AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ

ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ ସବୁଠାରୁ ମୁସ୍କିଲ କାର୍ଯ୍ୟ ହେଉଛି ଫୁସଫୁସ ପ୍ରତିରୋପଣ । ଏହା ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ତେଣୁ ଅର୍ଥ ଅଭାବରୁ ଅନେକ ରୋଗୀ ଫୁସଫୁସ ପ୍ରତିରୋପଣ କରାଇ ନପାରି ମୃତ୍ୟୁବରଣ କରିଥାନ୍ତି ।

ତେବେ ଏଭଳି ସ୍ଥିତିରେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ରୋଗୀଙ୍କୁ ଏଣିକି ମାଗଣାରେ ଫୁସଫୁସ ପ୍ରତିରୋପଣ ଚିକିତ୍ସା ଯୋଗାଇ ଦିଆଯିବ । ଏହି ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେହିପରି ଘରୋଇ ହସ୍ପିଟାଲରେ ୭୦ ଲକ୍ଷରୁ ୧.୫ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ତେବେ ଏମ୍ସର ଏହି ପଦକ୍ଷେପ ଫଳରେ ବହୁ ରୋଗୀଙ୍କ ଜୀବନ ବଞ୍ଚିପାରିବ ବୋଲି ଆଶା କରାଯାଉଛି ।

ଏମ୍ସ ପ୍ରଶାସନ ପକ୍ଷରୁ କିଛି ରୋଗୀଙ୍କ ପ୍ରତୀକ୍ଷା ସୂଚୀ ପ୍ରସ୍ତୁତ କରି ରାଷ୍ଟ୍ରୀୟ ଅଙ୍ଗ ଓ ଟିସୁ ଟ୍ରାନ୍ସପ୍ଲାଣ୍ଟ ସଂଗଠନ (ନୋଟା)କୁ ପଠାଇ ଦିଆଯାଇଛି । ସେଠାରୁ ଫୁସଫୁସ ମିଳିବା ପରେ ଏମ୍ସ ପକ୍ଷରୁ ପ୍ରତିରୋପଣ ପ୍ରକ୍ରିୟାର ଶୁଭାରମ୍ଭ କରାଯିବ । ଏବେ ୧୫ ରୋଗୀଙ୍କ ଫୁସଫୁସ ପ୍ରତିରୋପଣ ନିଃଶୁଳ୍କ ଭାବେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଖର୍ଚ୍ଚ ଭରଣା ପାଇଁ ଏମ୍ସ ପକ୍ଷରୁ ବିଭିନ୍ନ ଉତ୍ସରୁ ଫଣ୍ଡ ଯୋଗାଡ଼ କରାଯାଉଥିବା ଜଣାପଡ଼ିଛି ।

Comments are closed.