ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ ରହୁ ନେଗେଟିଭିଟି ।

ଆଜି ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଏଭଳି ଢଙ୍ଗରେ ପାଠ ପଢାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ।

0

 ଭୁବନେଶ୍ବର  : ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ ରହୁ ନେଗେଟିଭିଟି । ଦେଶର ଗଣତନ୍ତ୍ରରେ ଭାଗିଦାରୀ ହୁଅନ୍ତୁ ନାହିଁ ଅନୁପ୍ରବେଶକାରୀ । ବିଜେପି ନେତା ଓ କର୍ମୀଙ୍କୁ ଏଭଳି ୫ ଗୁରୁ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ।

ଜଟଣୀରେ ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ କାର୍ଯ୍ୟକର୍ତ୍ତାଙ୍କୁ ନୀତି ଓ ଆଦର୍ଶର ପାଠ ପଢାଇଛନ୍ତି ବିଜେପି ସଭାପତି ।

ଦେଶ କିଭଳି ବିକଶିତ ହେବ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ କଣ ରହିଛି ତାହା ଉପରେ ଫୋକସ୍ କରିଥିଲେ ନିତିନ ନବୀନ । ଶିବିରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା ଅଭିଯାନ ଅବସରରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଭୁବନେଶ୍ବର ଜୟଦେବ, ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀର ୨୦୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ପରେ ନିତିନ ନବୀନ ସେଠାରେ ୧୦୦ ଫୁଟର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ରାଜ୍ୟ ବିଜେପିର କୋର୍ କମିଟି ବୈଠକ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଆଜିର ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ରାଜ୍ୟ ବିଜେପିର କୋର୍ କମିଟି ବୈଠକରୁ । ସକାଳ ସାଢେ ୮ରେ ସେ ପହଞ୍ଚିଥିଲେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ । ପରେ ସେ ରାଜ୍ୟ ବିଜେପିର ଟପ୍ ନେତୃବୃନ୍ଦଙ୍କ ସହ ଦଳୀୟ ସଂଗଠନ ନେଇ ଚର୍ଚ୍ଚା କରିଥିଲେ ।

ସଂଗଠନ କିପରି ଅଧିକ ଶକ୍ତିଶାଳୀ ହେବ। ସରକାର କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ। ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ମନ୍ତ୍ର ଫୁଙ୍କିଛନ୍ତି ଅଧ୍ୟକ୍ଷ।

୨୦୩୬ର ବିକଶିତ ଓଡ଼ିଶା ଗଠନରେ ରୋଡ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଥିବା କହିଛନ୍ତି ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ବୁଥସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଟାସ୍କ ଦେଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ଗତକାଲି ପହଞ୍ଚିଥିଲେ ନିତିନ ନବୀନ ।

Leave A Reply

Your email address will not be published.