ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ୨୯ତମ ରାଜ୍ୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

0

ଗଜପତି, (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ୨୯ତମ ରାଜ୍ୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟ ସଭାପତି ଶ୍ରୀ ଦେବେନ୍ଦ୍ର ବିଜୟ ସାହୁ, ବିଚାରଧାରାର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଜଗତ କିଶୋର ଦାସ,ଗଜପତିର ସଭାପତି ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗଞ୍ଜାମ ସମ୍ଭାଗ ସମ୍ପାଦିକା ଡ. କଲ୍ୟାଣୀ ମିଶ୍ର, ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଜଗନ୍ନାଥ ଓ ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ପରେ ସଂସଦର ଦିବଙ୍ଗତ ସଦସ୍ୟମାନଙ୍କ ସ୍ମରଣାର୍ଥେ ପଣ୍ଡିତ ବିପିନ ବିହାରୀ ଶତପଥୀଙ୍କ ଦ୍ଵାରା ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାପରେ ନିର୍ଦ୍ଧାରିତ ମର୍ଯ୍ୟାଦା ଓ ବିଧି ଅନୁସାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ ଗାନରେ ସମସ୍ତେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତିର ସଦସ୍ୟବୃନ୍ଦଙ୍କ ପକ୍ଷରୁ ଅତିଥିମାନଙ୍କୁ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଗଞ୍ଜାମ ସମ୍ଭାଗ ସମ୍ପାଦିକା ଡ. କଲ୍ୟାଣୀ ମିଶ୍ର ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଏହାପରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତିର ସଭାପତି ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ।
ପ୍ରଥମ ଅଧିବେଶନରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ଗବେଷଣା ପତ୍ରିକା ‘ଉତ୍କଳିକା’, ‘ପ୍ରବୋଧନ’ର ମୁଖ୍ୟ ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ନାୟକଙ୍କ ରଚିତ ସମ୍ପାଦକୀୟ ସଂଗ୍ରହ ‘ଜୀବନର ବିନ୍ଦୁ’ ଏବଂ ଢେଙ୍କାନାଳର ବିଚାରଧାରା ପ୍ରମୁଖ ଶ୍ରୀ ବୈକୁଣ୍ଠ ବିହାରୀ ସ୍ୱାଇଁଙ୍କ ରଚିତ ‘ଓଡ଼ିଶାରୁ ଆଣ୍ଡାମାନ ଯାଏଁ ଭ୍ରମଣ ଅନୁଭୂତି’ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏହାପରେ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବିଚାରଧାରାର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଜଗତ କିଶୋର ଦାସ ଅଭିଭାଷଣ ପ୍ରଦାନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ଦେବେନ୍ଦ୍ର ବିଜୟ ସାହୁ ସଭାପତିଙ୍କ ଅଭିଭାଷଣ ରଖିଥିଲେ। ଶେଷରେ ଲୋକ ସଂସଦ, ଗଜପତି ଶାଖା ଉପ ସଭାପତି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ଓ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସଦସ୍ୟ/ ସଦସ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ରାଜ୍ୟ ସଭାପତି ଶ୍ରୀ ଦେବେନ୍ଦ୍ର ବିଜୟ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ସଂଗଠନର ଆର୍ଥିକ ସ୍ଥିତି, ସାଙ୍ଗଠନିକ ସୁଦୃଢ଼ୀକରଣ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରଥମେ କୋଷାଧ୍ୟକ୍ଷ ଶ୍ରୀ ସତ୍ୟଶ୍ଳୋକ ସାହୁ ସଂଗଠନର ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ। ପରେ ଡ. ବିଶ୍ୱଜିତ ଖମାରୀ ସଂଗଠନର ଉଚ୍ଚସ୍ତରୀୟ ଓ ତୃଣମୂଳସ୍ତରୀୟ ସମ୍ପ୍ରସାରଣ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ଉପସ୍ଥାପନ କରିବା ସହ ସେଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହାସହ ସଂଗଠନର ନିୟମାବଳୀରେ ସଂଶୋଧନ ଓ ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବ ପ୍ରଫେସର ହିମାଂଶୁ ଶେଖର ରାଉତ ଉପସ୍ଥାପନ କରିଥିଲେ। ଯାହା କି ପରବର୍ତ୍ତୀ ସମୟରେ ସମସ୍ତ ସଦସ୍ୟମାନଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା।
ସାଧାରଣ ପରିଷଦ ବୈଠକରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା, ସାଙ୍ଗଠନିକ ସମ୍ପ୍ରସାରଣ, ଆର୍ଥିକ ବିବରଣୀ, ନିୟମାବଳୀରେ ସଂଶୋଧନ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସଂଗଠନର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, ସଦସ୍ୟ ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
ପରବର୍ତ୍ତୀ ଅଧିବେଶନରେ ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଯିବା ସହ ସଂଗଠନର ଆଗାମୀ ଦିନର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ସୁସଂଗଠିତ କରିବା ଦିଗରେ ଏହି ନିର୍ବାଚନ ଗୁରୁତ୍ୱ ବହନ କରୁଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଶେଷରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଖୋର୍ଦ୍ଧାର ଉପସଭାପତି ତଥା ଆଇନ ବିଭାଗର ସେବାନିବୃତ୍ତ ପ୍ରଫେସର ଶ୍ରୀ ଚିନ୍ତାମଣି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ, ମାନବସେବା, ନୈତିକ ମୂଲ୍ୟବୋଧ ଓ ରାଷ୍ଟ୍ରୀୟ ଚେତନାକୁ ଆଧାର କରି କାର୍ଯ୍ୟ କରୁଥିବା ଲୋକ ସଂସଦର ଏହି ବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗଠନିକ କାର୍ଯ୍ୟଧାରାର ସମୀକ୍ଷା, ନୂତନ ଯୋଜନା ପ୍ରଣୟନ ଓ ଭବିଷ୍ୟତର ଦିଗନିର୍ଦ୍ଦେଶ ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଥିଲା।
ସାଙ୍ଗଠନିକ ସମ୍ପ୍ରସାରଣ, ନିୟମାବଳୀ ସଂଶୋଧନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଏହି ସଙ୍ଗଠନ ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ଜାତୀୟ ସ୍ତରରେ ସଙ୍ଗଠିତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ଏଥି ସହ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇ କେନ୍ଦ୍ରୀୟ ସଙ୍ଗଠନର ସଭାପତି ରୂପେ ଡ଼ଃ କେ.ଶଙ୍କରନ୍, ସାଧାରଣ ସମ୍ପାଦକ ଭାବରେ ଶ୍ରୀ ଚିତ୍ତରଞ୍ଜନ ନାୟକ, କୋଷାଧ୍ୟକ୍ଷ ଶ୍ରୀ ସତ୍ୟ ଶ୍ଳୋକ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଶ୍ରୀ ପ୍ରଳୟ କୁମାର ନନ୍ଦ ପ୍ରମୁଖ ନିର୍ବାଚିତ ହୋଇଥିଲେ। ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାଙ୍କୁ କରତାଳି ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ପ୍ରଥମ ଅଧିବେଶନରେ ସଞ୍ଚାଳିକା ଭାବେ ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଗଜପତି ଶାଖା ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦିଗଦର୍ଶନ ଓ ସମ୍ପାଦକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଶଶିକାନ୍ତ ମହାପାତ୍ର, ସମ୍ପର୍କ ସେତୁ ସଂଯୋଜକ ଶ୍ରୀ ରାଜେନ୍ଦ୍ର କୁମାର ରଥ, କୋଷାଧ୍ୟକ୍ଷ ପ୍ରମୁଖ ଏ ରାମାରାଓ ଏବଂ ସୀତାରାମ ପ୍ରଧାନ ପ୍ରଭୃତି ସଦସ୍ୟଗଣ ସହଯୋଗ କରିଥିଲେ।

Leave A Reply

Your email address will not be published.