ରାୟଗଡ଼: ୨୭.୧୦.୨୦୨୬, ଗୁଜରାଟର ଏକତା ନଗରଠାରେ ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ରାୟଗଡ଼ ରେଳ ଷ୍ଟେସନଠାରୁ ୧୬୦ ଜଣ ପ୍ରତିନିଧିଙ୍କ ଯାତ୍ରାକୁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।
ରାୟଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ପ୍ରତିନିଧି ଏବଂ ମୋଟ ୧୦ ଜଣ ନୋଡାଲ୍ ଅଧିକାରୀ ଏହି ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଯାତ୍ରା କରିଛନ୍ତି। ଏହିପରି ମୋଟ ୧୬୦ ଜଣ ପ୍ରତିନିଧି ରାୟଗଡ଼ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ରେ ଏକତା ନଗର ଅଭିମୁଖେ ଯାତ୍ରା କରିଛନ୍ତି।



ଏହି ଅବସରରେ ଓଡ଼ିଶାରୁ ପ୍ରାୟ ୧,୦୦୦ ଜଣ ପ୍ରତିନିଧି ଏକତା ନଗର ଗସ୍ତ କରି ଉତ୍ସବରେ ଅଂଶଗ୍ରହଣ କରିବେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ଉତ୍ସବ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ସହ ଶାନ୍ତି, ସୁରକ୍ଷା, ଜାତୀୟ ସଂହତି ଓ ସମାବେଶୀ ବିକାଶର ଗୁରୁତ୍ୱକୁ ପ୍ରତିପାଦିତ କରିବ ଏବଂ ‘ନକ୍ସଲମୁକ୍ତ ଭାରତ’ ଗଠନର ଲକ୍ଷ୍ୟକୁ ସୁଦୃଢ଼ କରିବ।
ଏହି ଅବସରରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, SDC ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, SDC ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ।
କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ରହଣି ପାଇଁ ରାୟଗଡ଼ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏବଂ ରାୟଗଡ଼ ଜିଲ୍ଲାର ପ୍ରତିନିଧିମାନଙ୍କ ପାଇଁ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା।