ଉତ୍କଳବ୍ୟାସ ଜଗନ୍ନାଥ ଦାସ

ଅର୍ଜୁନୀ ଚରଣ ବେହେରା

ନମଇଁ ନୃସିଂହ ଚରଣ l
ଅନାଦି ପରମ କାରଣ ll
ଆଜି ପବିତ୍ର ରାଧା ଅଷ୍ଟମୀ,ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ l ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର,ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମ ଦିନ l ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ ଆବିର୍ଭୁତ ହୋଇ ଥିବା ତଥା ଉତ୍କଳ ଭୂମିରେ ଭକ୍ତି ରସର ଜାହ୍ନବୀ ପ୍ଲାବନ କରିଥିବା ପଞ୍ଚସଖା ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଦାସ ଅନ୍ୟତମ l ଭକ୍ତ କବିଙ୍କ ରଚନା ମାନଙ୍କରୁ ତାଙ୍କ ଜନ୍ମ, ପରିବାର ଆଦି ବିଷୟରେ ସନ୍ତୋଷ ଜନକ ତଥ୍ୟ ମିଳେନାହିଁ l ଶ୍ରୀଚୈତନ୍ୟ ଦେବଙ୍କ ଉତ୍କଳ ଆଗମନ ହୋଇଥିଲା ପନ୍ଦରଶହ ଦଶ ସାଲରେ l ପରେ ଏହି ଦୁଇ ମହାପୁରୁଷଙ୍କ ମହାମିଳନ ହୋଇଥିଲା ଶ୍ରୀକ୍ଷେତ୍ରରେ l ଏହାକୁ ଆଧାର କରି ଜଗନ୍ନାଥ ଦାସଙ୍କ ଜନ୍ମ 1492-93 ସାଲରେ ହୋଇଥିଲା, ଅନୁମାନ କରାଯାଏ l ଓଡ଼ିଆ ଜାତିର ଜୀବନବେଦ ଶ୍ରୀମଦ ଭାଗବତର ରଚୟିତା ଜଗନ୍ନାଥ ଦାସ, ଭାଗବତର ଏକାଦଶ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଲୋକ ଗମନ ବର୍ଣ୍ଣନା ପରେ ଷାଠିଏ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ l ଦ୍ୱାଦଶ ସ୍କନ୍ଧକୁ ତାଙ୍କର ଶିଷ୍ୟ ଶ୍ରୀମହାଦେବ ଦାସ ସମାପ୍ତ କରିଥିଲେ l ଦ୍ୱାଦଶ ସ୍କନ୍ଧର ଭାଷା ଓ ପଦ ଲାଳିତ୍ୟରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ l ମହାଦେବ ଦାସଙ୍କ ରଚନାରୁ ଜଣା ପଡ଼େ ଜଗନ୍ନାଥ ଦାସ ଭାଦ୍ରବ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ବା ରାଧାଷ୍ଟମୀଦିନ ଭୂମିଷ୍ଠ ହୋଇଥିଲେ l ପୂରୀ ବ୍ରହ୍ମଗିରି ନିକଟସ୍ଥ କପିଳେଶ୍ୱର ପୁର ଗ୍ରାମ ତାଙ୍କର ଜନ୍ମସ୍ଥାନ l ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ l ରାଧା ଅଷ୍ଟମୀରେ ଜନ୍ମ ହୋଇ ଥିବାରୁ ସେ ରାଧା ଅଂଶ ନେଇ ଜନ୍ମ ହୋଇ ଥିଲେ ବୋଲି ବିଶ୍ୱାସ କରା ଯାଏ l ରାଧା ଭାବ ଯୋଗୁଁ, ସେ କୃଷ୍ଣ ରସ ରସାଣିତ ଅନଵଦ୍ୟ ଭାଗବତଗ୍ରନ୍ଥ ଲେଖିବାପାଇଁ ସମର୍ଥ ହୋଇଥିଲେ ବୋଲି ପ୍ରବାଦ ରହିଛି l ରାଧା ଏକ ଭାବ ବା ତତ୍ତ୍ୱ ହୋଇଥିବାରୁ ତାଙ୍କ ରଚିତ ଭାଗବତରେ ରାଧାଙ୍କ ବିଷୟରେ ସେ କିଛି ଲେଖି ନାହାଁନ୍ତି l ଏହି ରାଧା ତତ୍ତ୍ୱ ରାହାସ ବର୍ଣ୍ଣନାରେ ଊହ୍ୟ ହୋଇ ରହିଛି l କୁହାଯାଏ ଯେ ” ଆରାଧ୍ୟାୟେତ୍ ଇତି ରାଧା “l ଭଗବାନ ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗିକୃତ ପ୍ରେମ କରିବାର ଭାବ ହିଁ ରାଧା l କୃଷ୍ଣ ଓ ରାଧା ଭିନ୍ନ ନୁହଁନ୍ତି l ସେ ପ୍ରକୃତି ଓ ପୁରୁଷଙ୍କର ଏକ ଏକୀକୃତ ରୂପ l ଏଥି ପାଇଁ ବିଦଗ୍ଧ ଚିନ୍ତାମଣିରେ କବି ଅଭିମନ୍ୟୁ ସାମନ୍ତ ସିଂହାର କହିଛନ୍ତି :—
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି l
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ ll
ବ୍ରହ୍ମବୈବର୍ତ୍ତ ପୁରାଣରେ ରାଧାଙ୍କର ଅଳ୍ପମାତ୍ରାରେ ବର୍ଣ୍ଣନାକୁ ଛାଡ଼ି ଦେଲେ, ଆମର ଅନ୍ୟ କୌଣସି ପୁରାଣ ସାହିତ୍ୟରେ ଶ୍ରୀମତି ରାଧାଙ୍କୁ ଦେଖିବାକୁ ମିଳେ ନାହିଁ l କିଛି ବର୍ଣ୍ଣନା ଦେବୀ ଭାଗବତରେ ମଧ୍ୟ ରହିଛି l କୁହାଯାଏ ଶ୍ରୀ ଚୈତନ୍ୟ ଦେବଙ୍କ ଆବିର୍ଭାବ ପରେ ହିଁ ଶ୍ରୀରାଧାଙ୍କ ଦର୍ଶନ ବୈଷ୍ଣବ ସାହିତ୍ୟ ମାନଙ୍କୁ ଆସିଛି l
ଶୈଶବରୁ ହିଁ ଶ୍ରୀ ଜଗନ୍ନାଥ ଦାସ ଧର୍ମ ଚର୍ଚ୍ଚା ପ୍ରତି ଅନୁରକ୍ତ ଥିଲେ ଏବଂ ଅଠରବର୍ଷ ବୟସରେ ସେ ସନ୍ନ୍ୟାସ ଗ୍ରହଣକରିଥିଲେ l ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ l ଶ୍ରୀଭାଗବତର ଆରମ୍ଭରେ ସେ କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି ନ କରି ଜଗନ୍ନାଥଙ୍କ ଆଦିରୂପ ନୃସିଂହଙ୍କୁ “ନମଇଁ ନୃସିଂହ ଚରଣ l ଅନାଦି ପରମ କାରଣ l” କହି ଭାଗବତ ରଚନା ଆରମ୍ଭ କରିଛନ୍ତି l ଜନନୀଙ୍କ ଇଛାରେ ସେ ଓଡ଼ିଆରେ ଭାଗବତ ରଚନା କରିଥିବା କଥା ଜନ ଶ୍ରୁତିରେ ପ୍ରଚଳିତ l ଶ୍ରୀ ମନ୍ଦିରରେ ପ୍ରତ୍ୟହ ପଠିତ ସଂସ୍କୃତ ଭାଗବତ ବୁଝି ନପାରି ମା’ ନିଜ ମାତୃ ଭାଷାରେ ଭାଗବତ ରଚନା ନିମନ୍ତେ ପୁଅ ଜଗନ୍ନାଥଙ୍କୁ କହି ଥିଲେ l ମାତୃ ଭକ୍ତ ଜଗନ୍ନାଥ ଏହାକୁ ଅଙ୍ଗୀକାର କରି ନିଜ ମାଆ ତଥା ସାରା ଓଡ଼ିଶାର ମାଆମାନେ ବୁଝିପାରିଲା ଭଳି ସରଳ, ତରଳ ଓ ସାବଲୀଳ ଭାଷାରେ ସହଜ ନବାକ୍ଷରୀ ଛନ୍ଦରେ ଓଡ଼ିଆ ଭାଗବତ ରଚନା କରିଥିଲେ l ଓଡ଼ିଆରେ ଭାଗବତ ରଚନାକୁ ସେତେ ବେଳେ ଧର୍ମଧ୍ୱଜୀ ମାନେ ଶାସ୍ତ୍ରର ଅବମାନନା ଓ ଏହାକୁ ତେଲି ଭାଗବତ କହି ତିରସ୍କାର କରିଥିଲେ l ଏ ଗ୍ରନ୍ଥର ମହନୀୟତା ପ୍ରତିପାଦନ ପାଇଁ ଜଗନ୍ନାଥ ଦାସ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହୋଇ ଥିବା କଥା ବିଭିନ୍ନ ଲୋକକଥା ଓ କିମ୍ବଦନ୍ତୀ ମାନଙ୍କରୁ ଶୁଣାଯାଏ l ଭାଗବତର ସୁମଧୁର ପଦାବଳୀକୁ ଓଡ଼ିଶାର ଲୋକମାନେ ଏତେ ଆତ୍ମସ୍ଥ କରିଛନ୍ତି ଯେ କଥା କଥାରେ ଏଥିରୁ ପ୍ରାସଙ୍ଗିକ ପଦମାନ ଉଦ୍ଧାର କରିଥାଆନ୍ତି l ଶ୍ରୀମଦ ଭାଗବତକୁ ସ୍ୱୟଂ ବାସୁଦେବ ଭାବେ ପୂଜା କରିବା ଓ ମୃତ୍ୟୁ ଶଯ୍ୟା ନିକଟରେ ଭାଗବତ ପଠନର ଵିଧି ଏବେ ମଧ୍ୟ ପ୍ରଚଳିତ l ସନ୍ତାନ ଜନ୍ମକାଳରେ ଏନ୍ତୁଡ଼ି ଶାଳରେ ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପଠନ ଓ ମୃତ୍ୟୁ କାଳରେ ଭାଗବତ ବାଣୀ ଶ୍ରବଣରେ ଜୀବନ ଧନ୍ୟ ହୁଏ ବୋଲି ବିଶ୍ୱାସ ରହିଛି l ଏହି ମହାନ ଗ୍ରନ୍ଥର ଜନ୍ମ ଦିନ ପଣ୍ଡୁ ପୁର୍ଣ୍ଣିମା l ବିଶ୍ୱର କୌଣସି ଜାତି ଏକ ଗ୍ରନ୍ଥର ଜନ୍ମଦିନ ପାଳନ କରେନାହିଁ କିନ୍ତୁ ଓଡ଼ିଆ ଜାତି ଭାଗବତ ଜନ୍ମ ପାଳନ କରେ l ବ୍ୟାସ କୃତ ସଂସ୍କୃତ ଭାଗବତରେ 335 ଅଧ୍ୟାୟ ଏବଂ ଅଠର ହଜାର ଶ୍ଳୋକ ଥିଲାବେଳେ ଓଡ଼ିଆ ଭାଗବତରେ 342ଅଧ୍ୟାୟ ଓ 27160 ନବାକ୍ଷରୀ ପଦରହିଛି l ଏହା ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ,ମର୍ମାନୁବାଦ l ସଂସ୍କୃତ ଭାଗବତର ଜଟିଳ ତତ୍ତ୍ୱକୁ ଅତି ସରଳ ସାବଲୀଳ ଓ ବୋଧ ଗମ୍ୟ ଓଡ଼ିଆ ଭାଷାରେ ଶ୍ରୀଜଗନ୍ନାଥ ଦାସ ବର୍ଣ୍ଣନା କରି ଯାଇଛନ୍ତି l ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ :-
ଯଦା ମୄଧେକୌରବଶୃଂଜୟାଣାଂ l
ବୀରେଶ୍ବଥୋ ଵୀରାଂଗତିଂଗତେଷୁ ll
ବୃକୋଦରାବିଦ୍ଧ ଗଦାଭିମର୍ଶ
ଭଗ୍ନଉରୁଦଣ୍ଡେ ଧୃତରାଷ୍ଟ୍ରପୁତ୍ରେ ll
ଭର୍ତ୍ତୃ ପ୍ରିୟଙ ଦ୍ରୋଣିରିତି ସୁପସ୍ୟଂ
କୃଷ୍ଣା ସୁତାନାଂ ସ୍ବପତାଂ ଶିରାଂଶି ll
ଉପାହାରଦ ବିପ୍ରିୟଃମେବ ତସ୍ୟ
ଯୁଗୁପ୍ସିତଂ କର୍ମ ବିଗରହୟନ୍ତି ll
ବ୍ୟାସଦେବକୃତ ସଂସ୍କୃତ ଭାଗବତର ଏହି ଶ୍ଳୋକ ମାନଙ୍କରେ ଭୀମର ଗଦା ଆଘାତରେ ମହାମାନୀ ଦୁର୍ଯ୍ୟୋଧନ ଉରୁ ଭଗ୍ନ ହୋଇ ପଡ଼ିଥିଲା ବେଳେ ଅଶ୍ୱସ୍ଥାମା ଉପସ୍ଥିତ ହୁଅନ୍ତେ ତାକୁ ସେନାପତି ପଦରେ ବରଣ କରିବାର କଥା ବର୍ଣ୍ଣିତହୋଇଛି l ଓଡ଼ିଆ ଭାଗବତ ଏହି ଶ୍ଲୋକର ଭାବାର୍ଥକୁ ନିମ୍ନ ମନୋଜ୍ଞ ନବାକ୍ଷରୀ ଛନ୍ଦରେ ପ୍ରକାଶ କରିଛନ୍ତି l
ଭୀମସେନର ଗଦା ବାଜି l
ଦୁର୍ଯ୍ୟୋଧନର ଗଦା ଭାଜି ll
ପଳାଇ ଗଲା ପ୍ରାଣ ଡରେ l
ଲୁଚିଲା ବ୍ୟାସ ସରୋବରେ ll
ଏମନ୍ତେ ହୋଇଲା ରଜନୀ l
ଜଳେ ଭାଳଇ ଭୟ ଘେନି ll
କାନ୍ଦଇ ଜୀବନ ବିକଳେ l
ଦ୍ରୋଣ ନନ୍ଦନ ଦେଖି କୁଳେ ll
ବୋଲଇ ରାଜା ମୁଖ ଚାହିଁ l
ମୋତେ ଯେ ନବରିଲୁ ତୁହିll
ଯୁଦ୍ଧେ ସକଳ ବୀରେ ମାରି l
ଏ ଭୂମି ଅପାଣ୍ଡବା କରି ll
ତୋତେ ବସାନ୍ତି ରାଜକୁଳେ l
ଅଖଣ୍ଡ ଅବନୀ ମଣ୍ଡଳେ ll
ଶୁଣି ବୋଲଇ ନୃପବର l
ଏଵେ ହୋ ଅପାଣ୍ଡବା କର ll
ଏବେ ବରିଲି ସେନାପତି l
ଫେଡ଼ ତୁ ମୋହର ଦୁର୍ଗତି ll
ଏମନ୍ତ କହି ଅନ୍ଧବଳା l
ତାହାର ହସ୍ତେ ଜଳ ଦେଲା ll
ଜଗନ୍ନାଥ ଦାସଙ୍କ ପ୍ରବଳ ଐଶୀଶକ୍ତି ଓ ଈଶ୍ୱର ନିଷ୍ଠାରେ ମୁଗ୍ଧ ହୋଇ ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ି ଉପାଧି ପ୍ରଦାନ କରିଥିଲେ l ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ପ୍ରଦାୟକୁ ଅତିବଡ଼ି ସମ୍ପ୍ରଦାୟ କୁହାଯାଇଥାଏ l କିମ୍ବଦନ୍ତୀ ରହିଛି ଯେ ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ମହନୀୟତାରେ ଆଶ୍ଚର୍ଯ୍ୟହୋଇ କହିଲେ,’ଅତୋ ବଡ଼ !'(ବଙ୍ଗଳା) ଯାହାର ଓଡ଼ିଆରେ ଅର୍ଥ ହେଲା ଏତେବଡ଼! ଏଇଥିରୁହିଁ ଅତିବଡ଼ି କଥାଟି ଆସିଛି l ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ରହଣି କାଳ ମଧ୍ୟରେ ଜଗନ୍ନାଥ ତାଙ୍କର ନିତ୍ୟ ସଖା ହୋଇ ରହିଥିଲେ l
ଶ୍ରୀଜଗନ୍ନାଥ ଦାସଙ୍କ ପ୍ରମୁଖ ରଚନାବଳୀ ଗୁଡିକ ହେଲେ ଓଡ଼ିଆ ଶ୍ରୀମଦ ଭାଗବତ,ଅର୍ଥ କୋଇଲି, ତୁଳାଭିଣା, ମୃଗୁଣୀ ସ୍ତୁତି, ରାସକ୍ରୀଡା, ଦାରୁବ୍ରହ୍ମ ଗୀତା,ଗୁପ୍ତଭାଗବତ,ମନଶିକ୍ଷା,ଗଜସ୍ତୁତି,ପାଷାଣ୍ଡ ଦଳନ,ଶ୍ରୀସତସଙ୍ଗ ଇତ୍ୟାଦି l ତାଙ୍କ ସଂସ୍କୃତରେ ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲେ କୃଷ୍ଣଭକ୍ତି କଳ୍ପ ଲତା,ଉପାସନା ଶତକମ,ନୀଳାଦ୍ରୀ ଶତକମ,ଶ୍ରୀ ଜଗନ୍ନାଥ ଚରିତାମ୍ବୋଧିସରଣୀ ଇତ୍ୟାଦି l ଏଥିରୁ ଏ ପର୍ଯ୍ୟନ୍ତ ବହୁ ଗ୍ରନ୍ଥ ଅପ୍ରକାଶିତ l ଆହୁରି ଯେ କେତେ ଅମୁଲ୍ୟ ରଚନା କାଳ ଗର୍ଭରେ ଲୀନ ନ ହୋଇ ଯାଇଥିବ ତାହା କହିହେବ ନାହିଁ l ତାଙ୍କର ଏହି ସବୁ ସୃଷ୍ଟି ମଧ୍ୟରୁ ଶ୍ରୀମଦ୍ଭାଗବତକୁ ତାଙ୍କର ଅମର ସୃଷ୍ଟି ଓ ଅକ୍ଷୟ କୀର୍ତ୍ତି ବୋଲି ବିବେଚନା କରାଯାଏ l ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଜାତି ପାଇଁ ଏହା ଏକ ଯୁଗାନ୍ତକାରୀ ସୃଷ୍ଟି l ଭାଗବତର ମଧୁର ପଦାବଳୀ ଓଡିଶା ବାହାରେ ବଙ୍ଗପ୍ରଦେଶ ରେ ମଧ୍ୟ ବହୁ ଆଦର ଲାଭ କରିଥିଲା l ବଙ୍ଗଳା ଭାଷାରେ ଭାଗବତ ସୃଷ୍ଟିର ବହୁ ପୂର୍ବରୁ ଓଡ଼ିଆ ଭାଗବତ ଲେଖା ସରିଥିଲା l ଓଡ଼ିଆ ଭାଗବତକୁ ସେତେବେଳେ ବଙ୍ଗ ଲିପିରେ ଲେଖି ବଙ୍ଗଳାରେ ପାଠକରା ଯାଉଥିଲା l ଏହା ପ୍ରମାଣିତ ହୁଏ ବିପ୍ର ସନାତନ ବିଦ୍ୟାବାଗୀଶଙ୍କ ବଙ୍ଗଳା ଭାଷା ଲିଖିତ ଭାଷାବନ୍ଧ ଭାଗବତର ନିମ୍ନ ପଦାବଳିରୁ :-
ଦଶମେର ଶେଷ ଷଷ୍ଠ ଭାଖା ନ ପାଇନ l
ଅନେକତ ପାଶି ଗ୍ରାମେ ଗ୍ରାମେ ବେଡ଼ାଇନ ll
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ l
ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ll
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇଆଁ l
ବଙ୍ଗ ଭାଷାୟ ଉତ୍କଳ ମିଶାଇଆଁ ll
ଇଥେ ସାଧୂଗନ ମୋର ଦୋଷ ନା ଲାଇବେ l
ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ ll
ଅତୀତରେ ନିତ୍ୟ ଭାଗବତ ପଠନ ପାଇଁ ଗ୍ରାମେ ଗ୍ରାମେ ପ୍ରତିଷ୍ଠା ହୋଇ ଥିଲା ଭାଗବତ ଗାଦୀ ଓ ଭାଗବତ ଟୁଙ୍ଗି, ଭାଗବତ ଟୁଙ୍ଗି ଲୋକଙ୍କୁ ଈଶ୍ୱର ମନସ୍କ କରିବା ସହିତ, ଥିଲା କର୍ମ କ୍ଲାନ୍ତ ମଣିଷର ଅବସର ବିନୋଦନ କେନ୍ଦ୍ର, ଗ୍ରାମ୍ୟ ନ୍ୟାୟାଳୟ, ଗ୍ରାମ୍ୟ ଐକ୍ୟ ଓ ଗ୍ରାମ୍ୟ ଜୀବନର ପ୍ରାଣ କେନ୍ଦ୍ର l ସାକ୍ଷରତା ବୃଦ୍ଧି ନିମନ୍ତେ ଏବେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି l ମାତ୍ର, ଦିନ ଥିଲା, ଏହି ଗୋଟିଏ ଗ୍ରନ୍ଥ ଲୋକଙ୍କୁ ସାକ୍ଷର ହେବା ପାଇଁ ପ୍ରେରଣା ଯୋଗାଉ ଥିଲା l ପ୍ରତ୍ୟେକ ଲୋକଙ୍କ ଆଶା ରହୁଥିଲା ଦୁଇ ଅକ୍ଷର ଶିଖି ଶ୍ରୀ ଭାଗବତ ପଠନ ପାଇଁ ସମର୍ଥ ହେବା l ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନରେ ଓଡ଼ିଆ ଭାଗବତ ପାଠକୁ ଆଧାର କରା ଯାଇଥିଲା ଭାଷା ଭାଷୀ ଅଞ୍ଚଳ ଚିହ୍ନଟ କରିବା ପାଇଁ l କର୍ପୁର ଉଡ଼ି ଯାଇ କନା ପଡ଼ି ରହିଥିବା ଭଳି ଆଜିବି ଭାଗବତ ସଂସ୍କୃତି ଓଡ଼ିଆ ଜନ ଜୀବନକୁ ପ୍ରଭାବିତ କରି ରଖିଛି ଓ ରଖିଥିବ l ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ :-
ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର l
ଭକତ ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ
କଲ ସ୍ଵଦେଶେ ପ୍ରଚାର ll
ବେଦ ମହୋଦଧି ବ୍ୟାସ ତପୋନିଧି
ମନ୍ଥି ଯେ ତତ୍ତ୍ୱ ସକଳେ l
ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ
ପ୍ରକାଶି ଥିଲେ ସରଳେ ll
ସଂକ୍ଷିପ୍ତ ସଂସ୍କୃତ ଅମୁଲ୍ୟ ଆଧାରେ
ଥିଲା ସେ ଅମୀୟ ରସ l
ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ ll
ତେଣୁ ବାରସ୍କନ୍ଧ ପ୍ରାକୃତ ପ୍ରବନ୍ଧ
ଗୀତେ କଲ ପରକାଶ l
ଥିବାଯାଏ ଭାଷା ଗାଇବ ଉତ୍କଳ
କହେ ଜଗନ୍ନାଥ ଦାସ ll
ନୃପତି ନବରେ କୃଷକ କୁଟୀରେ
ଆଜି ଉଠେ ତଵ ନାମ l
ଦିନ ଅବସାନେ ଶ୍ରମକ୍ଲାନ୍ତ ଜନେ
ଦେଉଛ ଶାନ୍ତି ଆରାମ ll
ବ୍ରାହ୍ମଣ ଚଣ୍ଡାଳ ପ୍ରେମେ ଏକମେଳ
ଧର୍ମ ଭାବେ ହୋଇ ମତ୍ତ l
ବିପଦେ ସମ୍ପଦେ ଗାଆନ୍ତି ଆନନ୍ଦେ
ସ୍ଥାନେ ସ୍ଥାନେ ଭାଗବତ ll
ସୁକବି ପ୍ରଶଂସା ପାଇବାକୁ ଆଶା
ମନରେ ନ ଥିଲ ପୋଷି l
ତଥାପି ଉତ୍କଳ ଭାବି କବିକୁଳ
ତୁମ୍ଭ ନାମ ହେବେ ଘୋଷି ll
ତୁମ୍ଭ ସମାଧିରୁ ଆହେ କବିଗୁରୁ
କେତେ ଦାର୍ଶନିକ କବି l
ଜନମିଣ କାଳେ ଉତ୍କଳ ସାହିତ୍ୟେ
ଦେବେ ନବ ନବ ଛବି ll
କେତେ ଧର୍ମବୀର ଦେବେ ନିଜ ଶିର
ସ୍ବଦେଶ ସ୍ବଧର୍ମ ହିତେ l
ଅସଂଖ୍ୟ ନାସ୍ତିକ ହୋଇବେ ପ୍ରେମିକ
ତୁମ୍ଭ ମଧୁମୟ ଗୀତେ ll
ଯୁଗସ୍ରଷ୍ଟା ଜଗନ୍ନାଥ ଦାସ ମହା ପ୍ରେମର ଭଣ୍ଡାର l ତେଣୁ ସେ ଆମ ସମସ୍ତଙ୍କର ନମସ୍ୟ ଓ ପୂଜ୍ୟ l ତାଙ୍କର ବାଣୀ ହେଲା –
ପରମ ଶାସ୍ତ୍ର ଭାଗବତ l
ଅଭ୍ୟାସ କରୁଥିବ ନିତ୍ୟ ll
ଓଁ ନମଃ ଭଗବତେ ବାସୁଦେବାୟ
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.