ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପୁରୀ/ଗୋପ/ଭୁବନେଶ୍ବର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଅବଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମୁଁ ଦୁଃଖିତ, ଖୁବ୍ ମର୍ମାହତ, ବିବାଦ କଣ ଜାଣିନି, ପରିବାର ପକ୍ଷରୁ ତ କିଛି ଆସିନି। ବିରୋଧୀ ଦଳଙ୍କ କଥାର ଉତ୍ତର ଦେବା ଉଚିତ ମନେ କରୁନି।
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ହାତ ରହିଥିବା ନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ବିରୋଧୀଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଜେପି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କୁ ଏହି ଘଟଣା ପାଇଁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରିଛି। ଗୋପ ବଜାରରେ ଏହି ଶୋଭାଯାତ୍ରା କରିବା ସହିତ ଦଳ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ଭୁବନେଶ୍ବର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏଥିସହିତ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଫେସ୍ବୁକ୍ ପୋଷ୍ଟିଂକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ହଟାଇଛି ବୋଲି ପ୍ରଶ୍ନ କରିଛି।

ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ଘରେ ଧର୍ମେନ୍ଦ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ଏହି ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗୋପ ବଜାରରେ ଶୋଭାଯାତ୍ରା କରାଯାଇଛି। । ଏହି ଘଟଣାରେ ଗଣଶିକ୍ଷା ଶ୍ରୀଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ଗୋପ ଥାନାରେ ଲିଖିତ ଅଭିଯୋଗ କରିଛି ଯୁବମୋର୍ଚ୍ଚା। ଗୋପ ଥାନା ବନ୍ତଳି ଗାଁର ରାଜକିଶୋର ନାୟକ ଏହି ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ରାଜକିଶୋର ଦର୍ଶାଇଛନ୍ତି, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଗତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ଜିଲ୍ଲା ପରିଷଦ ଟିକେଟ୍ ଦେଇଥିଲେ। ଶ୍ରୀ ଦାଶଙ୍କ ସହ ଧର୍ମେନ୍ଦ୍ରଙ୍କ ବହୁ ଘନିଷ୍ଠତା ରହିଛି। ଯେଉଁଥିପାଇଁ ତାଙ୍କୁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଓ ପ୍ରଭାରୀ ପଦବିରେ ବି ରଖାଯାଇଥିଲା। ଅନେକ ଦଳୀୟ ବୈଠକ ଓ ସାମାଜିକ କାର୍ଯ୍ୟକ୍ରମରେ ଦୁହିଁଙ୍କ ଫଟୋ ଦେଖିଲେ, ଘନିଷ୍ଠତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଧର୍ମେନ୍ଦ୍ର ସୋସିଆଲ୍ ମିଡିଆରେ ଯେଉଁ ଭିଡିଓ ଛାଡ଼ିଛନ୍ତି, ସେଥିରେ ସେ ରାଜନୈତିକ ପ୍ରସଙ୍ଗ ଉଠାଇଛନ୍ତି। ରାଜନୀତି ତାଙ୍କ ପାରିବାରିକ କଳହର ମୁଖ୍ୟ କାରଣ ବୋଲି ଭିଡିଓରେ କହିଛନ୍ତି। ଏ ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଭୂମିକା ସନ୍ଦେହଜନକ ଲାଗୁଛି। ଧର୍ମେନ୍ଦ୍ର ଉଠାଇଥିବା ମୋବାଇଲ୍ରେ ଶ୍ରୀ ଦାଶଙ୍କ କଥୋପକଥନ ଓ ତାଙ୍କ ପାରିବାରିକ ଘଟଣାବଳୀ ଉପରେ ଏପରି କିଛି ତଥ୍ୟ ଥାଇପାରେ। ଏହିସବୁ କାରଣରୁ ଧର୍ମେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ରାଜକିଶୋର ଅଭିଯୋଗ କରିଛନ୍ତି।

ଅପରପକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପୁରୀ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ ମଧ୍ୟ ଅନୁରୂପ ଭାବେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ପୋଷ୍ଟିଂ ପ୍ରସଙ୍ଗ ଉଠାଇଛନ୍ତି।। ସେ କହିଛନ୍ତି, ଏହି ପୋଷ୍ଟ୍ ସତ କ’ଣ ପ୍ରମାଣିତ କରୁଥିବାବେଳେ ଉଦ୍ଦେଶ୍ୟମୂଳକ ଭାବେ ଫେସ୍ବୁକ୍ରୁ ଏହାକୁ ହଟାଇ ଦିଆଯାଇଛି। ଧର୍ମେନ୍ଦ୍ର ନିଜ ଦୁଇଟି ମୋବାଇଲ୍ରେ ଥିବା ଯେଉଁ ଭିଡିଓ କଥା ଉଠାଇଛନ୍ତି, ତାହା ଲୋକଲୋଚନକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହିତ, ମୃତକଙ୍କ ଶ୍ବଶ୍ବରୁ ଯେଉଁଭଳି ମନ୍ତବ୍ୟ ରଖିଛନ୍ତି, ତାହା ବି ସନ୍ଦେହଜନକ। ପାରିପାର୍ଶ୍ବିକ ଅବସ୍ଥା ଓ ଅନ୍ୟାନ୍ୟ ଘଟଣାବଳୀରୁ ଏହା ଆତ୍ମହତ୍ୟା ନୁହେଁ ବୋଲି ସ୍ପଷ୍ଟ ହେଉଥିବା ବେଳେ ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶ୍ରୀ ସେଠୀ ଦାବି କରିଛନ୍ତି। ଶ୍ରୀ ସେଠୀଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧିଦଳ ଭୁବନେଶ୍ବର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାଶ, ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆ ଉଲ୍ ହକ୍, ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ସୁବତ୍ର ମହାପାତ୍ର, ମିହିର ଆଚାର୍ଯ୍ୟ, ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.