରେ ରଖି ଆସନ୍ତୁ ସେ ଯେପରି କିଛି କଷଣ ନପାଏ l
ଲକ୍ଷ୍ମୀଙ୍କ ଅନୁନୟ ଶୁଣି ନାରାୟଣ ଗରୁଡ଼ ବିଜେ କରି, ଯାଇ ଅଲକ୍ଷ୍ମୀଙ୍କ ପାଖରେ ପହଞ୍ଚି କହିଲେ, ତୁମେ ଏଠି କାହିଁକି ବସିଛ l ତୁମ ଭଉଣୀ ଲକ୍ଷ୍ମୀ ମୋତେ ପଠାଇଛନ୍ତି ଆସ ମୋ ସହିତ ବୈକୁଣ୍ଠ ଯିବା l ସେଠି ତୁମର କୌଣସି ଅସୁବିଧା ରହିବ ନାହିଁ l ତୁମ କନିଷ୍ଠା ଭଗ୍ନୀ ଲକ୍ଷ୍ମୀ ବୈକୁଣ୍ଠ ପୁରର ଠାକୁରାଣୀ l ମହା ଐଶ୍ୱର୍ଯ୍ୟମୟ ପୁର l ସେଠାକୁ ତୁମେ ନିର୍ଦ୍ବନ୍ଦ୍ବରେ ଚାଲିଆସ l ନାରାୟଣଙ୍କ କଥା ଶୁଣି ଅଲକ୍ଷ୍ମୀ କହିଲେ,” ପୂର୍ବେ ପ୍ରଳୟ କାଳରେ ସବୁ କଳୁଷ ଯାକ, ପ୍ରଳୟ ବାରିରେ ପଙ୍କ ରୂପେ ପଡ଼ି ରହିଥିଲା l ମୋର ଉତ୍ପତ୍ତି ହିଁ ସେହି କଳୁଷ ପଙ୍କରୁ l
ତେଣୁ, ” ସ୍ବଧର୍ମ ବୋଲି ଯେତେ କଥା, ମୋତେ ଲାଗଇ ବଡ଼ ବ୍ୟଥା”l ସୁସ୍ଥାନରେ ମୁଁ ରହିପାରେ ନାହିଁ l ପୁଣି ବୈକୁଣ୍ଠ ମୋ କନିଷ୍ଠା ଭଗ୍ନୀର ଘର, ସେଠାକୁ ମୁଁ କେମିତି ଯିବି l ତା’ର ସେ ଶିରିରେ ମୋର କୌଣସି ପ୍ରୟୋଜନନାହିଁ l ଆପଣ ପରା ସକଳ ଲୋକର ସ୍ୱାମୀ l ମୋ ନିମନ୍ତେ କୌଣସି ସ୍ଥାନ ମୋ ମନଜାଣି ନିରୂପଣ କରିଦେଉ ନାହାଁନ୍ତି କାହିଁକି l ମୁଁ ସେଠାରେ ମୋ ଭାବେ ରହି ରାଜ୍ୟ କରିବି, ସ୍ୱାମୀସହ ମୋର କୌଣସି କାର୍ଯ୍ୟନାହି l ଏହା ଶୁଣି, ଭଗବାନ ଅଲକ୍ଷ୍ମୀଙ୍କୁ ହିଂସା, ଲୋଭ, କଳି, ମଦ୍ୟ, ମାଶ୍ଚର୍ଯ୍ୟ, ଦ୍ୟୁତ, ଅଶୁଚି, ଅଶୌଚ ଇତ୍ୟାଦି ସ୍ଥାନମାନ ରହିବାପାଇଁ ନିର୍ଦ୍ଧେଶ କଲେ l କହିଲେ, ରାତ୍ରୀ ବେଳା ଭୁତ ପିଶାଚ ଗଣସହ ତୁ ଏହି ପିପ୍ପଳ ବୃକ୍ଷରେ ବାସ କରିବୁ l
ପୁଣି ନାରାୟଣ କହିଲେ ଏ ଅଶ୍ୱତ୍ଥ ବୃକ୍ଷ ମୋର ସ୍ୱରୂପ ଅଟେ l ଆଜିଠୁ ପ୍ରତ୍ୟେକ ଶନିବାର ଦିନ ଲୋକେ ଏ ବୃକ୍ଷକୁ ପୂଜା କରି ମୋତେ ପୂଜନର ଇପ୍ସିତ ଫଳ ପାଇବେ l ମୋ ସହିତ ତୁମେ ମଧ୍ୟ ପୂଜା ହେବ l ପୁଣି ସପ୍ତଦିନ ଯାଏ ତୁମେ କ୍ଷୁଧିତ ହୋଇ ରହିବ l ନିଶା କାଳରେ ଏହି ବୃକ୍ଷ ହେବ ତୁମର ଆଶ୍ରୟ l ଯେଉଁ ମନୁଷ୍ୟ ରାତ୍ର କାଳରେ ଏହି ବୃକ୍ଷ ମୂଳରେ ବସିବ ତା’ ଶରୀରରେ ତୁମେ ଯାଇ ବିଶ୍ରାମକରିବ,ସେ ଅନନ୍ତକାଳ ଯାଏ ଦୁଃଖ ଭାଗୀ ହୋଇ ରହିବ l ଏମିତି ଅଲକ୍ଷ୍ମୀଙ୍କ ପାଇଁ ନିବାସ ସ୍ଥାନ ନିରୂପଣ କରି, ଭଗବାନ ଶ୍ରୀବିଷ୍ଣୁ ପ୍ରସ୍ଥାନ କଲେ l
କଥା ଶେଷ କରି ସୂତ ମୁନି କହିଲେ, ଏଣୁ ରାତ୍ର କାଳରେ ଏପରିକି ଦିନ ବେଳା ମଧ୍ୟ ଅଶ୍ୱତ୍ଥ ବୃକ୍ଷ ତଳେ ବସିବା, ଵିଧି ବର୍ଜିତ l ଆଦିତ୍ୟ ବାର ଦିନ ମଧ୍ୟ ପିପ୍ପଳ ବୃକ୍ଷକୁ ସ୍ପର୍ଶ,ଵିଧିବର୍ଜିତ ଅଟେ,ଏହା ଶାସ୍ତ୍ରର ପ୍ରମାଣ l ସୂତ ମୁନୀଙ୍କ ବ୍ୟାଖ୍ୟା ଶ୍ରବଣ କରି,ଉପସ୍ଥିତ ସମସ୍ତ ମୁନିଗଣ ସନ୍ତୋଷ ହୋଇ ଗମନ କଲେ l ଶ୍ରୀମହାଦେବ ଦାସ ଉପାଖ୍ୟାନ ଶେଷରେ କାର୍ତ୍ତିକ ମାହାତ୍ମ୍ୟରେ ଲେଖିଲେ :-
କହିଲେ ସୂତ ମହାଜ୍ଞାନୀ l
ଶୁଣି ସନ୍ତୋଷ ସର୍ବ ମୁନି ll
****
ଓଁ ଦାମୋଦରାୟେ ନମଃ
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.