ଆଜିଠୁ କେରଳମ୍ରେ ସତୀଶନ ସରକାର। କେରଳମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ୨୦ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରାୟ ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସମଗ୍ର କେରଳ କ୍ୟାବିନେଟ୍ ଗୋଟିଏ ଦିନରେ ଏକାଠି ଶପଥ ନେଇଛନ୍ତି।
ଥିରୁଅନନ୍ତପୁରମ୍ ର ସେଣ୍ଟ୍ରାଲ ଷ୍ଟାଡିୟମ୍ରେ ଭବ୍ୟ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। କେସି ଭେନୁଗୋପାଳ ଏବଂ ରମେଶ ଚେନ୍ନିଥାଲାଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପିନାରାଇ ବିଜୟନ ଏବଂ ନେମୋମର ବିଜେପି ବିଧାୟକ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ମନ୍ତ୍ରୀ ଭାବେ ଶପଥ ନେଇଥିବା ୨୦ ବିଧାୟକ ମାନେ ହେଲେ ରମେଶ ଚେନ୍ନାଇଥାଲା, ପି.କେ କୁନହଲିକଟ୍ଟି, ସନ୍ନି ଜୋସେଫ, କେ ମୁରଲୀଧରନ୍, ମାନସ ଜୋସେଫ, ଶିବୁ ବେବି ଜନ୍, ଅନୁପ ଯାକବ, ସିପି ଜନ୍, ଏପି ଅନିଲ କୁମାର, ଏନ ସାମସୁଦ୍ଦିନ, ପିସି ବିଷ୍ଣୁନାଥ, ରୋଜୀ ଏମ ଜନ୍, ବିନ୍ଦୁ କୃଷ୍ଣ, ଏମ ଲିଜୁ, କେଏମ ଶାଜି, ପି.କେ ବଶିର, ଭି.ଇ ଅବଦୁଲ ଗଫୁର, ଟି ସିଦ୍ଦିକ, କେ.ଏ ଥୁଲାସି ଏବଂ ଓଜେ ଜାନିଶ।
୧୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୨ ଆସନ ଅକ୍ତିଆର କରି ୧୦ ବର୍ଷ ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ୟୁଡିଏଫ୍) କ୍ଷମତାକୁ ଆସିଛି। ବିଧାନସଭା ନିର୍ବାଚନରେ ୨୨ଟି ଆସନ ଜିତିଥିବା UDFର ସହଯୋଗୀ ଦଳ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ର ପାଞ୍ଚ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି।