ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସେପଟେ ମାଡି ଆସୁଛି, ଏପଟେ ହୋଇଛି ମୁକାବିଲା ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରୁ ରଖି ୮ଟି ଜିଲାରୁ ମୋଟ ୪୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ। ଜିଲା ଅନୁଯାୟୀ, ନବରଙ୍ଗପୁରରୁ ୧୧,୨୦୦, ଗଜପତିରୁ ୧୧ହଜାର, ମାଲକାନଗିରି ୯,୮୫୦, ଗଞ୍ଜାମ ୬,୫୦୦, କୋରାପୁଟ ୫,୦୦୦, କଳାହାଣ୍ଡି ୨,୪୧୫, ନୂଆପଡା ୧,୬୭୫, ରାୟଗଡ଼ା ୩୦୦ ସ୍ଥାନାନ୍ତର କରାଯାଉଛି। ବାତ୍ୟା ମୁକାବିଲା ପାଇଁ ଓ ଜରୁରୀକାଳୀନ ପ୍ରସ୍ତୁତି ପାଇଁ ଏସଡିଆରଏଫ ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪୮ଟି ଓଡ୍ରାଫ୍ ଟିମ୍, ୮ଟି ଏନଡିଆରଏଫ, ୨୨୫ଟି ଅଗ୍ନିଶମ ୟୁନିଟ୍ ଙ୍କୁ ପ୍ରସ୍ତୁତ ରଖାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ ପାଇଁ ଗଞ୍ଜାମରେ ୮୬୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିମଧ୍ୟରେ ଅଛନ୍ତି ୧୮୮ ଜଣ ଗର୍ଭବତୀ। ଆନ୍ଧ୍ରର ୩୦ ଟ୍ରଲର ଗୋପାଳପୁର ବନ୍ଦରରେ ନେଇଛନ୍ତି ଆଶ୍ରୟ। ଲୋକଙ୍କ ପାଇଁ ୧୦୨୯ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି।୯୨୨ ବିପଦପୂର୍ଣ୍ଣ ଗାଁ ଉପରେ ନଜର ରଖିଛି ପ୍ରଶାସନ। ୩ ଓଡ୍ରାଫ ,୨ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।