ନୂଆଦିଲ୍ଲୀ: କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଦୀପାବଳି ପରଠାରୁ ଅର୍ଥାତ ନଭେମ୍ବର ୯ ତାରିଖଠାରୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ୧୩୭ଟି କର୍କଟ ନିରୋଧୀ ଔଷଧର ଦାମ ୯୬% ପର୍ଯ୍ୟନ୍ତ କମିଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଦ୍ୱାରା ଗତ ଅକ୍ଟୋବର ୧୭ରେ ଗଠିତ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଔଷଧଗୁଡ଼ିକର ସଂଶୋଧିତ ମୂଲ୍ୟ ନଭେମ୍ବର ୯ରୁ ଲାଗୁ ହେବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଖୁଚୁରା ଔଷଧ ବିକ୍ରେତା, ଡିଲର, ହସ୍ପିଟାଲ ଓ ଅନୁଷ୍ଠାନ ନିଜ ୱେବ୍ସାଇଟ୍ ଏବଂ ପରିସରରେ କର୍କଟ ନିରୋଧୀ ଔଷଧଗୁଡ଼ିକର ସଂଶୋଧିତ ଏମ୍ଆର୍ପି ତାଲିକାକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବା ବାଧ୍ୟତାମୂଳକ। ଏନ୍ପିପିଏର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ଔଷଧ ନିୟନ୍ତ୍ରକମାନେ ଔଷଧ ନିର୍ମାତା, ଡିଲର, ହସ୍ପିଟାଲ ଓ ଚିକିତ୍ସା ଅନୁଷ୍ଠାନଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ, ତାହା ତଦାରଖ କରିବେ।
କେଉଁ ଔଷଧର ଦାମ୍ କେତେ କମିବ?
ସ୍ତନ କର୍କଟ ଚିକିତ୍ସାରେ ବ୍ୟବହୃତ କ୍ୟାପସୁଲ୍ ପାଲବୋର ଦାମ୍ ୪୦ ହଜାର ଟଙ୍କାରୁ ହ୍ରାସ ପାଇ ୨,୭୦୦ ଟଙ୍କା ହୋଇପାରେ। ପ୍ରୋଷ୍ଟେଟ୍ କର୍କଟ ଚିକିତ୍ସାରେ ବ୍ୟବହୃତ ଅରଭିନ୍କେୟାର ଫାର୍ମାର ଔଷଧ ଏବିରୋନ୍ର ଦାମ୍ ୪୧ ହଜାର ଟଙ୍କାରୁ କମି ୩ ହଜାର ଟଙ୍କା ହୋଇପାରେ।
ସେହିପରି ରିଲାଏନ୍ସ ଲାଇଫ୍ ସାଇନ୍ସେସ୍ର ଡେନ୍ଅଷ୍ଟିଓରେଲ୍ର ଦାମ୍ ୨୪ ହଜାର ଟଙ୍କାରୁ କମି ୬ ହଜାର ଟଙ୍କା ହୋଇପାରେ। ଜାଇଡସ୍ ଲାଇଫ୍ ସାଇନ୍ସେସ୍ର ଫୁସ୍ଫୁସ୍ ଓ ଗର୍ଭାଶୟ ଗ୍ରୀବା କର୍କଟ ଚିକିତ୍ସାରେ ବ୍ୟବହୃତ ଔଷଧର ଦାମ୍ ମଧ୍ୟ ୯୬ ପ୍ରତିଶତ ପର୍ୟ୍ୟନ୍ତ କମିପାରେ।
କ’ଣ ଏହି ଟ୍ରେଡ୍ ମାର୍ଜିନ୍?
ଔଷଧ ନିର୍ମାତାଙ୍କଠାରୁ ବିତରକ କିଣୁଥିବା ମୂଲ୍ୟ ଏବଂ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ମଧ୍ୟରେ ଥିବା ପାର୍ଥକ୍ୟକୁ ଟ୍ରେଡ୍ ମାର୍ଜିନ୍ କୁହାଯାଏ। ଏହି ପାର୍ଥକ୍ୟ ଅଧିକ ହେଲେ ବ୍ୟବସାୟୀମାନେ ଅଧିକ ଲାଭ କରିଥାନ୍ତି ଏବଂ ଔଷଧକୁ ମନଇଚ୍ଛା ଦରରେ ବିକ୍ରି କରିବାର ସୁଯୋଗ ମିଳିଥାଏ। ଫଳରେ ରୋଗୀମାନେ ଅଧିକ ଆର୍ଥିକ ବୋଝର ସମ୍ମୁଖୀନ ହୋଇଥାନ୍ତି।