ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥନାନ୍ତରଣ ଏବଂ ଆଶ୍ରୟସ୍ଥଳରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଣ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ନୋଡାଲ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ରାୟଗଡ଼ ବ୍ଲକ ଗସ୍ତ କରି ମା’ ଗୃହ ଓ ରାୟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ପରିଦର୍ଶନ କରିଥିଲେ। ଏଥିସହ ବ୍ଲକର ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଏବଂ ଆଶ୍ରୟସ୍ଥଳରେ ରହିଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନୀନ୍ଦ୍ର ହନାଗା ଆର୍. ଉଦୟଗିରି ବ୍ଲକର ବିଭିନ୍ନ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରିଥିଲେ। ଖରାପ ପାଗ ଯୋଗୁଁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ କରିବା ସହ ସୁରକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେଇଥିଲେ।ଅନ୍ୟପକ୍ଷରେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆତରସିଂହ ଗ୍ରାମପଞ୍ଚାୟତର କେରେ ଗ୍ରାମରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗୋଷାଣୀ ବ୍ଲକରେ ଉପ ଜିଲ୍ଲାପାଳ ତଥା ବ୍ଲକ ନୋଡାଲ ଅଧିକାରୀ ସୁଶ୍ରୀ ଭାଗବତ ଶ୍ୟାମଲ କଲ୍ୟାଣରାଓ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।ବାତ୍ୟା ଓ ପ୍ରବଳ ବର୍ଷାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ପ୍ରଶାସନର ପରାମର୍ଶ ମାନି ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.