ପୁରୀ: ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ଓ ଗଜା ତିଆରି ହେଉଥିବା ଅଭିଯୋଗ ପରେ, ଆଜି ସକାଳୁ ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମ୍ୟୁନିସିପାଲିଟି ଏବଂ ପୋଲିସର ମିଳିତ ଟିମ୍ ବ୍ୟାପକ ଚଢ଼ାଉ କରି ୫ଟି ଭାଟିକୁ ସିଲ୍ କରିଛନ୍ତି। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଚାଲିଥିବା ଏହି ଯାଞ୍ଚ ସମୟରେ ବେଆଇନ୍ ଭାବେ ବ୍ୟବହୃତ ହେଉଥିବା ବହୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯିବା ସହ ନିମ୍ନମାନର ଖଜାଗୁଡ଼ିକୁ ନଷ୍ଟ କରାଯାଇଛି। ଏହାସହ ଅସାଧୁ ବ୍ୟବସାୟୀଙ୍କଠାରୁ ଫାଇନ୍ ମଧ୍ୟ ଆଦାୟ ହୋଇଛି। ଭକ୍ତ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ପୁରୀ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।