ରାୟଗଡ଼ରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

0

ରାୟଗଡ଼, ୨୭.୧୦.୨୦୨୬: ଆଜି ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବାତ୍ୟା ମୁକାବିଲା, ଜନସାଧାରଣଙ୍କ ସୁରକ୍ଷା, ଉଦ୍ଧାର ଓ ଥଇଥାନ, ରିଲିଫ୍ ବଣ୍ଟନ, ପାନୀୟ ଜଳ ଯୋଗାଣ ଏବଂ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି ଓ ସମନ୍ୱୟ ରକ୍ଷା କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ବ୍ଲକ୍‌ର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ୍‌ ସ୍ତର ସମେତ ତହସିଲ୍‌ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ କେନ୍ଦ୍ର (DEOC)ର ଯୋଗାଯୋଗ ନମ୍ବର ହେଉଛି ୦୬୮୫୬-୨୨୪୦୬୨ / ୨୨୪୦୮୨।

SRCଙ୍କ ପକ୍ଷରୁ ରାୟଗଡ଼ ଜିଲ୍ଲା ପାଇଁ ୩ଟି ODRAF ଟିମ୍‌ ଓ ୧ଟି NDRF ଟିମ୍‌ ମୁତୟନ କରାଯାଇଛି। ଗୁଣପୁର ଓ ବିଷମକଟକ ଅଞ୍ଚଳରେ ODRAF ଟିମ୍‌ ମୁତୟନ ରହିଛନ୍ତି। ଏଥିସହ ୧୧ଟି ଅଗ୍ନିଶମ ବାହିନୀ ଟିମ୍‌ ଆବଶ୍ୟକୀୟ କର୍ମଚାରୀ ଓ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି। ଗୁଣପୁର, ଗୁଡ଼ାରୀ ଓ କାଶୀପୁର ଅଞ୍ଚଳରେ ୩ଟି SRC ମୋଟରଚାଳିତ ଉଦ୍ଧାରକାରୀ ଡଙ୍ଗା ମୁତୟନ କରାଯାଇଛି।

ସହରାଞ୍ଚଳରେ ଡ୍ରେନ୍‌ ଓ ଜଳ ନିଷ୍କାସନ ପଥ ସଫା କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ତତ୍ପର ରହିବାକୁ କୁହାଯାଇଛି।

ଜିଲ୍ଲାର ୩ଟି ସ୍ଥାୟୀ ବହୁମୁଖୀ ଆଶ୍ରୟସ୍ଥଳକୁ ବିଦ୍ୟୁତ୍‌ ବ୍ୟାକ୍‌ଅପ୍‌, ପାନୀୟ ଜଳ ଓ ପରିମଳ ଭଳି ଆବଶ୍ୟକୀୟ ସୁବିଧା ସହ ପ୍ରସ୍ତୁତ ରଖାଯାଇଛି। ଏଥିସହ ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। ପ୍ରତ୍ୟେକ ସ୍ଥାୟୀ ଆଶ୍ରୟସ୍ଥଳ ପାଇଁ ଜଣେ ଲେଖାଏଁ ନୋଡାଲ୍‌ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାର ୧୪୮ଟି ବିପଦପ୍ରବଣ ଗ୍ରାମ ଏବଂ ୧୭ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି।

ଜନସାଧାରଣଙ୍କୁ ଆବଶ୍ୟକ ସମୟରେ ରିଲିଫ୍‌ ଯୋଗାଇଦେବା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଏଥିରେ ୧୨୪.୯୦ କ୍ୱିଣ୍ଟାଲ୍‌ ଚୁଡ଼ା, ୧୨୭.୨୭ କ୍ୱିଣ୍ଟାଲ୍‌ ଗୁଡ଼, ୭,୮୯୪ ପ୍ୟାକେଟ୍‌ ମହମବତୀ, ୩,୧୨୬ଟି ଦିଆସିଲି, ୨୨,୪୫୨ ପ୍ୟାକେଟ୍‌ ବିସ୍କୁଟ୍‌, ୧୨,୫୧୭.୦୯ କ୍ୱିଣ୍ଟାଲ୍‌ ଚାଉଳ ଓ ୮,୦୭୯ ଲିଟର କିରୋସିନ୍‌ ରହିଛି। ଏଥିସହ ମୁଖ୍ୟ ଗୋଦାମରେ ୩୧୧ଟି ପଲିଥିନ୍‌ ପ୍ୟାକେଟ୍‌ ମହଜୁଦ ରଖାଯାଇଛି।

ପ୍ରସବ ତାରିଖ ଆସନ୍ତା ୧୫ ଦିନ ମଧ୍ୟରେ ଥିବା ୨୩୪ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସମୟରେ ମାଆ ଓ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ପ୍ରସବ ସମ୍ବନ୍ଧୀୟ ଜରୁରୀକାଳୀନ ସେବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଆଜି ଜିଲ୍ଲାରେ ୬୪ଟି ପ୍ରସବ ହୋଇଥିବାବେଳେ ୬୪ଟି ଜୀବିତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ମୃତ ଶିଶୁ ଜନ୍ମର କୌଣସି ଘଟଣା ରିପୋର୍ଟ ହୋଇନାହିଁ।

ଜରୁରୀକାଳୀନ ଉଦ୍ଧାର ଓ ରାସ୍ତା ସଫା କାର୍ଯ୍ୟ ପାଇଁ ୪୫ଟି JCB ଏବଂ ୨ଟି ହାଇଡ୍ରୋ କ୍ରେନ୍‌ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା, ଆବଶ୍ୟକୀୟ ମାନବସମ୍ବଳ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ଏବଂ ନିଜ ନିଜ ଦାୟିତ୍ୱ ସଠିକ୍‌ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପିକନିକ୍‌ ସ୍ଥଳ, ପର୍ଯ୍ୟଟନ ସ୍ଥାନ ଓ ଗାଧୁଆ ଘାଟ ଆଦିରେ ପୁଲିସ୍‌ କର୍ମଚାରୀ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାୟଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା ଏବଂ ଭାରତୀୟ ପାଣିପାଗ ବିଭାଗ (IMD), SRC ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଅଧିକୃତ ସୂଚନା ଓ ପରାମର୍ଶ ଉପରେ ଭରସା କରିବାକୁ ଅନୁରୋଧ କରାଯାଇଛି।

ବିଶେଷକରି ପ୍ରସବ ସମୟ ପାଖେଇ ଆସିଥିବା ଗର୍ଭବତୀ ମାଆମାନେ ଡାକ୍ତର, ପ୍ରଶାସନିକ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କ ପରାମର୍ଶ ଅନୁଯାୟୀ ନିରାପଦ ମା’ ଗୃହ କିମ୍ବା ଡାକ୍ତରଖାନାକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ଗତିବିଧି ଉପରେ ନିରନ୍ତର ନଜର ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଯୋଗାଣ ଓ ବିପଦ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.