ଦେଶର ସର୍ବ ପୁରାତନ ରାଜନୈତିକ ଦଳର ମଙ୍ଗୁଆଳ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ।

୭ ବର୍ଷ ବୟସରେ ମାଆକୁ ହରାଇଥିଲେ, ୧୨ ନିର୍ବାଚନରୁ ୧୧ ଜିତିଛନ୍ତି,

ନୂଆଦିଲ୍ଲୀ: କୁହନ୍ତି ସଫଳତାର ସ୍ୱାଦ ତାହା ପାଇଁ ମିଠା ଯେ ତାର ଜୀବନରେ ସଂଘର୍ଷ ଦେଖିଛି । ଆଉ ସେହି ସଂଘର୍ଷ ଲୋକମାନଙ୍କୁ ଶାନ୍ତିରେ ଶୋଇ ଦିଏ ନାହିଁ ଆଉ ସେମାନେ କିଛି ଏପରି କାମ କରନ୍ତି ଯାହା ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରେ । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସକୁ ମିଳିଛି ଅଣ ଗାନ୍ଧୀ ପରିବାରର ଅଧ୍ୟକ୍ଷ। ଦେଶର ସର୍ବ ପୁରାତନ ରାଜନୈତିକ ଦଳର ମଙ୍ଗୁଆଳ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ଇତିହାସରେ ଅଧ୍ୟକ୍ଷ ପଦ ଲାଗି ହୋଇଥିବା ଷଷ୍ଠ ଥର ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ଶଶି ଥରୁରଙ୍କୁ ହରାଇଛନ୍ତି ଖଡଗେ। ତାଙ୍କୁ ୭୮୯୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ମିଳିଛି ପାଖାପାଖି ୧୦୦୦ ଭୋଟ୍। ଏହି ପରି ମଲ୍ଲିକାର୍ଜୁନ ଖଡଗେ ୮ ଗୁଣ ଅଧିକ ଭୋଟରେ ଥରୁରଙ୍କୁ ହରାଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ସେ ଦ୍ଵିତୀୟ ଦଳିତ ନେତା। ଏହା ପୂର୍ବରୁ ୧୯୭୧ରେ ଜଗଜୀବନ ରାମ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସିଥିଲେ ମଧ୍ୟ ସେ ଭଲ ଭାବେ ହିନ୍ଦୀ କହି ପାରନ୍ତି। ଖଡଗେ ଲଗାତାର ନଅ ଥର ବିଧାୟକ ରହି ସାରିଛନ୍ତି। କେବଳ ଏତିକି ନୁହେଁ ୨୦୧୪ରେ ଯେବେ ମୋଦୀ ଲହରରେ ବଡ ବଡ ଦିଗଜ ଧରାଶାୟୀ ହୋଇଥିଲେ, ସେହି ସମୟରେ ଖଡଗେ ନିଜର ବିଜୟ ବାନା ଉଡାଇବାରେ ସଫଳ ହୋଇଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ।
୧୯୪୨ ଜୁଲାଇ ୨୧ରେ ଜନ୍ମିତ ମଲ୍ଲିକାର୍ଜୁନ ଖଡଗେ ରାଜନୀତିରେ ପାଦ ଦେବା ପୂର୍ବରୁ ପେଶାରେ ଜଣେ ଓକିଲ ଥିଲେ। କର୍ଣ୍ଣାଟକରେ ଏକ ଗରିବ ପରିବାରରୁ ସେ ଜନ୍ମଗ୍ରହଣ କରିଛନ୍ତି। ସେ ସ୍ନାତକ ସହ ଆଇନ ପାଠ୍ୟକ୍ରମ ପୂରା କରିଥିଲେ। ଖଡଗେ କର୍ଣ୍ଣାଟକର ଏମିତି ଦ୍ଵିତୀୟ ବ୍ୟକ୍ତି ଯିଏ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ତାଙ୍କ ପୂର୍ବରୁ କର୍ଣ୍ଣାଟକର ଏସ ନିଜାଲିଙ୍ଗପ୍ପା କଂଗ୍ରେସ ଅଧ୍ୟକ୍ଷ ରହି ସାରିଛନ୍ତି।

ଗାନ୍ଧୀ ପରିବାରର ବିଶ୍ଵସ୍ତ

ଲଗାତାର ନଅ ଥର ବିଧାୟକ ହୋଇଥିବା ୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡଗେ ୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ତାଙ୍କୁ ଗାନ୍ଧୀ-ନେହେରୁ ପରିବାରର ବିଶ୍ଵସ୍ତ କୁହାଯାଏ। ଅଧ୍ୟକ୍ଷ ନିର୍ବାଚନ ପାଇଁ ସେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ଖଡଗେ ମହାଦଳିତ ସମୁଦାୟ ପରିବାରରୁ ଆସିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଓକିଲାତି କରୁଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଡ. ବାବାସାହେବ ଆମ୍ବେଦକରଙ୍କଠୁ ପ୍ରେରିତ ହୋଇ ରିପବ୍ଲିକନ ପାର୍ଟି ଅଫ ଇଣ୍ଡିଆ(ଆରପିଆଇ)ରେ ସାମିଲ୍ ହୋଇଥିଲେ।

ଛାତ୍ର ସଙ୍ଘରୁ ଆରମ୍ଭ
ଖଡଗେ ନିଜର ରାଜନୈତିକ ଜୀବନର ଆରମ୍ଭ ଜଣେ ଛାତ୍ର ନେତା ହିସାବରେ କରିଥିଲେ। ସରକାରୀ କଲେଜ ଗୁଲବର୍ଗରେ ତାଙ୍କୁ ସାଧାରଣ ସଂପାଦକ ଭାବେ ଚୟନ କରାଯାଇଥିଲା। ୧୯୬୯ରେ ସେ ଏମଏସକେ ମିଲ୍ସର ଆଇନଗତ ପରାଦର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ସେ ମିଳିତ ଶ୍ରମିକ ସଂଘର ଜଣେ ପ୍ରଭାବଶାଳୀ ଶ୍ରମିକ ସଂଘ ନେତା ଥିଲେ। ଶ୍ରମିକଙ୍କ ଅଧିକାର ପାଇଁ ହୋଇଥିବା ଅନେକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଖଡଗେ। ୧୯୬୯ରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଗୁଲବର୍ଗ ସିଟି କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଥିଲେ।

ଲଗାତାର ନଅ ଥର ବିଧାୟକ
ଖଡଗେ ପ୍ରଥମ ଥର ୧୯୭୨ରେ କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ଲଢିଥିଲେ ଏବଂ ଗୁରମୀତକଲ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିଲେ। ୧୯୭୬ରେ ପ୍ରାଥମିକ ଶିକ୍ଷା ରାଜ୍ୟ ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ୧୯୭୮ରେ ଦ୍ଵିତୀୟ ଥର ସେ ଗୁରମୀତକଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତରାଜ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୦ରେ ସେ ଗୁଣ୍ଡୁ ରାଓ କ୍ୟାବିନେଟରେ ରାଜସ୍ଵ ମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ୧୯୮୩ରେ ସେ ତୃତୀୟ ଥର ଗୁରମୀତକଲରୁ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଚତୁର୍ଥ ଥର ଉକ୍ତ ଆସନରୁ ବିଜୟୀ ହୋଇଥିଲେ ଏବଂ କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଥିଲେ। ୧୯୮୯ରେ ଗୁରମୀତକଲ ଆସନରୁ ଲଗାତାର ପଞ୍ଚମ ଥର ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ। ଏହି ପରି ଜିତି ଜିତି ୨୦୦୪ରେ ଖଡଗେ କ୍ରମାଗତ ଆଠ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରେ ତାଙ୍କ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ମିଳିଥିଲା। ଖଡଗେଙ୍କୁ ୨୦୦୮ରେ ଦ୍ଵିତୀୟ ଥର ବିରୋଧୀ ଦଳ ନେତାର ଦାୟିତ୍ଵ ମିଳିଥିଲା। ୨୦୦୯ ଲୋକସଭା ନିର୍ବାଚନରେ ଗୁଲବର୍ଗା ସଂସଦୀ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢି ଲଗାତାର ଦଶମ ଥର ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ।

ମୋଦୀ ଲହରରେ ହାରିନଥିଲେ ଖଡଗେ
ମୋଦୀ ଲହର ସତ୍ତ୍ଵେ ୨୦୧୪ ଲୋକସଭା ନିର୍ବାଚନରେ ଖଡଗେ ଗୁଲବର୍ଗା ସଂସଦୀୟ ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେ ବିଜେପିର ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କୁ ୧୩,୪୦୪ ଖଣ୍ଡ ଭୋଟରେ ହରାଇଥିଲେ। ଜୁନରେ ତାଙ୍କୁ ଲୋକସଭାରେ କଂଗ୍ରେସ ଦଳର ନେତା ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ ଖଡଗେ। ବିଜେପି ପ୍ରାର୍ଥୀ ଜୀ ମାଧବ ତାଙ୍କୁ ପାଖାପାଖି ୯୫ ହଜାର ଭୋଟରେ ହରାଇଥିଲେ। ଏହା ପରେ ୨୦୨୦ ଜୁନ ୧୨ରେ ଖଡଗେ କର୍ଣ୍ଣାଟକରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ। ୨୦୨୧ ଫେବୃଆରୀରେ ଖଡଗେଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଥିଲା। ସେ ୟୁପିଏ ସରକାର ଅମଳରେ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶ୍ରମ ଏବଂ ରୋଜଗାର ସହ ରେଲଓ୍ଵେ ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ସମ୍ଭାଳିଥିଲେ।

୭ ବର୍ଷ ବୟସରେ ମାଆକୁ ହରାଇଥିଲେ
ମଲ୍ଲିକାର୍ଜୁନ ଖଡଗେ ୭ ବର୍ଷ ବୟସରେ ନିଜ ମାଆ ଏବଂ ପରିବାରର କିଛି ସଦସ୍ୟଙ୍କୁ ହରାଇଥିଲେ। ତାଙ୍କ ଆଖି ଆଗରେ ତାଙ୍କ ପିତା ଆଉ ମାଆ ଙ୍କୁ ଜୀବିତ ଜଳେଇ ଦିଆ ଗଲା।ଏହି ନିଆଁ ଖଡଗେଙ୍କୁ ଶୋଇବାକୁ ଦେଲାନାହିଁ । ସାଂପ୍ରଦାୟିକ ଉତ୍ତେଜନା କାରଣରୁ ତାଙ୍କୁ ନିଜର ଜନ୍ମସ୍ଥାନ ଗୁଲବର୍ଗ ଛାଡିବାକୁ ପଡିଥିଲା। ତାଙ୍କୁ ନିଜର ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ସିନେମା ଏବଂ ଥିଏଟରରେ କାମ କରିବାକୁ ପଡିଥିଲା। ନିଜ ରାଜନୈତିକ ଜୀବନରେ ଗତ ୧୨ଟି ନିର୍ବାଚନରୁ ସେ ୧୧ଟି ଜିତିବାରେ ସଫଳ ହୋଇଥିଲେ। ସେ ତିନି ଥର ମୁଖ୍ୟମନ୍ତ୍ରୀ ହେବାରୁ ଅଳ୍ପକେରୁ ବଞ୍ଚିତ ହୋଇଥିଲେ। ଛଅ ଭାଷା ଉପରେ ଜ୍ଞାନ ରଖିଛନ୍ତି ଖଡଗେ। ୧୯୬୮ ମେ ୧୩ରେ ସେ ରାଧାବାଇଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଏବଂ ତିନୋଟି ପୁଅ ଅଛନ୍ତି।

Comments are closed.