ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମୀରରଞ୍ଜନ ଦାଶଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ବାସଭବନକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଛି। କଂଗ୍ରେସ କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।
ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ପଦରୁ ବହିଷ୍କାର ଦାବି କରିଛି କଂଗ୍ରେସ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଛିl ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହୋଇ ପଡ଼ୁଛି। ଧୀରେ ଧୀରେ ତାଙ୍କ ମୃତ୍ୟୁର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିମାପଡ଼ାର ଜଣେ ସାମ୍ବାଦିକଙ୍କ ସହିତ ହୋଇଥିବା ବାର୍ତାଳାପର ଅଡିଓ କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ୫ଜଣଙ୍କୁ ଦାୟୀ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏଭଳି ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ତାଙ୍କ ମୃତ୍ୟୁର କାରଣକୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇଯାଇଛି।ଧର୍ମେନ୍ଦ୍ରଙ୍କ ମୋବାଇଲ ଫୋନରେ ଥିବା ଦୁଇଟି ରହସ୍ୟମୟ ଭିଡିଓର ଚର୍ଚା ନ ଥମୁଣୁ  ଆଉ ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ୧ ମିନିଟ ୨୭ ସେକେଣ୍ଡର ଏହି ଅଡିଓ କ୍ଲିପରେ ମୃତ ଧର୍ମେନ୍ଦ୍ର ଅକ୍ଷୟ ନାୟକ ନାମକ ଜଣେ ସାମ୍ବାଦିକଙ୍କ ସହିତ ଫୋନରେ କଥା ହେଉଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ତାଙ୍କ ମୃତ୍ୟୁ ପାଇଁ ୫ ଜଣ ଦାୟୀ। ସେମାନେ ହେଉଛନ୍ତି ତାଙ୍କ ପତ୍ନୀ, ସମୀର ଦାଶ, ରାଜୁ ନାୟକ ନାତୁଣୀ, ଟୁଲୁ ପାଣି ବୋହୂ, ଶ୍ବଶୁର ଦୁଃଶାସନ ସ୍ବାଇଁ ପ୍ରମୁଖ। ସାମ୍ବାଦିକଙ୍କ ସହିତ କଥାବାର୍ତା ବେଳେ ସେ କହିଛନ୍ତି, ମୁଁ ଆଜି ବଞ୍ଚି ଥାଏ କିମ୍ବା ନ ଥାଏ, ଏ କଥା ଜାଣିଥାଅ। ଧର୍ମେନ୍ଦ୍ର ଓ ସାମ୍ବାଦିକ ଅକ୍ଷୟଙ୍କ ମଧ୍ୟରେ ହୋଇଥିବା ଏହି ଅଡିଓ କ୍ଲିପକୁ ନେଇ ଗୋପ ବ୍ଲକ, ନିମାପଡ଼ା ଓ ଭୁବନେଶ୍ବରରେ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇ ଗଲାଣି।ନାହିଁ, କେବଳ ରେକର୍ଡ଼ିଂ କର। ସାମ୍ବାଦିକ ଅକ୍ଷୟ ତାଙ୍କୁ ବାରମ୍ବାର ବୁଝାଇ ଫୋନ୍ କାଟି ଦେଇଥିଲେ ମଧ୍ୟ ଧର୍ମେନ୍ଦ୍ର ତାଙ୍କୁ ୩ ଥର ଫୋନ୍ କରିଥିଲେ ବୋଲି ସେ କହିଛନ୍ତି। ଅକ୍ଷୟ କହିଛନ୍ତି, ଧର୍ମେନ୍ଦ୍ର ୭ ଜଣଙ୍କୁ ଦାୟୀ କରିଛନ୍ତି। ପୁଲିସ ଯଦି ଚାହିଁବ ମୁଁ ପୁଲିସକୁ ଅଡିଓ କ୍ଲିପ୍ ଦେବା ସହିତ ସବୁ କଥା ମଧ୍ୟ ଜଣାଇ ପାରିବି। ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇ ପାରିବ ବୋଲି ଅକ୍ଷୟ କହିଛନ୍ତି।
ଭାଇରାଲ ହେଉଥିବା ଅଡିଓ କ୍ଲିପ୍ ସମ୍ପର୍କରେ ଆଡିସନାଲ୍ ଡିସିପି ପ୍ରଭାସ ପାଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ ଇନକ୍ବେଷ୍ଟ୍ ଅଫିସର ତଦନ୍ତ କରୁଛନ୍ତି। ଯେଉଁ ଅଡିଓ କ୍ଲିପ୍ ଭାଇରାଲ ହେଉଛି ତାର ସତ୍ୟତା କେତେ ଅଛି ତାର ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ସାମ୍ବାଦିକ ଅକ୍ଷୟଙ୍କଠାରୁ ଧର୍ମେନ୍ଦ୍ରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଅନ୍ୟପଟେ ଆଜି ମଧ୍ୟ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘରକୁ ଯାଇ ପୁଲିସ ପୁଣି ଥରେ ପରିବାର ଲୋକଙ୍କୁ ପଚରା ଉଚରା କରିଛି। ଗତକାଲି ଜବତ ହୋଇଥିବା ସ୍ମାର୍ଟ ୱାଚ୍ ଓ ସିସିଟିଭି ହାର୍ଡ ଡିସ୍କକୁ ରାଜ୍ୟ ଫୋରେନସିକ୍ ଲାବୋରୋଟାରିକୁ ପଠା ଯାଇଛି। ଧର୍ମେନ୍ଦ୍ର ସାହୁ ଓ ସାମ୍ବାଦିକଙ୍କ ଫୋନ୍ କଥାବାର୍ତା ଭାଇରାଲ ହେବା ପରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାଶ ହିଁ ଦାୟୀ। ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ଗିରଫ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଭାତୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ତେଣୁ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.