ଆଜି ବିଶ୍ବହାତୀ ଦିବସ

ଭଞ୍ଜନଗର: ଘୁମୁସର ଜଙ୍ଗଲ ରାଜ୍ୟର ବୃହତ୍‌ ବନଖଣ୍ଡ କହିଲେ ଭୁଲ୍ ହେବ ନାହିଁ। ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଏହି ଡିଭିଜନ ମୂଲ୍ୟବାନ କାଠ, ବାଉଁଶ ଗଛ, ବହୁ ବନ୍ୟପ୍ରାଣୀ ଓ ବିରଳ ପ୍ରଜାତିର ପଶୁଙ୍କ ପ୍ରମୁଖ ବିଚରଣସ୍ଥଳୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବୃହତ ଭୌଗୋଳିକ କ୍ଷେତ୍ରରେ ଥିବା ଏହି ଜଙ୍ଗଲର ସହଜ ପରିଚାଳନା ପାଇଁ ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ନାମରେ ଦୁଇଟି ବନଖଣ୍ଡ ଡିଭିଜନ ଗଠନ କରାଯାଇଛି। ଉତ୍ତର ଘୁମୁସର ବନଖଣ୍ଡରେ ୫ଟି ରେଞ୍ଜ ତଥା ମୁଜାଗଡ଼, ଗାଲେରି, ତାରସିଂ, ଜଗନ୍ନାଥପ୍ରସାଦ ଓ କେନ୍ଦ୍ରୀୟ ବନାଞ୍ଚଳ ରହିଛି। ସେହିପରି ଦକ୍ଷିଣ ଘୁମୁସର ଡିଭିଜନରେ ଆସିକା, ବୁଗୁଡ଼ା, ପୋଲସରା, ସୋରଡ଼ା ଓ ବଡ଼ଗଡ଼ ଭଳି ୫ଟି ରେଞ୍ଜ ରହିଛି। ଉତ୍ତର ଘୁମୁସର ବନଖଣ୍ଡ‌ ବେଶ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଥିବାରୁ ହାତୀଙ୍କ ଚଳପ୍ରଚଳ ଏଠାରେ ଅଧିକ ରହିଥାଏ। ଏହାସହ ଭଲ ଜଙ୍ଗଲରେ ବାଉଁଶ ବଣ ସହ ଜଳସ୍ରୋତ ରହିଥିବାରୁ ବର୍ଷ ସାରା ହାତୀମାନଙ୍କ ଚଳପ୍ରଚଳ ଲାଗି ରହିଥାଏ। ଗତ ବର୍ଷକ ଭିତରେ ଉଭୟ ବନଖଣ୍ଡରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ଏଣୁ ହାତୀଙ୍କ ସୁରକ୍ଷା ଏବେ ବନବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି। ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ସମୁଦାୟ ୬୨ ହାତୀ ଅଛନ୍ତି। ଉତ୍ତର ଘୁମୁସର ବନଖଣ୍ଡରେ ୪୩ଟି ହାତୀ ରହିଥିବା ଜଣାପଡ଼ିଛି। ସେଥିରୁ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ୧୯ଟି, ତାରିସିଂ ବନାଞ୍ଚଳରେ ୮ଟି ଓ ମୁଜାଗଡ଼ ବନାଞ୍ଚଳରେ ୧୬ଟି ହାତୀ ରହିଛନ୍ତି। ଅନ୍ୟ ରେଞ୍ଜ ଗୁଡ଼ିକରେ ହାତୀଙ୍କ ଚଳପ୍ରଚଳ ରହିଥିଲେ ମଧ୍ୟ ବର୍ତ୍ତମାନ ହାତୀ ନଥିବା ଜଣାପଡ଼ିଛି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ବର୍ତ୍ତମାନ ୧୯ଟି ହାତୀ ରହିଥିବା ଜଣାପଡ଼ିଛି। ଏହି ବନଖଣ୍ଡର ସୋରଡ଼ା ରେଞ୍ଜର ଗାଜଲବାଡ଼ି ଇଲାକାର ପଣ୍ଡାଖୋଲ ସଂରକ୍ଷିତ ଜଙ୍ଗଲରେ ୧୪ ଟିକିଆ ହାତୀପଲ ରହିଛନ୍ତି। ଏହି ହାତୀପଲ ଅନ୍ୟ ଜଙ୍ଗଲକୁ ପ୍ରାୟତଃ ଯାଉନାହାନ୍ତି। ଆସିକା ରେଞ୍ଜରେ ୫ଟି ହାତୀ ଥିବା ବେଳେ ବୁଗୁଡ଼ା ରେଞ୍ଜ୍‌ରେ ଥିବା ୮ ଟି ହାତୀ କିଛି ଦିନ ହେଲା ଖୋର୍ଦ୍ଧା ବନଖଣ୍ଡକୁ ଚାଲିଯାଇଛନ୍ତି। ଏହି ହାତୀପଲ ପ୍ରାୟ ସମୟରେ ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ମଧ୍ୟରେ ଚଳପ୍ରଚଳ ହେଉଥିବାରୁ ସେମାନଙ୍କ ଉପରେ ବନ ବିଭାଗ କଡ଼ା ନଜର ରଖିଛି।ଗତ ବର୍ଷ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ୭ଟି ହାତୀଙ୍କ ମୃତ୍ୟୁ ଘଟିଛି।

Comments are closed.