ଭୁବନେଶ୍ୱର : କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖିଛନ୍ତି। ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ। ସମାଧାନ ପାଇଁ ଯଦି ଆପଣଙ୍କର କୌଣସି ଗଠନମୂଳକ ପରାମର୍ଶ ଅଛି ଦିଅନ୍ତୁ, ବୋଲି ଚିଠିରେ ଲେଖିଲେ ମୁଖ୍ୟମନ୍ତ୍ରୀ। କୋଟିଆ ପ୍ରସଙ୍ଗରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଚିିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ସମାଧାନ ପାଇଁ ଯଦି ଆପଣଙ୍କର କୌଣସି ଗଠନମୂଳକ ପରାମର୍ଶ ଅଛି ଦିଅନ୍ତୁ। ଗଠନମୂଳକ ପରାମର୍ଶ ଦେଲେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇବି। ରାଜ୍ୟ ସରକାର ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ପାଇଁ ପ୍ରତିବଦ୍ଧ। ଆପଣଙ୍କ ଚିଠି ସ୍ଥାୟୀ ସମାଧାନ ଅପେକ୍ଷା ରାଜନୈତିକ ଦୃଷ୍ଟିକୋଣକୁ ଇସାରା କରୁଛି। ରାଜ୍ୟ ସରକାର ଆଇନଗତ ଏବଂ ସାମ୍ବିଧାନିକ ଉପାୟରେ ସମାଧାନ ଚାହୁଁଛନ୍ତି।
ଚିିଠିରେ ଉଲ୍ଲେଖ ରହିଛି ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଦିନଠାରୁ କୋରାପୁଟର କୋଟିଆ ଗ୍ରାମପୁଞ୍ଜ ଆମ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ରାଜ୍ୟର ଭୌଗୋଳିକ ଅଖଣ୍ଡତା ଏବଂ ଜନସାଧାରଣଙ୍କ ନ୍ୟାଯ୍ୟ ସ୍ୱାର୍ଥ ସୁରକ୍ଷାରେ କୌଣସି ପ୍ରକାର ଆପୋଷ ବୁଝାମଣା କରାଯିବ ନାହିଁ।
ଆମ ସରକାର କେବଳ ଆଇନଗତ ଲଢ଼େଇରେ ସୀମିତ ନ ରହି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କୋଟିଆର ସାମାଜିକ, ଆର୍ଥିକ ତଥା ମୌଳିକ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
କୋଟିଆ ପ୍ରସଙ୍ଗରେ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ରର ଉତ୍ତର ରଖିଲି। ଏହି ଦୀର୍ଘଦିନର ସମ୍ବେଦନଶୀଳ ଆନ୍ତଃରାଜ୍ୟ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ଏକ ମୁଦ୍ଦା କରିବା ପରିବର୍ତ୍ତେ ସମସ୍ତେ ସଂଯମତା, ଦାୟିତ୍ୱବୋଧ ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ।
ରାଜ୍ୟର ହିତ ପାଇଁ କେବଳ ରାଜନୈତିକ ବୟାନବାଜି ପରିବର୍ତ୍ତେ , ସାମ୍ବିଧାନିକ ତଥା ଗଠନମୂଳକ ପ୍ରସ୍ତାବ ଆସିଲେ ସରକାର ତାହାକୁ ନିଶ୍ଚୟ ଆନ୍ତରିକତାର ସହ ବିଚାରକୁ ନେବେ।